www.samajalive.in
Monday, December 15, 2025
17.1 C
Bhubaneswar

୧୪ ଦିନ ପରେ କୋଇଲା ଖଣି ବନ୍ଦ ଆନ୍ଦୋଳନ ହଟିଲା

ତାଳଚେର : ଅନୁଗୋଳ ଜିଲାପାଳ କାର୍ଯ୍ୟାଳୟରେ ମଙ୍ଗଳବାର ଖଣି ବନ୍ଦ ଆନ୍ଦୋଳନ ନେଇ ବୈଠକ ହେବା ପରେ ୧୪ ଦିନ ଧରି ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।
୨୪ ତାରିଖରୁ ତାଳଚେରର ୧୦ଟି କୋଇଲା ଖଣିରେ ବିଭିନ୍ନ ରାଜନୈତିକ ଦଳ ଓ ଗ୍ରାମବାସୀଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆଜି ଜିଲା ପ୍ରଶାସନ ସହ ଆଲୋଚନା ହେବା ସହିତ ଭରତପୁର କୋଇଲା ଖଣିରେ ମାଟିରେ ପୋତିହୋଇଥିବା ୪ ଜଣ ମୃତକ ଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଠିକା ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ଗତ ୨୩ ତାରିଖ ବିଳମ୍ବିତ ରାତ୍ରିରେ ଏମ୍‍ସିଏଲ୍‍ ଅଧୀନସ୍ଥ ଭରତପୁର କୋଇଲା ଖଣିରେ କୃତ୍ରିମ ପାହାଡ଼ ଧସି ପଡିବାରୁ ୪ ଜଣ ଶ୍ରମିକ ମାଟିରେ ପୋତି ହୋଇ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ଏହି ଘଟଣା ନେଇ ବିଜେପି ଓ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ବାବଦରେ ୧ କୋଟି ଟଙ୍କା ସହ ମୃତକଙ୍କ ପରିବାରକୁ ଏମ୍‍ସିଏଲ୍‍ରେ ସ୍ଥାୟୀ ନିଯୁକ୍ତି ମିଳିବା ଦାବି ନେଇ ୨୪ ତାରିଖଠାରୁ କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା। ୧୪ ଦିନ ଧରି କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ହୋଇପଡ଼ିବାରୁ ଏନ୍‍ଟିପିସି କଣିହାଁ, ତାଳଚେର ଥର୍ମାଲ୍‍, ନାଲ୍‍କୋ ତଥା ଦକ୍ଷିଣ ଭାରତର ବିଦ୍ୟୁତ୍‍ ପ୍ରକଳ୍ପଗୁଡ଼ିକରେ ଉତ୍କଟ କୋଇଲା ସଙ୍କଟ ଦେଖାଦେଇଛି।
ଏ ସମ୍ପର୍କରେ ଏମ୍‍ସିଏଲ୍‍ର ସିଏମ୍‍ଡି ତଥା ବରିଷ୍ଠ ନିର୍ଦେଶକମାନେ ବାରମ୍ବାର ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ବିଫଳ ହେବାରୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପ୍ରଥମେ ବିଜେପିର ଖଣି ବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିପାରିଥିଲେ। ତେବେ ପରେ ପରେ ମୃତକ ଶ୍ରମିକମାନଙ୍କର ଗୋବରା, ଲକେଇପଶି, ଶିବରାମପୁର ଓ କୁକୁଡାଙ୍ଗ ଗ୍ରାମବାସୀଙ୍କ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ପୁନଃ କରାଯାଇଥିଲା। ଏ ନେଇ ଏକ ଜଟିଳ ପରିସ୍ଥିତି ତାଳଚେର କୋଇଲା ଖଣି ଅଞ୍ଚଳରେ ସୃଷ୍ଟି ହୋଇଥିଲା। ତେବେ ବିଭିନ୍ନ କୋଇଲା ଖଣି ଶ୍ରମିକ ସଂଗଠନ, ଟ୍ରକ୍‍ ମାଲିକ ସଂଘ, କୋଲ୍‍ କଞ୍ଜ୍ୟୁମର୍ସ ଆସୋସିଏସନ୍‍ ଓ ମହାନଦୀ ଠିକା ଶ୍ରମିକ ସଂଘ ପକ୍ଷରୁ ଖଣି ଚାଲୁ କରିବା ପାଇଁ ଦାବି କରି ବିକ୍ଷୋଭ, ଧାରଣା ଓ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଆଜି ଏହି ଘଟଣା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍‍ପି ସନ୍ତୋଷ କୁମାର ମିଶ୍ର, ଏସ୍‍ଡିପିଓ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ମହାପ୍ରବନ୍ଧକ ଓ ଗ୍ରାମବାସୀ ଉପସ୍ଥିତ ରହି ଉପରୋକ୍ତ ନିଷ୍ପତ୍ତି ନିଆଯିବା ପରେ ଖଣି କାର୍ଯ୍ୟ ପୁଣି ଆଜି ଅପରାହ୍ଣରୁ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ମୃତକ ଶ୍ରମିକମାନଙ୍କ ପରିବାରର ଜଣଙ୍କୁ ଏମ୍‍ସିଏଲ୍‍ରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ ଏକମାସ ସମୟ ନେଇଥିବା ବୈଠକରେ ଏମ୍‍ସିଏଲ୍‍ ପକ୍ଷରୁ କୁହାଯାଇଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories