ନର୍ଥ ସାଉଣ୍ଡ୍, ୨୪।୮: ଏକ ଟେଷ୍ଟମ୍ୟାଚ୍ ବୋଲର ଭାବେ ଈଶାନ୍ତ ଶର୍ମା ପୁଣିଥରେ ତାଙ୍କ ଦକ୍ଷତା ଦେଖାଇଛନ୍ତି। ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟମ୍ୟାଚ୍ରେ ଈଶାନ୍ତ ୫ଟି ୱିକେଟ ନେଇଛନ୍ତି। ଫଳରେ ଭାରତ ଘରୋଇ ଦଳକୁ କଡ଼ା ମୁକାବିଲା ଦେବା ସହ ପ୍ରଥମ ଇନିଂସରେ ୭୫ ରନ୍ରେ ଆଗୁଆ ରହିଛି। ଭାରତ ପ୍ରଥମ ଇନିଂସରେ ୨୯୭ ରନ୍କରି ଅଲ୍ଆଉଟ ହେବା ପରେ ୱେଷ୍ଟଇଣ୍ଡିଜ୍ ଶନିବାର ୩ୟ ଦିନରେ ପ୍ରଥମ ଇନିଂସରେ ୨୨୨ ରନ୍ କରି ଅଲ୍ଆଉଟ ହୋଇଯାଇଛି। ପରେ ଭାରତ ୨ୟ ଇନିଂସ ଆରମ୍ଭକରି ଚା’ପାନ ବିରତି ସୁଦ୍ଧା ୩ ୱିକେଟ ହରାଇ ୯୮ ରନ୍ କରିପାରିଛି। ଫଳରେ ହାତରେ ୭ଟି ଦ୍ବିତୀୟ ଇନିଂସ ୱିକେଟ ବାକିଥାଇ ଭାରତ ଏବେ ୧୭୩ ରନ୍ରେ ଆଗରେ ରହିଛି।
ଭାରତ ୨ୟ ଇନିଂସ ଆରମ୍ଭ କରିବା ପରେ ଏହାର ଓପ୍ନର ୩୦ ରନ୍ ଯୋଡ଼ିଥିଲେ। ତେବେ ଅଳ୍ପ ବ୍ୟବଧାନରେ ଦୁଇ ଓପ୍ନର ଆଉଟ ହୋଇ ଯାଇଥିଲେ। ମୟଙ୍କ ଅଗ୍ରୱାଲ ୪୩ ବଲ୍ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ପରେ କେ.ଏଲ୍. ରାହୁଲ ଓ ଚେତେଶ୍ବର ପୂଜାରା ସ୍କୋର୍କୁ ୭୩ ରନ୍ରେ ପହଞ୍ଚାଇଥିଲେ। ରାହୁଲ ୮୫ ବଲ୍ରୁ ୪ଟି ଚୌକା ସହ ୩୮ ରନ୍କରି ଆଉଟ ହୋଇଥିଲେ। ଏହାର କିଛି ଓଭର ପରେ ଚେତେଶ୍ବର ପୂଜାରା ଗୋଟିଏ ଚୌକା ସହ ୨୫ ରନ୍କରି ବିଦାୟ ନେଇଥିଲେ। ଅଧିନାୟକ ବିରାଟ କୋହଲି ୧୪ ଓ ଅଜିଙ୍କ୍ୟ ରାହାଣେ ୫ ରନ୍କରି କ୍ରିଜ୍ରେ ଅଛନ୍ତି। ଅଫ୍ସ୍ପିନର ରୋଷ୍ଟନ୍ ଚେଜ୍ ୨ଟି ଓ ପେସ୍ ବୋଲର କିମାର ରୋଚ୍ ୨ଟି ୱିକେଟ ନେଇଛନ୍ତି।
ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ରୋଷ୍ଟନ୍ ଚେଜ୍ ୪୮ ଓ ସାଇ ହୋପ୍ ୨୪ ରନ୍ କରିଥିଲେ। ହେତ୍ମେୟର ଆକର୍ଷଣୀୟ ବ୍ୟାଟିଂକରି ୪୭ ବଲ୍ରୁ ୩ଟି ଚୌକା ସହ ୩୫ ରନ୍ କରିଥିଲେ। ୩ୟ ଦିନରେ ଅଧିନାୟକ ଜେସନ୍ ହୋଲ୍ଡର ଓ ମିଗୁଏଲ୍ କମିନ୍ସ ଲଢ଼ୁଆ ପ୍ରାୟ ୧ ଘଣ୍ଟା କାଳ ଭାରତୀୟ ଆକ୍ରମଣର ପ୍ରତିରୋଧ କରିଥିଲେ। ଦୁହେଁ ୯ମ ୱିକେଟ ପାଇଁ ୪୧ ରନ୍ ଯୋଡ଼ିଥିଲେ। କମିନ୍ସ ୪୫ ବଲ୍ ଖେଳି ଖାତା ଖୋଲି ପାରିନଥିଲେ। ହୋଲ୍ଡର ୬୫ ବଲ୍ରୁ ୫ଟି ଚୌକାମାରି ୩୯ ରନ୍ କରିଥିଲେ। ଈଶାନ୍ତ ଶର୍ମା ଏକ ଟେଷ୍ଟମ୍ୟାଚ୍ରେ ୯ମ ଥର ପାଇଁ ଏକ ଇନିଂସରେ ୫ଟି କିମ୍ବା ଅଧିକ ୱିକେଟ ନେଇଛନ୍ତି। ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ପାଇଥିଲେ।



