ମୁଜଫରନଗରରେ ଉନ୍ନାଓ ଘଟଣାର ପୁନରାବୃତ୍ତି; ଗଣବଳାତ୍କାର ପୀଡ଼ିତାଙ୍କୁ ଏସିଡ୍‌ ଫିଙ୍ଗିଲେ ଅଭିଯୁକ୍ତ

ମୁଜଫରନଗର: ଉତ୍ତରପ୍ରଦେଶର ଉନ୍ନାଓ ଭଳି ମୁଜଫରନଗରରେ ଆଉ ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଗଣବଳାତ୍କାରର ଶିକାର ଜଣେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ଏସିଡ୍‌ ମାଡ଼ କରିଛନ୍ତି। ପୀଡ଼ିତା ମାମଲା ପ୍ରତ୍ୟାହାର କରିବାକୁ ମନା କରିବାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ମୁଜଫରନଗରର ଶାହପୁର ଥାନା ଅଞ୍ଚଳର ଏକ ଗାଁରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା। ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ମାମଲା ରୁଜୁ କରି ଚୁପ ବସିଥିଲା। ଫଳରେ ଘଟଣାର ଆପୋସ ସମାଧାନ ପାଇଁ ଅଭିଯୁକ୍ତମାନେ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଉଥିଲେ। ଗତ ଶନିବାର ପୀଡ଼ିତା ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୀଡ଼ିତା କହିଥିଲେ ଯେ, ୩ମାସ ତଳେ ପୂର୍ବ ମୁଜଫରନଗରରୁ ଘରକୁ ଫେରୁଥିବାବେଳେ ଗାଁର ୩ ଜଣ ଯୁବକ କାରରେ ଲିଫ୍ଟ ଦେଇ ତାଙ୍କୁ ଗଣବଳାତ୍କାର କରିଥିଲେ। କୋର୍ଟଙ୍କ ଆଦେଶ ପରେ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନ ଥିବା ପୀଡ଼ିତା ଏସପିଙ୍କୁ ଜଣାଇଥିଲେ। ଏହି ଖବର ପାଇବା ପରେ ୩ ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ପଶି ତାଙ୍କ ଉପରେ ଏସିଡ୍‌ ଫିଙ୍ଗିଦେଇଥିଲେ। ଏସିଡ୍‌ ମାଡ଼ରେ ପୀଡ଼ିତାଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ବି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ।

Comments are closed.