ପାଟକୁରା ନିର୍ବାଚନ; ବିଜେପି-ବିଜେଡି ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ବର : ପାଟକୁରା ନିର୍ବାଚନ ପ୍ରଚାର ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବୁଧବାର ପୂର୍ବାହ୍ନରେ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ୍‌ ଶୋ’ କରି ଦଳୀୟ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ସାଧାରଣ ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯେତିକି ଗୁରୁତ୍ବ ବହନ କରୁଥିଲା ଏବେ ପାଟକୁରା ବିଧାନସଭା ନିମନ୍ତେ ବିଜେଡି ସେତିକି ଜୋର୍‌ ଦେଉଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ହେଭିୱେଟ୍‌ ନେତାଙ୍କୁ ମଇଦାନରେ ପ୍ରଚାର ଅଭିଯାନରେ ସାମିଲ କରି ବିଜୟ ମହାପାତ୍ରଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ଏହି ବିଧାନସଭା ଆସନରୁ କିଏ ଜିତିବ ତାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ଚାଲିଥିବାବେଳେ ରାଜ୍ୟବାସୀ ଉତ୍ସୁକତାର ସହ କାହାର ଜିତାପଟ ହେଉଛି ତାକୁ ଅନାଁଇ ରହିଛନ୍ତି।
ଚଳିତ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ବିଜେପି କ୍ଷମତାସୀନ ହୋଇଥିବା ବେଳେ ପଞ୍ଚମଥର ପାଇଁ ରାଜ୍ୟରେ ନବୀନ ମୁଖ୍ୟମନ୍ତ୍ରୀଭାବେ ଶାସନଗାଦି ସମ୍ଭାଳିଛନ୍ତି । ଏହି ନିର୍ବାଚନର ଫଳାଫଳ କେନ୍ଦ୍ରରେ ବଢ଼ିବା ପାଇଁ ନୁହେଁ କିମ୍ବା ରାଜ୍ୟରେ ଗଢ଼ିବା ପାଇଁ ଆବଶ୍ୟକତା ପଡ଼ିବ ନାହିଁ। ତଥାପି ଏହି ନିର୍ବାଚନ ଯେଭଳିଭାବେ ବିଜେଡି ଗୁରୁତ୍ବ ଦେଇ ଜିତିବା ପାଇଁ ପ୍ରୟାସ କରୁଛି ଓ ବିଜେପିର ପ୍ରାର୍ଥୀ ବିଜୟ ମହାପାତ୍ର ନିର୍ବାଚନ ଲଢ଼ୁଥିବାରୁ ରାଜନୈତିକ ଉଷ୍ମତା ସରଗରମ ହୋଇଛି । ପାଟକୁରା ବିଧାନସଭା ଆସନରେ ବିଜୟ ଲକ୍ଷ୍ୟ ହାସଲ ନେଇ ବିଜେଡି ଓ ବିଜେପି ଯେଉଁ ଆଭିମୁଖ୍ୟ ନେଇ ରଣାଙ୍ଗନକୁ ଓହ୍ଲାଇଛନ୍ତି କଂଗ୍ରେସ ଏହି ଦୁଇଦଳର ପ୍ରଚାରରେ ସମକକ୍ଷ ହୋଇପାରୁନାହିଁ । ଗୋଟିଏ ଦିନ ପୂର୍ବରୁ ନବୀନଙ୍କ ରୋଡ୍‌ ଶୋ’ ପାଟକୁରାବାସୀଙ୍କୁ କେତେ ପ୍ରଭାବିତ କରିବ ତାହା ଫଳାଫଳରୁ ଜଣାପଡ଼ିବ। ବିଜେପି ପ୍ରାର୍ଥୀ ବିଜୟଙ୍କ ରାଜନୈତିକ ଜୀବନ ପଥରେ ଏହା ତାଙ୍କ ପାଇଁ ବଡ଼ ପରୀକ୍ଷା। ବିଜୟ ପାଟକୁରାବାସୀଙ୍କ ସହାନଭୂତିକୁ ପାଥେୟ କରି ନିର୍ବାଚନ ବୈତରଣୀ ପାରହେବା ପାଇଁ ଢେର୍‌ ଆଶା ରଖିଛନ୍ତି । ବିଜେଡିର ପ୍ରଭାବଶାଳୀ ପ୍ରଚାର ଚାଲିଥିବାବେଳେ ବିଜେପି ଅନୁରୂପ ଭାବେ ଦମ୍‌ଦାର୍‌ ପ୍ରଚାର କରିପାରି ନାହିଁ। କିନ୍ତୁ ବିଜୟ ମହାପାତ୍ର ପ୍ରାଣମୂର୍ଚ୍ଛା ଭାବେ ନିର୍ବାଚନ ପ୍ରଚାର ଲାଗି ସାଧାରଣ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି। ଗରଦପୁର ଓ ଡେରାବିଶ ବ୍ଲକରେ ବିଜେଡିରେ ଦୁଇଗୋଷ୍ଠୀ ମଧ୍ୟରେ ରହିଥିବା ଅସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ଦୂରୀଭୂତ ହୋଇପାରିବ ବୋଲି ବିଜେଡି ବିବେଚନା କରିଛି। ବିଜେଡି ବିପୁଳ ଅର୍ଥ ପାଟକୁରାରେ ବାଣ୍ଟିବାକୁ ଭୋଟ ହାତେଇବାକୁ ହୀନ ପ୍ରୟାସ କରୁଛି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।
ବୁଧବାର ବିଜେପିର ଏକ ପ୍ରତିନିଧି ଦଳ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ବିଜେଡି ପ୍ରାର୍ଥିନୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ପ୍ରମାଣ ଚିତ୍ର ସେମାନଙ୍କ ପାଖରେ ଥିବା ଦାବି କରିଛନ୍ତି । ଅବାଧ ନିରପେକ୍ଷ ନିର୍ବାଚନ ଉପରେ ନିର୍ବାଚନ ଅଧିକାରୀ ଦୃଷ୍ଟିଦେବାକୁ ବିଜେପି ଅନୁରୋଧ କରିଛି । ରାଜନୈତିକ ଘାତପ୍ରତିଘାତ ଭିତରେ ୩ଥର ନିର୍ବାଚନ ହାରିଥିବା ବିଜୟ ମହାପାତ୍ରଙ୍କ ପାଇଁ ଏହା ନିର୍ଣ୍ଣାୟକ ଲଢ଼େଇ  ନିର୍ବାଚନରେ ବିଜୟଙ୍କ ବିଜୟପଥ ଅବରୋଧ କରି ଆସିଥିବା ବିଜେଡି ପାଇଁ ମଧ୍ୟ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ । ଶାସନ କ୍ଷମତାରେ ଥିବା ବିଜେଡି ଏହି ଆସନ ବିଜୟଙ୍କୁ କୌଣସିମତେ ଛାଡ଼ିବାକୁ ଚାହୁଁନାହିଁ । ପାଟକୁରା ବିଧାନସଭା ଅଞ୍ଚଳରେ ବିଜେଡିର ବିଧାୟକ, ମନ୍ତ୍ରୀ ଛାଉଣି ପକାଇଥିବାବେଳେ ବିଜେପିର ଦୁଇଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟଙ୍କ ସପକ୍ଷରେ ଭୋଟମାଗି ପ୍ରଚାର ଚଳାଇଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯଦିବା ଲୋକସଭା ନିର୍ବାଚନ ହାରିଯାଇଛନ୍ତି ତେବେ ବିଜୟଙ୍କୁ ଜିତାଇ ନିଜର କ୍ଷତ ଭରଣା କରିବାକୁ ପ୍ରୟାସ କରିଛନ୍ତି ।

kalyan agarbati

Comments are closed.