ଗର୍ଭପାତକୁ ଅପରାଧମୁକ୍ତ କରିବାକୁ ଆବେଦନ; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ,୧୫ା୭(ପିଟିଆଇ): ମହିଳାଙ୍କ ଗର୍ଭପାତକୁ ଅପରାଧମୁକ୍ତ କରିବା ନେଇ ହୋଇଥିବା ଏକ ଆବେଦନ ଭିତ୍ତିରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସ୍ବାତୀ ଅଗ୍ରୱାଲ, ଗାରିମା ସେକସେରିଆ ଓ ପ୍ରାଚୀ ଭଟ୍ଟ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରି ଗର୍ଭପାତକୁ ଅପରାଧମୁକ୍ତ କରିବାକୁ ଦାବି କରିଛନ୍ତି। ତିନି ମହିଳାଙ୍କର ଜନସ୍ବାର୍ଥ ମାମଲାକୁ ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ଗ୍ରହଣ ପୂର୍ବକ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ (ଏମଟିପିଏ) ଅନୁଯାୟୀ ମହିଳାମାନେ ସ୍ବଇଚ୍ଛାରେ ଗର୍ଭପାତ କରାଇପାରିବେ ନାହିଁ। ଏମଟିପିଏ ଅନୁଯାୟୀ ୨୦ ସପ୍ତାହରୁ ଅଧିକ ଦିନର ଗର୍ଭକୁ ଗର୍ଭପାତ କରାଇବା ପାଇଁ ଡାକ୍ତରଙ୍କ ଅନୁମତି ଆବଶ୍ୟକ। ଗର୍ଭସ୍ଥ ଭ୍ରୁଣ ମା’ର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲେ ଗର୍ଭପାତ ଲାଗି ଅନୁମତି ଦିଆଯାଇପାରିବ। ତେବେ ଏପରି ଆଇନ ମହିଳାଙ୍କ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଆବେଦନରେ ଦର୍ଶାଯାଇଛି। ଏହା ମହିଳାଙ୍କ ସ୍ବାସ୍ଥ୍ୟ, ଗୋପନୀୟତା ଓ ସ୍ବଇଚ୍ଛାରେ ସନ୍ତାନ ଜନ୍ମ ଅଧିକାରୀକୁ କ୍ଷୁର୍ଣ୍ଣ କରୁଛି। ଆଇନରେ ରହିଥିବା ବ୍ୟବସ୍ଥା ମହିଳାଙ୍କ ସ୍ବଇଚ୍ଛାରେ ସନ୍ତାନ ଜନ୍ମ ଦେବାର ଅଧିକାର ଉପରେ ଅନେକ କଟକଣା ଧାର୍ଯ୍ୟ କରିଛି। ଏହା ବଞ୍ଚିବାର ଅଧିକାର, ସମ୍ମାନ, ସ୍ବାୟତ୍ତତା ଓ ନିଜସ୍ବ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି।
ଆବେଦନରେ ଏମଟିପିଏର ଧାରା ୩(୨)(ଖ)କୁ ଅସାମ୍ବିଧାନିକ ଓ ଅବୈଧ ଘୋଷଣା କରିବାକୁ ଦାବି କରାଯାଇଛି। ଧାରା ୩(୨)(ଖ) ଅନୁଯାୟୀ ୨୦ ସପ୍ତାହରୁ ଅଧିକ ଦିନର ଭ୍ରୁଣକୁ ଗର୍ଭପାତ କରାଯାଇପାରିବ ନାହିଁ। ରାଷ୍ଟ୍ର ଜଣେ ମହିଳାଙ୍କୁ ନିଜ ଅନିଚ୍ଛା ସତ୍ତ୍ବେ ଗର୍ଭଧାରଣ ଲାଗି ବାଧ୍ୟ କରିପାରିବ ନାହିଁ। ଗର୍ଭଧାରଣ ଯୋଗୁଁ ମହିଳା ଜଣଙ୍କ ଶାରୀରିକ, ମାନସିକ ଓ ଆର୍ଥିକ କ୍ଷେତ୍ରରେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ସେଥିଲାଗି ରାଷ୍ଟ୍ର ଦାୟୀ ହୋଇ ନଥାଏ। ତେଣୁ ମହିଳାଙ୍କୁ ସ୍ବଇଚ୍ଛାରେ ଗର୍ଭପାତ ଲାଗି ଅନୁମତି ପ୍ରଦାନ କରାଯିବା ଦରକାର ବୋଲି ମହିଳାମାନେ ସେମାନଙ୍କ ଜନସ୍ବାର୍ଥ ଆବେଦନରେ ଦାବି କରିଛନ୍ତି।
Comments are closed.