ବେତନ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

0

ଦୃଷ୍ଟାନ୍ତ ସୃଷ୍ଟି କଲେ କାନାଡାର ଶତାଧିକ ଡାକ୍ତର

କ୍ୟୁବେକ୍‌ : ସାଧାରଣତଃ ବେତନ ବୃଦ୍ଧି ପ୍ରସ୍ତାବକୁ ସବୁସ୍ତରରେ ସ୍ୱାଗତ କରାଯାଇଥାଏ। ତେବେ ଏହି ପ୍ରସଙ୍ଗରେ କାନାଡାର ଶତାଧିକ ଡାକ୍ତର ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ବେତନ ବୃଦ୍ଧି ସଂକ୍ରାନ୍ତ ଏକ ପ୍ରସ୍ତାବକୁ ବିରୋଧ କରିବା ସହ ଏହି ଅର୍ଥକୁ ଦେଶର ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିବାକୁ କାନାଡାର ଡାକ୍ତରମାନେ ପାଲଟା ପ୍ରସ୍ତାବ ଦେଇଛନ୍ତି। କାନାଡାର କ୍ୟୁବେକ୍‌ ପ୍ରଦେଶରେ କାର୍ଯ୍ୟରତ ୫୦୦ରୁ ଊର୍ଦ୍ଧ୍ବ ଡାକ୍ତର ସେମାନଙ୍କର ବେତନ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ଚାପ ପକାଇଥିବା ଜଣାପଡିଛି। ଏହି ମର୍ମରେ ସେମାନେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ଅନଲାଇନରେ ଅପ୍‌ଲୋଡ କରିଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ଆର୍ଥôକ ଦୁର୍ଦ୍ଦଶା ଦେଇ ଗତି କରୁଥିବାବେଳେ ରୋଗୀମାନେ ମଧ୍ୟ ଆଶାନୂରୂପ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଡାକ୍ତରଙ୍କ ବେତନ ବୃଦ୍ଧି କରାନଯାଇ ସେହିଅର୍ଥକୁ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିବାକୁ ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। କ୍ୟୁବେକ୍‌ ପ୍ରଦେଶରେ କାର୍ଯ୍ୟରତ ପ୍ରାୟ ୯୫୦୦ ଡାକ୍ତରଙ୍କ ବେତନକୁ ବାର୍ଷିକ ୧.୮ ପ୍ରତିଶତ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ସେମାନଙ୍କୁ ବର୍ତ୍ତମାନ ଯେଉଁ ବେତନ ମିଳୁଛି, ସେଥିରେ ପରିବାରର ଭରଣପୋଷଣ ଭଲଭାବେ ହୋଇପାରୁଛି। ତେଣୁ ଡାକ୍ତରଙ୍କ ବେତନ ବୃଦ୍ଧି ପ୍ରସ୍ତାବକୁ କାର୍ଯ୍ୟକାରୀ ନ କରି ସେହି ଅର୍ଥକୁ ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଓ ରୋଗୀଙ୍କ ପାଇଁ ଖର୍ଚ୍ଚ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯଦି ଡାକ୍ତରଖାନାର ଅନ୍ୟ କର୍ମଚାରୀ ଓ ଚିକିତ୍ସିତ ହେଉଥିବା ରୋଗୀ ଉପକୃତ ହେବେ, ତେବେ ଏହା ଡାକ୍ତରଙ୍କ ପାଇଁ ସୁସମ୍ବାଦ ହେବ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି। ଅପରପକ୍ଷରେ କ୍ୟୁବେକ୍‌ର ସ୍ୱାସ୍ଥ୍ୟମନ୍ତ୍ରୀ ଗାଇଟାନ୍‌ ବାରେଟ୍‌ ଡାକ୍ତରଙ୍କ ଏଭଳି ପ୍ରସ୍ତାବକୁ ସ୍ୱୀକାର କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଡାକ୍ତରଖାନାର ଅନ୍ୟ କର୍ମଚାରୀ ଓ ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବାକୁ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ରହିଛି ଏବଂ ଡାକ୍ତରମାନେ ଏଥିପାଇଁ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Leave A Reply