‘ସ୍ୱତନ୍ତ୍ର ମାନ୍ୟତା’ ରାଜନୈତିକ ନାଟକ!

0
-୧୯୬୯ରେ ଆର୍‍.ଏନ୍‍.ସିଂହଦେଓ ଦେଇଥିଲେ ପ୍ରସ୍ତାବ, -୧୯୯୧ରେ ବିଜୁ ପଟ୍ଟନାୟକ କରିଥିଲେ ‘ସ୍ୱତନ୍ତ୍ର’ ଦାବି
-୨୦୦୧ ମସିହାରେ ନବୀନ ଲେଖିଥିଲେ ପ୍ରଥମ ଚିଠି,-୨୦୧୩ରେ ବିଧାନସଭାରେ ଗୃହୀତ ସର୍ବସମ୍ମତ ପ୍ରସ୍ତାବ

ସମ୍ବଲପୁର (ରଞ୍ଜିତ୍‍ ମହାନ୍ତି) : କେନ୍ଦ୍ରରେ ଅନେକ ସରକାର ଆସିଛି, ଅନେକ ଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ ଓଡ଼ିଶାର ମରୁଡ଼ି ଦେଖିବାକୁ ଅନେକ ନେତା ଏଠିକୁ ଆସିଛନ୍ତି, ଉଡ଼ାଜାହାଜରୁ ବନ୍ୟା ଓ ମହାବାତ୍ୟାର ଦୃଶ୍ୟ ଦେଖି ସହାନୁଭୂତି ଜଣାଇଛନ୍ତି; ହେଲେ ରାଜ୍ୟର ୫ ଦଶନ୍ଧିର ‘ସ୍ୱତନ୍ତ୍ର’ ମାନ୍ୟତା ଦାବିକୁ ମୋଡ଼ି ମକଚି ଡଷ୍ଟବିନ୍‍ରେ ଫିଙ୍ଗି ଦେଇଛନ୍ତି।
କଂଗ୍ରେସ, ଜନତା ଦଳ, ଜନତା ପାର୍ଟି, ବିଜେପି ବା ଏହି ଦଳଗୁଡ଼ିକର ଗଠିତ ମେଣ୍ଟ ଏନ୍‍ଡିଏ ବା ୟୁପିଏ କେହି ଓଡ଼ିଶାର ଦାବି ପ୍ରତି ସହାନୁଭୂତି ପ୍ରଦର୍ଶନ କରିନାହାନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅଂଶବିଶେଷ ବା ଭାଗୁଆଳି ହୋଇ ମଧ୍ୟ ରାଜ୍ୟର ରାଜନୈତିକ ଦଳ ଓ ନେତାମାନେ ଏହାର ଫାଇଦା ଉଠାଇ ପାରିନାହାନ୍ତି। ଆଖି ଦେଖାଇଥିଲେ ଯେଉଁ ଦାବି ଏକଦା ସମାଧାନ ହୋଇ ପାରିଥାଆନ୍ତା, ସେଥିପାଇଁ ଆଜି ଲଢ଼େଇକୁ ଓହ୍ଲାଇବାକୁ ପଡ଼ୁଛି। କ୍ଷୀଣ ସ୍ୱର, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ସମ୍ମିିଳିତ ପ୍ରେଚେଷ୍ଟା ଅଭାବରୁ ଓଡ଼ିଶା ଏବେ ‘ସ୍ୱତନ୍ତ୍ର’ ମାନ୍ୟତାଠାରୁ ଢେର୍‌ ଦୂରରେ ରହି ଯାଇଛି। ଆଉ ଯେତେବେଳେ ନିର୍ବାଚନ
ପାଖେଇ ଆସୁଛି ସେତେବେଳେ ଏହାକୁ ଆୟୁଧ କରି ରାଜନୈତିକ ଦଳଗୁଡ଼ିକ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି। ହାତରେ ଥିବା ସୁଯୋଗ ଛାଡ଼ି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ରାଜନୈତିକ ନାଟକ କରୁଛନ୍ତି। ୧୯୭୯ ମସିହାରେ ସ୍ୱତନ୍ତ୍ର ପାର୍ଟି ରାଜ୍ୟରେ ସରକାର ଚଳାଉଥିବାବେଳେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରଥମ କରି ବିଧିବଦ୍ଧ ଭାବରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓ ୨୦୦୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତି; କିନ୍ତୁ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିନାହିଁ। ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ବିଧାନସଭାରେ ୨୦୧୩ରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇ କେନ୍ଦ୍ରକୁ ସୁପାରିସ କରାଯାଇଛି। ତଥାପି କିଛି ଲାଭ ହୋଇ ନାହିଁ, ଓଲଟି ତତ୍‍କାଳୀନ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ମଣ୍ଟେକ୍‍ ସିଂହ ଆହ୍ଲୁୱାଇଆ ସ୍ୱତନ୍ତ୍ର ମାନ୍ୟତା ଲାଗି ଓଡ଼ିଶାର ଯୋଗ୍ୟତା ନାହିଁ ବୋଲି ସ୍ପଷ୍ଟ ଭାଷାରେ କହିଛନ୍ତି। ୨୦୧୩ରେ ପ୍ରକାଶିତ ରଘୁରାମ ରାଜନଙ୍କ ରିପୋର୍ଟରେ ଓଡ଼ିଶାଠାରୁ ବିହାର ସ୍ୱତନ୍ତ୍ର ପାହ୍ୟା ଲାଗି ଅଧିକ ଯୋଗ୍ୟ ବୋଲି ପରୋକ୍ଷରେ ଉଲ୍ଲେଖ କରାଯାଇଛି।
ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ଅବହେଳା ସାଙ୍ଗକୁ ରାଜ୍ୟର ରାଜନୈତିକ ଦଳ ଓ ଏହାର ନେତାମାନଙ୍କର ଆନ୍ତରିକତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରରେ ୨୦୦୪ ମସିହା ପର୍ଯ୍ୟନ୍ତ ଏନ୍‍ଡ଼ିଏ ସରକାର ରହିଥିଲା ଓ ବିଜେପି ନେତୃତ୍ୱାଧୀନ ଏହି ସରକାରରେ ବିଜେଡ଼ି ଅନ୍ୟତମ ପ୍ରମୁଖ ଅଂଶୀଦାର ଥିଲା। ୨୦୦୦ ମସିହାରେ ବିଜେଡ଼ି ଓଡ଼ିଶାରେ କ୍ଷମତାକୁ ଆସିବା ସମୟରେ ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟ ଥିଲା ବଡ଼ ବିକଳ। ଏପରିକି କର୍ମଚାରୀମାନଙ୍କ ମାସିକ ବେତନ ଦେବା ପାଇଁ ଓଭରଡ଼୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସେତେବେଳେ କାହିଁକି ବିଜେପି ଓ ବିଜେଡ଼ି ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିବା କ୍ଷେତ୍ରରେ ପଦକ୍ଷେପ ନେଲେ ନାହିଁ ? ବିଜେଡ଼ି କାହିଁ ଏହି ଦାବି ଜୋର କରି ପାରିଲା ନାହିଁ ଓ ବିଜେପି କାହିଁକି ଏହାକୁ ଗ୍ରହଣ କଲା ନାହିଁ ତାହା ଏବେ ବି ଅସମାଧିତ ପ୍ରଶ୍ନ। ଆଉ ଏବେ ଶିଳ୍ପ, ଭିତ୍ତିଭୂମି, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଗୁଆ ବୋଲି ଦାବିକରୁଥିବା ଓଡ଼ିଶା ଏବେ ସ୍ୱତନ୍ତ୍ର ମାନ୍ୟତା ଲାଗି ଦାବି କରିବା ବୋଧହୁଏ ସେହିଦୃଷ୍ଟିରୁ ଗ୍ରହଣଯୋଗ୍ୟ ହେବା କଷ୍ଟସାଧ୍ୟ। ମେଣ୍ଟରେ ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁଙ୍କ ନେତୃତ୍ୱାଧୀନ ଟିଡ଼ିପି ଯେଉଁ କାରଣ ପାଇଁ ୨୦୧୮ରେ କେନ୍ଦ୍ର ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ପାରିଲା, ସେତେବେଳେ ବାଜପେୟୀ ସରକାରରେ ଭାଗୁଆଳି ବିଜେଡ଼ି ଅନୁରୂପ ନିଷ୍ପତ୍ତି ନେଇଥିଲେ ବୋଧହୁଏ ଆଜି ଏହି ଦାବି ବାସ୍ତବରେ ପରିଣତ ହୋଇ ସାରିଥାଆନ୍ତା।
ଅନ୍ୟପକ୍ଷରେ ୧୦୍‍ ବର୍ଷ କାଳ କେନ୍ଦ୍ରରେ ସରକାର କରିଥିବା ୟୁପିଏ ଓ କଂଗ୍ରେସର ଆଭିମୁଖ୍ୟ ମଧ୍ୟ ସନ୍ଦେହଜନକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବାର ତତ୍‍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସ୍ୱତନ୍ତ୍ର ମାନ୍ୟତା ନେଇ ଅନ୍ୟୂନ ଅଧ ଡ଼ଜନେ ଚିଠି ଲେଖିଛନ୍ତି। ଓଡ଼ିଶାର ସାଂସଦମାନେ ସଂସଦଭବନ ପରିସରରେ ଧାରଣା ଦେଇଛନ୍ତି। ମାତ୍ର ତାହାକୁ ତତ୍‍କାଳୀନ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ନାହାନ୍ତି। ମାତ୍ର କେନ୍ଦ୍ରରେ ସରକାରରୁ ଅପସରି ଯିବା ପରେ ଏବେ ରାଜ୍ୟର କଂଗ୍ରେସ ନେତାମାନଙ୍କ ସ୍ୱର ପରିବର୍ତ୍ତନ ହୋଇ ଯାଇଛି। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟର ନେତାମାନଙ୍କର ଏବର ଦାବି ଦାବି କରିବା ଅନେକ କ୍ଷେତ୍ରରୁ ଅପ୍ରାସଙ୍ଗିକ ମନେ ହେଉନାହିଁ, ପକ୍ଷାନ୍ତରେ ସେମାନଙ୍କର ଆନ୍ତରିକତାକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜ ହାତରେ ଥିବା କ୍ଷମତାକୁ ଉପଯୋଗ କରିବା ପରିବର୍ତ୍ତେ କ୍ଷମତାହୀନ ହେବା ପରେ ଏଥିପାଇଁ ଦାବି କରିବା ସହଜରେ ଗ୍ରହଣ କରି ହେଉନାହିଁ।
‘ସ୍ୱତନ୍ତ୍ର’ ପ୍ରସଙ୍ଗରେ ରାଜ୍ୟ ବିଜେପିର ନୀତି ସମ୍ପୂର୍ଣ୍ଣ ଅସ୍ପଷ୍ଟ। ୨୦୦୪ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ଏନ୍‍ଡ଼ିଏ କ୍ଷମତାରେ ଥିବା ପର୍ଯ୍ୟନ୍ତ ମେଣ୍ଟ ଧର୍ମ ଅନୁସାରେ ନିଜର ସହଯୋଗୀ ଦଳ ଶାସିତ ରାଜ୍ୟର ବିକାଶ ପାଇଁ ଯେପରି ପଦକ୍ଷେପ ଗ୍ରହଣ କରାଯିବା କଥା ତାହା କରାଯାଇ ନାହିଁ। ଦଳର ତତ୍‍କାଳୀନ ରାଜ୍ୟ ନେତୃତ୍ୱ ଏପରି ଏକ ସ୍ପର୍ଶକାତର ପ୍ରସଙ୍ଗ ପରି ଗୁରୁତ୍ୱ ଦେଲେ ନାହିଁ। ସେତେବେଳେ ରାଜ୍ୟ ନେତୃତ୍ୱ ଯଦି ସେତେବେଳେ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାରେ ସମର୍ଥ ହୋଇଥାଆନ୍ତେ ତେବେ ଆଜି ହୁଏତ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା। ୨୦୧୦ ମସିହାରେ ଉତ୍ତରାଖଣ୍ଡକୁ ୟୁପିଏ ସରକାର ସ୍ୱତନ୍ତ୍ର ମାନ୍ୟତା ଦେବାରେ ସକ୍ଷମ ହୋଇପାରିଥିଲେ, ହେଲେ ୨୦୦୪ରେ କାହିଁକି ଓଡ଼ିଶା ସ୍ୱତନ୍ତ୍ର ମାନ୍ୟତା ପାଇ ନ ଥାନ୍ତା ତାହା ପ୍ରଶ୍ନବାସୀ ସୃଷ୍ଟି କରିଛି। ଏବେ ବିଭିନ୍ନ ସମୟରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ କେବଳ ପ୍ରତ୍ୟାଖ୍ୟାନ କରିନାହିଁ, ଏହି ଦାବିର ଯଥାର୍ଥତା ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠାଇଛି। ନିଜ ସଫଳତା ଗାଉଥିବା ବିଜେଡ଼ି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ଓଲଟି ସ୍ୱତନ୍ତ୍ର ମାନ୍ୟତାର ଆବଶ୍ୟକତାକୁ ନେଇ କଟାକ୍ଷ କରିଛି।

Leave A Reply