୪ ଓଡ଼ିଆ ତୀର୍ଥଯାତ୍ରୀ ମୃତ, ୨୯ ଆହତ
ହଜାରିବାଗ୍ରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ପ୍ରତି ମୃତକ ପରିବାରକୁ ୨ ଲକ୍ଷ ଅନୁକମ୍ପା ରାଶି
ବାରିପଦା : ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ବାରଣାସୀକୁ ନେଇ ଫେରୁଥିବା ବସ (ଓଡି-୧୧-୨୬୧୫)ଆଜି ଝାଡଖଣ୍ଡ ରାଜ୍ୟର ହଜାରିବାଗ ଜିଲା କାତ୍କାମ୍ସସାଣ୍ଡି ବ୍ଲକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଓଡ଼ିଶାର ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୯ଜଣ ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର। ମୃତ୍ୟୁ ଘଟିଥିବା ଚାରି ଜଣଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲାର ଦୁଇ ଜଣ ପଙ୍କଜିନୀ ପରିଡ଼ା ଓ ଅନନ୍ତଚରଣ ନାୟକ ଏବଂ ତାଳଚେରର ଦୁଇ ଜଣ ମେନକା ପ୍ରଧାନ ଓ ଗୌତମ ବେହେରା ରହିଥିବା ସୂଚନା ମିଳିଛି। ମୃତକ ପଙ୍କଜିନୀ ପରିଡ଼ାଙ୍କ ଘର ବାରିପଦା ୨୫ ନମ୍ବର ୱାର୍ଡ ପାଲବଣୀ ଅଞ୍ଚଳର। ସେ ନିର୍ମଳ ପରିଡ଼ାଙ୍କ ପତ୍ନୀ ବୋଲି ଜଣାପଡ଼ିଛି। ଗୁରୁତର ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ରାଞ୍ଚିର ଏମ୍ସରେ ଭର୍ତ୍ତି କରାଯାଇଛି। ଅନ୍ୟ ୨୭ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ବସଟିରେ ୫୫ଜଣ ଯାତ୍ରୀ ଥିଲେ।
୪ ଜଣ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ୪ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଅଣାଯିବାର ବ୍ୟବସ୍ଥା କରାଯାଇଛି। ଘଟଣା ସଂପର୍କରେ ଅବଗତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଝାଡଖଣ୍ଡ ସରକାରଙ୍କୁ ଏ ସଂପର୍କରେ ଯୋଗାଯୋଗ କରି ଚିକିତ୍ସା ବ୍ୟବସ୍ଥା କରିବା ସହିତ ମୃତଦେହ ଅଣାଯିବାର ବ୍ୟବସ୍ଥା ହୋଇଛି। ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଏଠାରୁ ପୂର୍ବତନ ମନ୍ତ୍ରୀ ତଥା ଜିଲା ବିଜେଡି
ସଭାପତି ସୁଦାମ ମାର୍ଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାର୍ଣ୍ଡି ଓ ପୂର୍ବତନ ବିଧାୟକ ଭାଦବ ହାଁସଦା ପ୍ରମୁଖ ଆଜି ସନ୍ଧ୍ୟାରେ ଟାଟାନଗର ଗସ୍ତ କରି ରାତିରେ ମୃତଦେହଗୁଡିକୁ ଆଣି ବାରିପଦାରେ ପହଞ୍ଚାଇବାର କାର୍ଯ୍ୟକ୍ରମ ରହିଛି। ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରୟାସ ହଲଠାରେ ରାତିରେ ମୃତଦେହଗୁଡିକୁ ଗ୍ରହଣ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତ ଏ ସମସ୍ତ କାର୍ଯ୍ୟଗୁଡିକୁ ତଦାରଖ କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିବାସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ, ସେଥିପାଇଁ ଝାଡ଼ଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜର ଲୋକ ଅଛନ୍ତି।
ସେହିପରି ହଜାରିବାଗର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାରୁ ଯାଇଥିବା ତୀର୍ଥଯାତ୍ରୀଙ୍କ ମୃତାହତ ହେବା ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଟ୍ବିଟ୍ କରି ମୃତକଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ଟ୍ବିଟ୍ କରି ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ହଜାରିବାଗ-କଟକମସାଣ୍ଡି ମୁଖ୍ୟ ରାସ୍ତାରେ କନୌଦା ଘାଟିର ବୁଲାଣିଆ ସ୍ଥାନରେ ବସ୍ର ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୨୯ ଯାତ୍ରୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Comments are closed.