କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଲେ ପଦକ୍ଷେପ ନିଆଯିବ, ସମସ୍ତେ ସତର୍କ ରହିବାକୁ ପରାମର୍ଶ-ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ଦେଶରେ ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦଦି ରାଜ୍ୟରେ ଚୀନର ଭାଇରସ ଏଚଏମପିଭି ଚିହ୍ନଟ ହୋଇସାରିଛି। କୋଭିଡ ମହାମାରୀ ଭଳି ଏହାର ଲକ୍ଷଣ ରହିଥିବାରୁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ଆଜି ସୁଦ୍ଧା ଓଡ଼ିଶାରେ ଚୀନର ଭାଇରସ ଏଚଏମପିଭି ଚିହ୍ନଟ ହୋଇନାହିଁ। ଦେଶର ବିଭିନ୍ନ ରାଜ୍ୟରେ ଏଚଏମପିଭି ଚିହ୍ନଟ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଚୀନରୁ ଏଚଏମପିଭି ଆସୁଥିବା ଖବରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଏ ନେଇ ଭାରତ ସରକାର ମଧ୍ୟ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି। ଯେ କୌଣସି ପ୍ରକାର ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଆସିଲେ ପଦକ୍ଷେପ ଗ୍ରହଣ କରାଯିବ। ଚୀନର ନୂଆ ଭାଇରସ ଏଚଏମପିଭି ପରୀକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଏମସ ଏବଂ ଆରଏମଆରସିରେ ବ୍ୟବସ୍ଥା କରାଯାଇଛି। ତେବେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

prayash

ଜନସ୍ୱାସ୍ଥ୍ୟ ନିର୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ଯେ ପୂର୍ବରୁ ଏହି ଏଚଏମପିଭ ଭାଇରସ ନେଦରଲାଣ୍ଡରେ ଚିହ୍ନଟ ହୋଇଥିଲା। ଏହାପରେ ଭାରତର ବିଭିନ୍ନ ସ୍ଥାନରେ ଏହି ଭାଇରସରେ ରୋଗୀ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା। କିନ୍ତୁ ସେମିତି କେଉଁଠି ମଧ୍ୟ ଭୟାନକ ପରିସ୍ଥିତି ଉପୁଜି ନଥିଲା ଏବଂ ଆଗକୁ ମଧ୍ୟ ସେଭଳି କିଛି ପରିସ୍ଥିତି ଦେଖାଦେବା ସମ୍ଭାବନା ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମହାନିର୍ଦେଶାଳୟ ଏନେଇ ଭୟଭିତ ନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରବାସୀ ଭାରତୀୟ ଦିବସରେ ବହୁ ଦେଶର ଅତିଥି ସମାଗମ ହେବାକୁ ଥିବାରୁ ଓଡ଼ିଶାରେ ଏହି ଭାଇରସ ସଂକ୍ରମଣ ଆଶଙ୍କା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ନିର୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟକୁ ବିଭିନ୍ନ ସମୟରେ ଅନେକ ଦେଶରୁ ଲୋକ ଯାତାୟତ କରିଥାନ୍ତି। ତେଣୁ ସେମିତି କିଛି ସମସ୍ୟା ନାହିଁ। ତେବେ ସମସ୍ତେ ସତର୍କ ହୋଇ ରହିବା ଉଚିତ। କିନ୍ତୁ ଯେଉଁ ମୂହୁର୍ତ୍ତରେ ଦରକାର ପଡ଼ିବ ତାହାର କଡ଼ା ମୁକାବିଲାପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି। ପୂର୍ବାପେକ୍ଷା ବର୍ତ୍ତମାନ ରାଜ୍ୟରେ ଚିକିତ୍ସା ସୁବିଧା ଅଧିକ ସୁଦୃଢ଼ ହୋଇଛି ଏବଂ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବଦ୍ଧ ପରିକର ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.