ନୱାଜ ସରିଫଙ୍କ ଝିଅ ମରିୟମ ଗିରଫ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତ୍ରୀ ମରିୟମ ନୱାଜଙ୍କୁ ନ୍ୟାଶନାଲ ଆକାଉଣ୍ଟିବିଲିଟି ବ୍ୟୁରୋ (ଏନଏବି) ଗୁରୁବାର ଗିରଫ କରିଛି। ମରିୟମଙ୍କୁ ଚୌଧୁରୀ ଚିନି କାରଖାନା ମାମଲାରେ ଗିରଫ କରାଯାଇଛି। ଲାହୋର ଜେଲରେ ବନ୍ଦୀ ଥିବା ନିଜ ବାପା ନୱାଜଙ୍କୁ ଭେଟିବାକୁ ଯାଇଥିବାବେଳେ ମରିୟମଙ୍କୁ ଏନଏବି ଗିରଫ କରିଛି। ମରିୟମଙ୍କୁ ଗୁରୁବାର ଦିନ ୩ଟା ସୁଦ୍ଧା ଏନଏବି ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ନପହଞ୍ଚିବାରୁ ତାଙ୍କୁ ଗିରଫ କରି ଏନଏବି ମୁଖ୍ୟାଳୟକୁ ନିଆଯାଇଛି।
ସୂଚନା ଅନୁଯାୟୀ ମରିୟମଙ୍କୁ ଚୌଧୁରୀ ଚିନି କାରଖାନା ନେଇ ଏକ ପ୍ରଶ୍ନାବଳୀ ଦିଆଯାଇଥିଲା। ଗୁରୁବାର ଦିନ ୩ଟା ସୁଦ୍ଧା ଏନଏବି ମୁଖ୍ୟାଳୟରେ ପହଞ୍ଚି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ କୁହାଯାଇଥିଲା। ପୂର୍ବରୁ ଥରେ ହାଜର ହୋଇନଥିବାରୁ ଏନଏବି ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ଏହା ପୂର୍ବରୁ ଜୁଲାଇ ୩୧ରେ ମରିୟମ ଏନଏବି ମୁଖ୍ୟାଳୟରେ ହାଜର ହୋଇ ନିଜ ବୟାନ ଦେଇଥିଲେ। ଏହି ଚିନି କାରଖାନାରେ ମରିୟମଙ୍କ ସବୁଠୁ ଅଧିକ ଶେୟାର ରହିଛି। ବେଆଇନ ଅର୍ଥ କାରବାର ପାଇଁ ନୱାଜଙ୍କ ପରିବାର ଲୋକେ ଚୌଧୁରୀ ଚିନି କାରଖାନାର ବ୍ୟବହାର କରିଥିବା ଅଭିଯୋଗ ରହିଛି।
Comments are closed.