ଆକାଶ ମାର୍ଗ ଖୋଲିଲା ପାକିସ୍ତାନ; ଭାରତ ଆଶ୍ବସ୍ତ

0

ନୂଆଦିଲ୍ଲୀ/ଇସଲାମାବାଦ : ଅନ୍ୟ ଦେଶର ବେସାମରିକ ବିମାନ ଉଡାଣ ନିମନ୍ତେ ପାକିସ୍ତାନ ଏହାର ଆକାଶ ମାର୍ଗକୁ ଉନ୍ମୁକ୍ତ କରିଛି। ଫେବୃଆରୀ ୨୬ରେ ବାଲାକୋଟ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରଠାରୁ ପାକିସ୍ତାନ ଏହାର ଆକାଶ ମାର୍ଗରେ ଅନ୍ୟ ଦେଶର ବିମାନ ଉଡାଣକୁ ବନ୍ଦ ରଖିଥିଲା। ମଙ୍ଗଳବାର ପାକିସ୍ତାନ ସରକାର ନିଷ୍ପତ୍ତିର ପରିବର୍ତ୍ତନ ପୂର୍ବକ ଅନ୍ୟ ଦେଶ ବିମାନ ଉଡାଣକୁ ଅନୁମତି ଦେଇଛନ୍ତି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଦେଶର ଆକାଶମାର୍ଗ ସମସ୍ତ ପ୍ରକାର ବେସାମରିକ ବିମାନ ଉଡାଣ ଲାଗି ଖୋଲାଯାଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଭାରତର ବିମାନ କମ୍ପାନୀଙ୍କୁ ବଡ ଆଶ୍ବସ୍ତି ଆଣିଦେଇଛି। ବିଶେଷକରି ଭାରତର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏଥରୁ ବହୁତ ଲାଭବାନ ହେବ। ଏହା ସହିତ ଘରୋଇ ବିମାନ କମ୍ପାନୀ ଓ ଯାତ୍ରୀମାନେ ମଧ୍ୟ ଲାଭବାନ ହେବେ। ନୂଆଦିଲ୍ଲୀରୁ ନ୍ୟୁୟର୍କ, ୱାଶଂିଟନ, ଲଣ୍ଡନ, ପ୍ୟାରିସ, ବର୍ମିଙ୍ଗହାମକୁ ବିମାନ ଯାତ୍ରା ସମୟ ୪ରୁ ୫ଘଣ୍ଟା ହ୍ରାସ ପାଇବ। କେବଳ ସମୟ ନୂହେଁ; ଆର୍ଥିକ ଦୃଷ୍ଟିରୁ ମଧ୍ୟ ବିମାନ କମ୍ପାନୀମାନେ ବହୁତ ଲାଭବାନ ହେବେ। ପାକିସ୍ତାନର ଆକାଶମାର୍ଗ ବନ୍ଦ ଦ୍ବାରା ଭାରତର ବିମାନ କମ୍ପାନୀଗୁଡିକ ବହୁତ କ୍ଷତି ସହି ଆସୁଥିଲେ। ଜୁନ ୨୦ ତାରିଖ ସୁଦ୍ଧା ଭାରତୀୟ ବିମାନକମ୍ପାନୀଗୁଡିକ ୫୫୦କୋଟି ଟଙ୍କା କ୍ଷତି ସହିଛନ୍ତି। ଜୁଲାଇ ୨ ତାରିଖ ସୁଦ୍ଧା ଏୟାର ଇଣ୍ଡିଆ ଏକାକୀ ୪୯୧ କୋଟି ଟଙ୍କା କ୍ଷତି ସହିଛି। ସେହିପରି ମେ ୩୧ ସୁଦ୍ଧା ଇଣ୍ଡିଗୋ କମ୍ପାନୀ ୨୫.୧କୋଟି ଟଙ୍କା ଓ ଜୁନ୍ ୨୦ ସୁଦ୍ଧା ସ୍ପାଇସ ଜେଟ୍ ଓ ଗୋ ଏୟାର ୩୦.୭୩ କୋଟି ଟଙ୍କ କ୍ଷତି ସହିଥିବା ଆକଳନ କରାଯାଇଛି। ଏୟାର ଇଣ୍ଡିଆ ନ୍ୟୁୟର୍କ, ୱାଶିଂଟନ, ସାନ ଫ୍ରାନସିସ୍କୋକୁ ସିଧା ବିମାନ ଚଳାଚଳ କରୁଛି। ସେହିପରି ୟୁରୋପୀୟ ରାଷ୍ଟ୍ର ମଧ୍ୟରେ କୋପେନହେଗେନ, ମାଦ୍ରିଦ୍, ପ୍ୟାରିସ, ଲଣ୍ଡନ ଓ ବର୍ମିଙ୍ଗହାମକୁ ଏୟାର ଇଣ୍ଡିଆର ସିଧା ବିମାନ ସେବା ଉପଲବ୍ଧ ରହିଛି।
ଆକାଶ ମାର୍ଗରେ ବିମାନ ଉଡାଣ ଅନୁମତି ଲାଗି ପୂର୍ବରୁ ପାକିସ୍ତାନକୁ ଭାରତ ଅନୁରୋଧ କରିଥିଲା। ଜବାବରେ ପାକିସ୍ତାନ କହିଥିଲା ଯେ ଭାରତ ଏହାର ଆଗୁଆ ଘାଟି ଗୁଡିକରୁ ଯୁଦ୍ଧବିମାନ ପ୍ରତ୍ୟାହାର କଲେ ବିମାନ ଉଡାଣ ଅନୁମତି ଦିଆଯିବ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ଏହାର ଆକାଶ ମାର୍ଗକୁ ସାମୟିକ ବନ୍ଦ କରିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା।

kalyan agarbati
Leave A Reply