ରତ୍ନବେଦୀକୁ ବାହୁଡ଼ିଲେ ଦାରୁବ୍ରହ୍ମ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଷାଢ ଶୁକ୍ଳ ଚତୁର୍ଦଶୀ ତିଥିରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ନୀଳାଦ୍ରି ବିଜେ କରିଛନ୍ତି । ସମ୍ମିଳିତ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପହଣ୍ଡି ଦେଖି ଆନନ୍ଦରେ ବିଭୋର ହୋଇଛନ୍ତି। ରତ୍ନବେଦୀରେ ଦାରୁବ୍ରହ୍ମଙ୍କ ନୀତିକାନ୍ତି ଆରମ୍ଭ ହୋଇଛି।
ସୋମବାର ରଥରେ ସନ୍ଧ୍ୟାଧୂପ ପରେ ଚାରମାଳ ଫିଟା ଯାଇଥିଲା। ଅପରାହ୍ଣ ୪ଟା ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡିଯାତ୍ରା। ମଦନମୋହନ ଏବଂ ରାମକୃଷ୍ଣ ରଥଉପରୁ ଦକ୍ଷିଣିଘରକୁ ବିଜେ କରିଥିଲେ । ଶ୍ରୀସୁଦର୍ଶନଙ୍କ ସମେତ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ଗୋଟିପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ । ଶ୍ରୀଜୀଉଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିଲା ଆକର୍ଷଣୀୟ ଟାହିଆ। ସେବକଙ୍କ ଗହଣରେ ଝୁଲି ଝୁଲି ନୀଳକନ୍ଦରକୁ ବିଜେ କରିଥିଲେ ପରଂବ୍ରହ୍ମ। ହରିବୋଲ ହୁଳହୁଳୀ ଧ୍ବନିରେ ଶ୍ରୀମନ୍ଦିର ସିଂହଦ୍ବାର କମ୍ପିଉଠିଥିଲା। ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବେଳେ ଲକ୍ଷ୍ମୀନାରାୟଣ କଳି ଅନୁଷ୍ଠିତ ହୋଇଥିଲା।
ଜଗତ୍‌ଜନନୀ ମହାଲକ୍ଷ୍ମୀ ଭେଟମଣ୍ଡପରେ ପ୍ରଭୁଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ। ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବାମାତ୍ରେ ଲକ୍ଷ୍ମୀଙ୍କ ନିର୍ଦେଶରେ ଭିତରୁ ଦୁଆର ବନ୍ଦ କରାଯାଇଥିଲା। ଦୁଆର ଖୋଲିବା ପରେ କାଳିଆଠାକୁର ଭିତରେ ପ୍ରବେଶ କରିଥିଲେ। ଜୟବିଜୟ ଦ୍ବାର ନିକଟରେ ବଚନିକା ହୋଇଥିଲା। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରାଇଥିଲେ ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା । ଏହାପରେ ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟା ଯାଇଥିଲା। ସେବକମାନେ ପ୍ରଭୁଙ୍କୁ ବନ୍ଦାପନା କରିଥିଲେ। ପହଣ୍ଡି ଶେଷହେବା ପରେ ରୁନ୍ଧାନୀତି ସମ୍ପନ୍ନ ହୋଇଥିଲା। ରତ୍ନସିଂହାସନରୁ ଚାରମାଳ ଫିଟା ଯାଇଥିଲା। ଚକ୍ରରାଜ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିଥିଲେ। ଚକାପୋଛା ଏବଂ ସିଂହାସନ ଧୁଆପରେ ମାଧବ, ଶ୍ରୀଦେବୀ ଏବଂ ଭୂଦେବୀ ସିଂହାସନକୁ ଯାଇଥିଲେ।
ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା ନୀତି ଅନୁ​ଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ସମେତ ପ୍ରଭୁଙ୍କୁ ପହୁଡ କରାଯାଇଛି। ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ସମୟରେ କେତେକ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପଂକ୍ତିଭୋଗ କରାଯାଇଥିଲା।
ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଗତ ୪ତାରିଖ ଦିନ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ। ଆଡ଼ପମଣ୍ଡପ ଲୀଳା ପରେ ଚତୁର୍ଦ୍ଧାମୂର୍ତ୍ତି ଶୁକ୍ରବାର ରଥରେ ବସି ବାହୁଡିଥିଲେ। ଶନିବାର ଦ୍ବାଦଶୀ ତିଥିରେ ତିନିରଥରେ ଦାରୁବ୍ରହ୍ମଙ୍କୁ ବଡ଼ତଢାଉ ବେଶ ତଥା ସୁନାବେଶ କରାଯାଇଥିଲା। ମହଣ ମହଣ ରତ୍ନଖଚିତ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। ରବିବାର ଅଧରପଣା ନୀତି ସମ୍ପନ୍ନହେବା ପରେ ସୋମବାର ଦାରୁବ୍ରହ୍ମ ନୀଳାଦ୍ରି ବିଜେ କରିଛନ୍ତି। ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରସାଦ ଉପଲବ୍ଧ ହେବ। ଏହାକୁ ନୀଳାଚଳ ଅବଢା ବୋଲି କୁହାଯାଏ।

kalyan agarbati

Comments are closed.