BJD Bijuli 480×75 Mob

୬ ଜଣିଆ କମିଟି ଗଠିତ, ନିର୍ଦେଶାବଳୀ ପ୍ରସ୍ତୁତ

BJD Bijuli 480×75 Mob
0

୨୦୧୮-୧୯ ପାଇଁ ୧୬୯ କୋଟିର ବଜେଟ ଅନୁମୋଦିତ

ପୁରୀ  : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିରେ ମୋହର ମାରିଛି ପରିଚାଳନା କମିଟି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ନିମନ୍ତେ ବୁଧବାର ଅନୁଷ୍ଠିତ ବୈଠକରେ ସହମତି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ୬ଜଣିଆ କମିଟି ଗଠନ କରିବାକୁ ସ୍ଥିର ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ଏବଂ କୋର୍‍ କମିଟି ସଭ୍ୟଙ୍କ ଦ୍ୱାରା ରତ୍ନଭଣ୍ଡାରର ଛାତ, କାନ୍ଥ ଏବଂ ଚଟାଣ ଯାଞ୍ଚ କରାଯିବ। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପରିଚାଳନା କମିଟି ବୈଠକରେ ସୂଚନା ଦେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସଭାରେ ସରଗରମ ଆଲୋଚନା ହୋଇଛି। ରତ୍ନଭଣ୍ଡାର ଗହଣା ଗୁଡିକର ପୁନଃଆକଳନ ପ୍ରସ୍ତାବ ନଥିବା ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି। ନିର୍ମାଣ ଜନିତ ସ୍ଥିତି ଯାଞ୍ଚ ପରେ ଯଦି ମରାମତି ଆବଶ୍ୟକ ହୁଏ ତାହାଲେ ପରିଚାଳନା କମିଟିଙ୍କ ଅନୁମତିକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଗୁରୁବାର ଛତିଶା ନିଯୋଗ ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ସମୟ ନିର୍ଦ୍ଧାରଣ କରାଯିବ।
ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ପରିଚାଳନା, ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ଏବଂ ବିକାଶ ମୂଳକ କାର୍ଯ୍ୟ ପାଇଁ
୧୬୯କୋଟି ୫୦ଲକ୍ଷ ଟଙ୍କାର ଆୟବ୍ୟୟ ଅଟକଳ ଅନୁମୋଦନ କରାଯାଇଛି। ସେଥିରେ ସେବକ କଲ୍ୟାଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ବର୍ଷ ନୂତନ ଭକ୍ତନିବାସ ନିର୍ମାଣର ପ୍ରସ୍ତାବ ରହିଛି। ସେଥିପାଇଁ ବଜେଟରେ ୧୫କୋଟି ଟଙ୍କା ରଖାଯାଇଛି। ନିରାପତ୍ତା ଦୃଷ୍ଟିରୁ ୪ଟିଯାକ ଦ୍ୱାରରେ ଅତ୍ୟାଧୁନିକ ସ୍କାନର ଲଗାଯିବ। ଜଗମୋହନ ଓ ନାଟମଣ୍ଡପ ମରାମତି, ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ, ନରେନ୍ଦ୍ର ପୁଷ୍କରିଣୀ ପୁନରୁଦ୍ଧାର, ନୀଳାଦ୍ରି ବିହାର ସଂଗ୍ରହାଳୟ ସମ୍ପ୍ରସାରଣ, ଆନନ୍ଦ ବଜାର ଓ କୋଇଲି ବୈକୁଣ୍ଠ ବିକାଶ, ଗରିବ ସେବକଙ୍କ ପାଇଁ ଗୃହ ନିର୍ମାଣ ନିମନ୍ତେ ୧୦କୋଟି ଟଙ୍କା ରହିଛି।
ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ପାଇଁ ୫କୋଟି ଟଙ୍କା ଥିବା ବେଳେ ସେବକଙ୍କ ପରିବାର ପେନସନ ପାଇଁ ୩କୋଟି, ସ୍ୱାସ୍ଥ୍ୟବୀମା ୧କୋଟି ୨୦ଲକ୍ଷ, ରଥ ପୁରସ୍କାର ୨କୋଟି ୨୦ଲକ୍ଷ, ପାଳିଆ ସେବକଙ୍କ ନିମନ୍ତେ ୧୨କୋଟି ଟଙ୍କା ଖର୍ଚ୍ଚ କରାଯିବ। କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କୁ ମହାପ୍ରସାଦ ଦେବାପାଇଁ ୮୫ଲକ୍ଷ ଟଙ୍କା ରହିଛି। ରଥ ଉପରେ ଭକ୍ତଙ୍କ ନଚଢିବା କ୍ଷତିପୂରଣ ବାବଦରେ ଦଇତାପତିଙ୍କୁ ପ୍ରାୟ ୨କୋଟି ଟଙ୍କା ଦିଆଯିବ। ଶ୍ରୀଜୀଉଙ୍କ ଗହଣା ମରାମତି ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ରଥଯାତ୍ରା ପାଇଁ ୮କୋଟି, ଚନ୍ଦନଯାତ୍ରା, ଦୋଳଯାତ୍ରା, ଝୁଲଣ ଏବଂ ଷୋଳପୂଜା ନିମନ୍ତେ ୪୮ଲକ୍ଷ ଟଙ୍କା ରହିଛି। ଆୟ ବିଭାଗରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନକୁ ପ୍ରାଧାନ୍ୟ ଦିଆଯାଇଛି। ଜମିବିକ୍ରି ଓ ଖଣି ନିଲାମ ବାବଦରୁ ପ୍ରାୟ ୧୦କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ବିକ୍ରି କରାଯିବ।
ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ସୁରକ୍ଷା) ପ୍ରଫୁଲ ଚନ୍ଦ୍ର ମିଶ୍ର, ପ୍ରଶାସକ (ଉନ୍ନୟନ) ବିଶ୍ୱନାଥ ସାହୁ, ପରିଚାଳନା କମିଟି ସଭ୍ୟ ତଳୁଚ୍ଛ ନୀକଳଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଡଃ ସିଦ୍ଧେଶ୍ବର ମହାପାତ୍ର, ମାଧବ ମହାପାତ୍ର, ଅନନ୍ତ ତିଆଡି, ମାଧବ ପୂଜାପଣ୍ଡା, ମହୀମୋହନ ତ୍ରିପାଠୀ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ କୁମାର ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
Leave A Reply