ସରକାରୀ ଡିଗ୍ରୀ କଲେଜରେ ଶିକ୍ଷକ ସଙ୍କଟ
ଭୁବନେଶ୍ୱର : ସରକାରୀ ଡ଼ିଗ୍ରୀ କଲେଜରେ ବହୁ ସଂଖ୍ୟାରେ ପଦ ଖାଲିପଡ଼ିଛି। ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅଧିକାଂଶ କଲେଜରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ୪୫ଟି ଡ଼ିଗ୍ରୀ/ସ୍ବୟଂଶାସିତ ମହାବିଦ୍ୟାଳୟ ରହିଛି। ଏସବୁ କଲେଜରେ ୩୧ଟି ବିଷୟରେ ପାଠ ପଢ଼ାଯାଉଛି।
ଡିଗ୍ରୀ କଲେଜ ପାଇଁ ୟାର୍ଡ଼ଷ୍ଟିକ ଅନୁସାରେ ଜଣେ ଅଧ୍ୟାପକ ପିଛା ସପ୍ତାହକୁ ୨୫ କ୍ଲାସ ହିସାବରେ ରାଜ୍ୟରେ ୧୯୪୦ ଜଣ ଅଧ୍ୟାପକଙ୍କ ଆବଶ୍ୟକତା ରହିଛି। ମାତ୍ର ରାଜ୍ୟରେ ମଞ୍ଜୁରିପ୍ରାପ୍ତ ପଦ ସଂଖ୍ୟା ୧୩୨୦ ଥିବାବେଳେ ଏବେ ୧୦୧୯ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି। ଉଚ୍ଚଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଆଉ ୯୨୧ଟି ପଦ ସୃଷ୍ଟି କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଏଥିପ୍ରତି ବିଭାଗର ତତ୍ପରତା ନାହିଁ। ଉଚ୍ଚଶିକ୍ଷା ଓ ଅର୍ଥ ବିଭାଗ ତିନି ପର୍ଯ୍ୟାୟରେ ଡିଗ୍ରୀ କଲେଜରେ ଶିକ୍ଷକ ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଥିଲେ। ତଦନୁସାରେ ୨୦୧୭ ନଭେମ୍ବର ୨୫ରେ ଅର୍ଥ ବିଭାଗ ଅନୁମୋଦନ କ୍ରମେ ଉଚ୍ଚଶିକ୍ଷା ବିଭାଗ ୩୨୦ଟି ଅଧ୍ୟାପକ ପଦ ସୃଷ୍ଟି କରିଥିଲା। ଫାଇଲ ପୁନର୍ବାର ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଉଚ୍ଚଶିକ୍ଷା ନିର୍ଦେଶକ ୨୦୧୮ଜୁଲାଇ ୧୦ରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ବିଷୟ ଓ ପଦ ଅନୁସାରେ ସରକାରୀ ଡ଼ିଗ୍ରୀ କଲେଜରେ ୩୨୦ ପଦ ସୃଷ୍ଟି କରିବକୁ ପ୍ରସ୍ତାବ ଦେଇଥିଲେ। ଯାହା ଆବଶ୍ୟକ ଥିବା ୬୨୦ ପଦର ୫୦ଶତାଂଶରୁ ବି କମ ଅଟେ। ତେବେ ଏସବୁ ପଦ ପୂରଣ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପଦେକ୍ଷପ ଗ୍ରହଣ କରାଯାଇନାହିଁ। ଉଚ୍ଚଶିକ୍ଷା ବିଭାଗରେ ହୋଇଥିବା ଏକ ଅଡ଼ିଟ ରିପୋର୍ଟରୁ ଜଣାପଡ଼ିଛି ଯେ ସରକାରୀ ଡିଗ୍ରୀ କଲେଜର ସମସ୍ତ ବିଷୟରେ ଅଧ୍ୟାପକ ଅଭାବ ରହିଛି। ଏହାଛଡ଼ା ତେଲୁଗୁ, ଜିଓଲୋଜି ଓ ଇଂରାଜୀ ମଞ୍ଜୁରିପ୍ରାପ୍ତ ପଦରେ ୨୨ରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଧ୍ୟାପକଙ୍କ ଅଭାବ ରହିଛି। ବିଭିନ୍ନ କଲେଜରେ କେତେକ ବିଷୟ ନିହାତି ଆବଶ୍ୟକତା ଥାଇ ଖୋଲାଯାଇଥିଲେ ବି ଏଥିପାଇଁ ମଞ୍ଜୁରି ମିଳିନାହିଁ। ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ ଏବେ ଉତ୍କଟ ରୂପ ନେଉଛି। ଏହାଦ୍ବାରା ଗୁଣାତ୍ମକ ଶିକ୍ଷା ତ ଦୂରର କଥା ପିଲାମାନେ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବାୟୋଟେକ୍ନୋଲୋଜିରେ ୫ଟି ଏବଂ ଇଣ୍ଡିଆନ ମ୍ୟୁଜିକରେ ୩ଟି ଶିକ୍ଷକ ପଦର ଆବଶକତା ଥିବାବେଳେ ଏଠାରେ ଗୋଟିଏ ହେଲେ ମଞ୍ଜୁରିପ୍ରାପ୍ତ ପଦ ନାହିଁ। ସେହିପରି ବଲାଙ୍ଗିର ସରକାରୀ ମହିଳା ଡ଼ିଗ୍ରୀ କଲେଜ ଓ ବାରିପଦା ମହିଳା ଡ଼ିଗ୍ରୀ କଲେଜରେ ଇଭିଏସ, ବଲାଙ୍ଗିର ସରକାରୀ ଡ଼ିଗ୍ରୀ କଲେଜରେ ଶିକ୍ଷା, ବଲାଙ୍ଗିର ବି.ବି.ସଂସ୍କୃତ ମହାବିଦ୍ୟାଳୟରେ ଇତିହାସ, କଟକ ଜେକେବିକେ କଲେଜରେ ଆଇଟି, ଏସ.ଏମ ମହିଳା କଲେଜରେ ଲଜିକ ଓ ଫିଲୋସଫି, ବ୍ରହ୍ମପୁର ବି.ଏ. କଲେଜରେ ମନସ୍ତତ୍ତ୍ବ, ଶିକ୍ଷା ଓ ସମାଜ ବିଜ୍ଞାନ ଏମପିସି କଲେଜ ବାରିପଦାରେ ସାନ୍ତାଳି ଭାଷା ବିଷୟ ପାଇଁ ଜଣେ ଲେଖାଏଁ ଅଧ୍ୟାପକଙ୍କ ଆବଶ୍ୟକତା ରହିଥିବାବେଳେ ଏଠାରେ ଏସବୁ ପଦ ପାଇଁ ଗୋଟିଏ ହେଲେ ମଞ୍ଜୁରିପ୍ରାପ୍ତ ପଦ ନାହିଁ।
Comments are closed.