ମହାନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆହ୍ବାନ

କଟକ : ମହାନଦୀର ପ୍ରଦୁଷଣ ମାତ୍ରା ଉଦ୍‌ବେଗଜନକ ରହିଛି। ଛତିଶଗଡରେ ବହୁ ବନ୍ଧ, ବ୍ୟାରେଜ, ନିର୍ମାଣ ଫଳରେ ନଦୀର ପ୍ରାକୃତିକ ପ୍ରବାହ ଗଭୀର ଭାବରେ ପ୍ରଭାବିତ ହୋଇଛି। ମହାନଦୀ କୂଳରେ ଗଢି ଉଠିଥିବା କଳକାରଖାନା ଓ ଖଣି ଖନନ ପ୍ରଦୂଷଣର ଅନ୍ୟତମ କାରଣ ହୋଇଛି। ମହାନଦୀକୁ ପ୍ରଦୁଷଣମୁକ୍ତ କରିବା ଆଜିର ସମାଜ ଓ ସରକାରଙ୍କ ସବୁଠୁ ବଡ ଆହ୍ବାନ ବୋଲି ମାଗସେସ୍‌ ପୁରଷ୍କାର ବିଜେତା ତଥା ଜଳପୁରୁଷ ଭାବେ ପରିଚିତ ଡ. ରାଜେନ୍ଦ୍ର ସିଂହ ମତ ପ୍ରକାଶ କରିଛନ୍ତି।
ମହାନଦୀ ବଞ୍ଚାଅ ଆନ୍ଦୋଳନର ‘ପ୍ରଣାମ ମହାନଦୀ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଶନିବାର ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସିଂହ କହିଥିଲେ ଯେ, ମହାନଦୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସୃଜନଶୀଳ ଭାବେ କାର୍ଯ୍ୟ କରିବା ଆବଶ୍ୟକ। କେନ୍ଦ୍ର ସରକାର ନମାମୀ ଗଙ୍ଗା ପରି ଦେଶର ଅନ୍ୟ ନଦୀଗୁଡିକୁ ପ୍ରଦୂଷଣମୁକ୍ତ କରିବାକୁ ଯୋଜନା କରିଛନ୍ତି। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଧିବେଶନରେ ମହାନଦୀ ପ୍ରଦୂଷଣ ହେବା ସଂକ୍ରାନ୍ତ ମତ ପ୍ରଦାନ କରିଥିଲେ, ଯାହା ନଦୀ ସହିତ ସମାଜକୁ ଯୋଡିବା କ୍ଷେତ୍ରରେ ବିଶେଷ ସହାୟକ ହୋଇପାରେ। ମାତ୍ର ସରକାରଙ୍କ ଆନ୍ତରିକତାକୁ ନେଇ ଜଳପୁରୁଷ ଡ. ସିଂହ ସନ୍ଦେହ ପ୍ରକଟ କରିଛନ୍ତି। ନମାମୀ ଗଙ୍ଗା ଏ ପର୍ଯ୍ୟନ୍ତ ଏକ ସ୍ଲୋଗାନରେ ରହିଛି। ବାସ୍ତବରେ ଗଙ୍ଗାକୁ ନିର୍ମଳ ଓ ନିରନ୍ତର ଭାବରେ ପ୍ରବାହିତ ହେବା କ୍ଷେତ୍ରରେ ସରକାର ବିଶେଷ କିଛି ପଦକ୍ଷେପ ନେଇ ନଥିବା ନେଇ ଡ. ସିଂହ କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ନଦୀ ଅବବାହିକା ପରିଚାଳନା ବିଲ୍‌ ଆଗତ କରିବାକୁ ଯାଉଛନ୍ତି। ଏହି ବିଲ୍‌କୁ ନଦୀ ଓ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି କହିବା ସହ ଏହା ଆଇନ୍‌ରେ ପରିଣତ ହେଲେ ନଦୀଗୁଡିକର ସତ୍ତା ପ୍ରତି ବିପଦ ଘନୀଭୂତ ହେବ ବୋଲି ଡ. ସିଂହ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାଶ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦେବେନ୍ଦ୍ର ସୂତାର, ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରି ଦାସ,ସ୍କୁବା ଡାଇଭର ସବିର ବକ୍ସ, ସଂଯୋଜକ ବିଜୟ ପ୍ରଧାନ ଓ ନୀରଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ମହାନଦୀ ସୁରକ୍ଷା ଉପରେ ମତ ପ୍ରଦାନ କରିଥିଲେ। ମୁଖପାତ୍ର ପ୍ରସନ୍ନ ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଥାଉକି, ଜଳପୁରୁଷ ଡ. ସିଂହ ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ୭ ଓ ୮ ତାରିଖରେ କେଉଁଝର ର ସୁନା ଓ କାକରା ନଦୀକୁ ପର୍ଯ୍ୟବେକ୍ଷଣ କରିବା ସହ ସେଠାରେ ନଦୀ ଉପରେ ଆୟୋଜିତ ଏକ ସମ୍ମିଳନୀରେ ଭାଗନେବେ।

kalyan agarbati

Comments are closed.