mission shakti banner

ଭାରତ-ଶ୍ରୀଲଙ୍କା ମୁକାବିଲା

nua o banner
0

ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି-୨୦ 

କଲମ୍ବୋ : ଶ୍ରୀଲଙ୍କା ସ୍ୱାଧୀନତା ଲାଭ କରିବାର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମଦିନରେ ଆୟୋଜକ ଶ୍ରୀଲଙ୍କାର ମୁକାବିଲା କରିବ ଭାରତ। ଏହି ମ୍ୟାଚ୍‌ ସହ ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତ ଫେଭରିଟ୍‌। ତଥାପି ଟ୍ୱେଣ୍ଟି-୨୦ରେ ଫଳାଫଳର ଭବିଷ୍ୟବାଣୀ କରିବା କଷ୍ଟକର। ଗୋଟିଏ ଭଲ ଇନିଂସ କିମ୍ବା ଗୋଟିଏ ଭଲ ବୋଲିଂ ସ୍ପେଲ୍‌ ମ୍ୟାଚ୍‌ର ମଙ୍ଗ ମୋଡ଼ି ଦେଇପାରେ। ତଥାପି ଫର୍ମ ଓ ଦକ୍ଷତା ଭିତ୍ତିରେ ଭାରତ ଏହି ମ୍ୟାଚ୍‌ ଜିତିବ ବୋଲି କ୍ରିକେଟ ପଣ୍ଡିତ ଭବିଷ୍ୟବାଣୀ କରିଛନ୍ତି। ୧୯୯୮ରେ ଶ୍ରୀଲଙ୍କା ସ୍ୱାଧୀନ ହେବାର ୫୦ ବର୍ଷ ପୂରଣ ଉପଲକ୍ଷେ ଏହି ଦେଶରେ ମଧ୍ୟ ନିଦାହାସ୍‌ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା; ତେବେ ତାହା ଦିନିକିଆ ଟୁର୍ଣ୍ଣାମେଣ୍ଟ ଥିଲା।

ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିବା ଭାରତୀୟ ଦଳର କିଛି ପ୍ରମୁଖ ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଅଧିନାୟକ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, କୁଲଦୀପ ଯାଦବ ଓ ହାର୍ଦିକ ପାଣ୍ଡ୍ୟା। ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟ ଆଘାତଜନିତ କାରଣରୁ ଯଥାକ୍ରମେ ଦଳର ସବୁଠାରୁ ସଫଳ ଟ୍ୱେଣ୍ଟି୨୦ ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍‌ ଓ ସାକିବ୍‌ ଅଲ୍‌ ହାସନ୍‌ଙ୍କୁ ହରାଇଛି। ପ୍ରମୁଖ ଖେଳାଳି ବିଶ୍ରାମ ନେବା ସତ୍ତ୍ୱେ ଭାରତର ବ୍ୟାଟିଂ ମଜ୍‌ଭୁତ ରହିଛି। ରୋହିତ ଶର୍ମା, ଶିଖର ଧାୱନ, ମନୀଷ ପାଣ୍ଡେ, ସୁରେଶ ରୈନା, ଦିନେଶ କାର୍ତ୍ତିକ ଓ କେ.ଏଲ୍‌. ରାହୁଲ ଆନ୍ତର୍ଜାତିକ କ୍ରିକେଟ୍‌ରେ ବେଶ୍‌ ଅଭିଜ୍ଞ ଏବଂ ନିକଟ ଅତୀତରେ ସେମାନେ ଭଲ ପ୍ରଦର୍ଶନ କରିଛନ୍ତି। ରାହୁଲ ଜଣେ ସଫଳ ଟ୍ୱେଣ୍ଟି୨୦ ଖେଳାଳି ହେବା ସତ୍ତ୍ୱେ ଶିଖର ଧାୱନଙ୍କ ଉପସ୍ଥିତି ଯୋଗୁଁ ଖେଳିବାର ସୁଯୋଗ ପାଇନାହାନ୍ତି। ତେବେ ବିରାଟ କୋହଲି ଦଳରେ ନଥିବାରୁ ୩ନଂ ସ୍ଥାନରେ ରାହୁଲ ଖେଳିପାରନ୍ତି। ପୁଣି ବର୍ଷକ ପରେ ଦଳକୁ ଫେରିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସୁରେଶ ରୈନା ଭଲ ପ୍ରଦର୍ଶନ କରିଛନ୍ତି। ୩ଟି ଟ୍ୱେଣ୍ଟି୨୦ରେ ଏହି ବାମହାତି ୧୫, ୩୧ ଓ ୪୩ ରନ୍‌ର ଇନିଂସ ଖେଳିଛନ୍ତି। ମନୀଷ ପାଣ୍ଡେ ମଧ୍ୟ ଅପରାଜିତ ୨୯ ଓ ଅପରାଜିତ ୭୯ ରନ୍‌ର ଇନିଂସ ଖେଳିଛନ୍ତି। ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ୍‌ଙ୍କ ମଧ୍ୟରୁ ଜଣେ ୱିକେଟ ରକ୍ଷଣ କରିପାରନ୍ତି। ଅଲ୍‌ରାଉଣ୍ଡର ଭାବେ ତାମିଲନାଡ଼ୁର ଦୁଇ ଖେଳାଳି ୱାଶିଂଟନ ସୁନ୍ଦର କିମ୍ବା ବିଜୟ ଶଙ୍କର ଖେଳିପାରନ୍ତି। ପେସ୍‌ ବୋଲର ଭାବେ ସାର୍ଦ୍ଦୁଳ ଠାକୁର ଓ ଜୟଦେବ ଉନାଦ୍‌କତ ଖେଳିବା ନିଶ୍ଚିତ ହୋଇଥିବା ବେଳେ ସ୍ପିନର ଭାବେ ୟୁଜୁବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ। ତେବେ ଅକ୍ଷର ପଟେଲ ଓ ମହମ୍ମଦ ସିରାଜ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ବୋଲରଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭରକରେ।

ନିକଟରେ ଘରୋଇ ବାଂଲାଦେଶ ବିରୋଧରେ ୨-୦ରେ ଟ୍ୱେଣ୍ଟି୨୦ ସିରିଜ୍‌ ଶ୍ରୀଲଙ୍କା ଜିତିଥିଲା। କୁଶଳ ମେଣ୍ଡିସ୍‌ ଉଭୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦନୁଷ୍କା ଗୁଣତିଳକ, ଦାସୁନ ଶନକ ଓ ତିସାରା ପରେରା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ପେସ୍‌ ବୋଲର ସୁରଙ୍ଗା ଲାକ୍‌ମଲ ଭଲ ବୋଲର ଥିବା ବେଳେ ଆକିଲା ଧନଞ୍ଜୟ ଜଣେ ଭଲ ସ୍ପିନର। ଗୁଣତିଳକ, ଶନକ ଓ ଜୀବନ ମେଣ୍ଡିସ୍‌ ଗତ ସିରିଜ୍‌ରେ ଭଲ ବୋଲିଂ କରିଥିଲେ। ଶ୍ରୀଲଙ୍କା ପାଇଁ ମୁଖ୍ୟ ଆହ୍ୱାନ ହେବ ଭାରତୀୟ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନଙ୍କୁ ରୋକିବା। ଏଦୁହିଁଙ୍କ ବ୍ୟାଟ୍‌ ଚାଲିଲେ ବୋଲରଙ୍କ ପାଇଁ ଦୁଃସ୍ୱପ୍ନ ପାଲଟିଯିବ। ମୋଟଉପରେ ସେପରି ଭଲ ପ୍ରଦର୍ଶନ ନ କଲେ ଭାରତକୁ ପରାସ୍ତ କରିବା ଦିନେଶ ଚାନ୍ଦିମାଲଙ୍କ ଦଳ ପାଇଁ କଷ୍ଟକର ହୋଇପାରେ।

Leave A Reply