ଗ୍ରାମ୍ୟ ଅନୁଷ୍ଠାନମାନଙ୍କୁ ଆବାସସ୍ଥଳୀ ଅଧିକାର ତାଲିମ

କେନ୍ଦୁଝରଗଡ : ବାଂଶପାଳ ବ୍ଲକ କରଙ୍ଗାଡିହିଠାରେ ଆରସିଡିସି ଅନୁଷ୍ଠାନ ପକ୍ଷରୁ ରବିବାର ଗ୍ରାମ ଅନୁଷ୍ଠାନ ମାଙ୍କ ପାଇଁ ଆବାସସ୍ଥଳୀ ଅଧିକାର ସମ୍ବନ୍ଧୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବରୁଣ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ପଦ୍ମଶ୍ରୀ ଦୈତାରୀ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାର ଥିବା ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଆଇନାନୁଯାୟୀ ଆବାସସ୍ଥଳୀ କିଭଳି ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ଗ୍ରାମସଭାରେ ଗୃହୀତ ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଥିଲେ। ସମିତିସଭ୍ୟା ଆଶାମଣୀ କାର୍ଜି, ପଞ୍ଚାୟତ ସମ୍ବଳ କର୍ମୀ ରେବତୀ ଦାଙ୍ଗୁଆ, ବନବାସୀ ଚେତନାମଣ୍ଡଳ ଗୋନାସିକାର ସମ୍ପାଦକ ବୀରବର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରଙ୍ଗାଡିହି, ଅଣସୁଆଁ, ଲାଞ୍ଜିପଦା, ଭୂୟାଁବୈତରଣୀ ଆଦି ଗ୍ରାମର ଜନଜାତିଙ୍କୁ କିଭଳି ଜଙ୍ଗଲ ଜମି ଅଧିକାର ଆଇନ ବଳରେ ଆବାସସ୍ଥଳୀ ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପ୍ରଦୀପ କୁମାର ପ୍ରଧାନଙ୍କ ସଂଯୋଜନାରେ ଆରସିଡିସିର କାର୍ଯ୍ୟକ୍ରମ ପରିଚାଳକ ଆନନ୍ଦ ସେଠୀ ଯୋଗଦେଇ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ମାନଙ୍କ ବିଭିନ୍ନ ସମସ୍ୟାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବନବାସୀ ଚେତନାମଣ୍ଡଳ ଉପସ୍ଥାପନ କରିବାକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ନାଏକଙ୍କୁ ଆହ୍ୱାନ ଦେଇଥିଲେ। ଜନଜାତିଙ୍କ ଆବାସ୍ଥଳୀ ଅଧିକାର ପାଇଁ ଆରସିଡିସିର ଉଦ୍ୟମକୁ ତମାଳ ପ୍ରଧାନ ଧନ୍ୟବାଦ ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଭାଗିତାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ଚଳିତମାସ ଶେଷ ସୁଦ୍ଧା ଜନଜାତିଙ୍କ ଆବାସସ୍ଥଳୀ ଅଧିକାର ସମ୍ପର୍କିିତ ଦାବିଗୁଡିକୁ ଉପଖଣ୍ଡସ୍ତରୀୟ କମିଟି ନିକଟରେ ଦାଖଲ ପାଇଁ ଏହି କର୍ମଶାଳାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଶେଷରେ ନବଘନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.