ପାଟକୁରା ନିର୍ବାଚନ: ଦଳ ନୁହେଁ; ବ୍ୟକ୍ତିତ୍ବର ଲଢ଼େଇ
ଭୁବନେଶ୍ୱର : ଦୁଇ ଦୁଇ ଥର ନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି ପାଟକୁରାରେ ଭୋଟ। ସ୍ଥିତି ଯେଉଁଦିଗକୁ ମୁହଁାଉଛି ସେଥିରୁ ବୁଝାପଡ଼ୁଛି ଯେ ଏଥର ପାଟକୁରାରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେବାକୁ ଯାଉଛି। ପାଟକୁରା ଆସନ ହାତେଇବା ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ରାଜନୈତିକ ଦଳଗୁଡ଼ିକ ଏବେ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ଯାଉଛନ୍ତି। ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିବା ବିଜୁ ଜନତା ଦଳ ଓ ବିଜେପି ଭିତରେ ବଳ କଷାକଷି ଆରମ୍ଭ ହୋଇଯାଇଛି।
ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଏବେ ପ୍ରଚାରକୁ ଜୋରଦାର କରାଯାଇଛି। ତିନି ଦଳର ତାରକା ପ୍ରଚାରକ ଡ଼େରାବିଶି, ଗରଦପୁର ଓ ମାର୍ଶାଘାଇର କିଛି ପଞ୍ଚାୟତକୁ ନେଇ ଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ଡ଼େରା ପକାଇଛନ୍ତି। ଗଁାରୁ ଗଁା ପ୍ରଚାର ଗାଡ଼ି ଘୂରିବୁଲୁଛି। ସବୁ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ସହିତ ଘରକୁ ଘର ଯାଇ ପ୍ରଚାର ଚାଲିଛି। ତେବେ ରାଜନୈତିକ ଦଳର ନେତା ଓ କର୍ମୀମାନେ ପ୍ରଚାର କାଳରେ କେତେକ ସ୍ଥାନରେ ଭୋଟରଙ୍କ ରୋଷର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଡ଼େରାବିଶି ବ୍ଲକରେ ବିଜେଡ଼ିର ସ୍ଥିତି ବିରୋଧୀ କଂଗ୍ରେସ ଓ ବିଜେପିଠାରୁ ଅପେକ୍ଷାକୃତ ଭଲ ଥିବା ନେଇ ଚର୍ଚ୍ଚା ଚାଲିଥିଲେ ବି ତୃଣମୂଳ ସ୍ତରରେ କିନ୍ତୁ ପରିସ୍ଥିତି ଭିନ୍ନ। ଅଧିକାଂଶ ଗ୍ରାମରେ ବିଜେଡ଼ି ମୁଖିଆଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା, ବିଶ୍ବାସ ରହିଛି। ନେତାଙ୍କ ଲୋକପ୍ରିୟତା ଲକ୍ଷ୍ୟ କରାଯାଉଛି। ମାତ୍ର ବିଗତ ଦିନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ଯେଉଁ ଅନୁପାତରେ ହେବା କଥା ତାହା ସମ୍ଭବ ହୋଇନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। କେଉଁଠି ଲୋକେ କାଳିଆ ଟଙ୍କା ପାଇ ନାହାନ୍ତି ତ ଆଉ କେଉଁଠି ରାସନ କାର୍ଡ଼ ଏବଂ ଛୋଟବଡ଼ କାମ ପାଇଁ ଲୋକଙ୍କୁ ହାତଗୁଞ୍ଜା ଦେବାକୁ ପଡ଼ୁଛି। ସରକାରୀ ଯୋଜନାରୁ ସେମାନଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଡ଼େରାବିଶି ବ୍ଲକର କିଛି ପଞ୍ଚାୟତରେ ଲୋକେ ଏଭଳି ଅଭିଯୋଗ କରିଛନ୍ତି। ଏଠିକାର ଅଡ଼ଙ୍ଗା-ମଲିକେଶରପୁର, ଗୋଲରାହାଟ ଓ ଡ଼ୁମୁକାହାଟ ଆଦି ଅଞ୍ଚଳରେ ଶଙ୍ଖ ଓ ଫୁଲ ଦଳର ପ୍ରାର୍ଥୀଙ୍କ ଭିତରେ ଜୋରଦାର ପ୍ରତିଦ୍ବନ୍ଦ୍ବିତା ଲକ୍ଷ୍ୟ କରାଯାଉଛି। ଭୋଟରଙ୍କ ମନ ଜିଣିବା ପାଇଁ ସେମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।
ଗତକାଲି ପାଟକୁରା ନିବାଚନ ମଣ୍ଡଳୀର ଗରଦପୁର ବ୍ଲକ ଅନ୍ତର୍ଗତ ନାଗଣପୁର, ବଡ଼ବେତରା, ଅରଖକୁଦା, ମଧୁଶାସନ, ସାନବେତରା, କୁସୁନୁପୁର ଆଦି ଅଞ୍ଚଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ଓ ଦଳର ବହୁ ବରିଷ୍ଠ ନେତା ବହୁ ଅଞ୍ଚଳ ବୁଲି ରୋଡ଼ ଶୋ କରି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଭୋଟ ଭିକ୍ଷା କରିଥିଲେ। ତେବେ ଏସବୁ ଅଞ୍ଚଳରେ କଂଗ୍ରେସର ପ୍ରଚାର ଗାଡ଼ି ବୁଲୁଥିଲେ ହେଁ ଆଖିଦୃଷ୍ଟିଆ ରୋଡ଼ ଶୋ ଦେଖିବାକୁ ମିଳିନାହିଁ।
ବିଜେଡ଼ିର ସ୍ଥିତି ଡ଼େରାବିଶିରେ ଭଲ ଥିବା କୁହାଯାଉଥିବାବେଳେ ଗରଦପୁର ବ୍ଲକର ପ୍ରାୟ ସବୁ ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତରେ ବିଜେଡ଼ି ଓ ବିଜେପି ଭିତେର କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ତେବେ ଗରଦପୁର ଓ ମାର୍ଶାଘାଇର ଅଧିକାଂଶ ପଞ୍ଚାୟତରେ ବିଜେଡ଼ିର ନେତା ଓ କର୍ମୀଙ୍କ ଭିତରେ ବିଭିନ୍ନ କାରଣକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଟକୁରାରେ ବିଜେପିର ହାୱା ଅପେକ୍ଷା ବିଜୟଙ୍କ ହାୱା ଅଧିକ ରହିଥିବା ଲକ୍ଷ୍ୟ କରାଯାଉଛି। ଦୀର୍ଘ ଦୁଇ ମାସ ଧରି ବିଜୟ ବିଭିନ୍ନ ପଞ୍ଚାୟତ ବୁଲି ଲୋକସମ୍ପର୍କ ମଜଭୁତ ସ୍ଥିତିକୁ ଆଣିବାକୁ ପ୍ରୟାସ କରିଛନ୍ତି।
ଏଠାରେ ବିଜେଡ଼ି ବିଜେପି ଭିତରେ ଲଢ଼େଇ ନୁହେଁ ଲଢ଼େଇ ନବୀନ ଓ ବିଜୟଙ୍କ ଭିତରେ ହେଉଛି ବୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି।
ନିର୍ବାଚନ ଆଉ ୪ଦିନ ବାକି ଥିବାବେଳେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ହୃଦ୍ସ୍ପନ୍ଦନ ବଢ଼ିବାରେ ଲାଗିଛି। ଆସନ୍ତା ୧୭ରେ ବିଜେଡ଼ି ସଭାପତି ପାଟକୁରା ନିର୍ବାଚନ ପ୍ରଚାରରେ ଯାଇ ବିଭିନ୍ନ ସଭାସମିତିରେ ଉଦବୋଧନ ଦେବା ସହିତ ବଡ଼ ଧରଣର ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।
Comments are closed.