ଖୁବ୍ଶୀଘ୍ର ଏନ୍ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ ଦ୍ରାବିଡ଼
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍ ରାହୁଲ ଦ୍ରାବିଡ଼ ଖୁବ୍ଶୀଘ୍ର ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସୂଚନାଥାଉକି ଜୁଲାଇ ପହିଲାରେ ଦ୍ରାବିଡ଼ ଏନ୍ସିଏ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାର ଥିଲା। ତେବେ ଦ୍ରାବିଡ଼ ଏନ୍ସିଏ ମୁଖ୍ୟ ଭାବେ କାର୍ଯ୍ୟରେ ଯୋଗ ଦେଇନଥିଲେ। ଦ୍ରାବିଡ଼ ଇଣ୍ଡିଆ ସିମେଣ୍ଟ କମ୍ପାନୀରେ ଚାକିରି କରୁଥିବାରୁ ଏନ୍ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କଲେ ତାଙ୍କ ବିରୋଧରେ ସ୍ବାର୍ଥଗତ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ଦ୍ରାବିଡ଼ ଏନ୍ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କରି ପାରୁନଥିବା ଆଲୋଚନା ହେଉଥିଲା।
ଇତିମଧ୍ୟରେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଦ୍ରାବିଡ଼ ଇଣ୍ଡିଆ ସିମେଣ୍ଟ କମ୍ପାନୀରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ନେଇଛନ୍ତି। ଫଳରେ ସେ ଏନ୍ସିଏ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାରେ କୌଣସି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ଦ୍ରାବିଡ଼ ଭାରତ ଏ’ ଓ ୧୯ ବର୍ଷରୁ କମ୍ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିବାରୁ ଏନ୍ସିଏ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ସତ୍ତ୍ବେ ପୂର୍ବପରି ସେହି ଦାୟିତ୍ବରେ ରହିବେ ବୋଲି ଜଣାପଡ଼ିଛି।
ଏନ୍ସିଏର ମୁଖ୍ୟ ଭାବେ ଦ୍ରାବିଡ଼ ଯୁବ କ୍ରିକେଟର୍ଙ୍କୁ ଆବଶ୍ୟକ ପରାମର୍ଶ ଦେବା ସହ ଜୁନିୟର କ୍ରିକେଟ୍ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସେହିପରି ମହିଳା କ୍ରିକେଟ୍ କିପରି ଅଧିକ ବିକଶିତ ହୋଇପାରିବ ସେଥିପାଇଁ ଦ୍ରାବିଡ଼ ପଦକ୍ଷେପ ନେବେ। ଏହାବାଦ୍ ଏନ୍ସିଏ ଓ ଜୋନାଲ୍ କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦ୍ରାବିଡ଼ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଭାରତ ଏ’ ଓ ୧୯ ବର୍ଷରୁ କମ୍ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଦ୍ରାବିଡ଼ ଦାୟିତ୍ବ ନିର୍ବାହ କରି ଆସୁଥିବା ବେଳେ ଏନ୍ସିଏ ମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ସେ ଏହି ଦୁଇ ଦଳ ସହ ବିଦେଶ ଗସ୍ତରେ ଯିବେ କିନ୍ତୁ ସେଠାରେ ସିରିଜ୍ ଶେଷ ପର୍ଯ୍ୟନ୍ତ ନ ରହି ମଝିରୁ ଭାରତ ଫେରିଆସିବେ ବୋଲି ବିସିସିଆଇର ଜଣେ ପଦାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ପାରସ ମହାେମ୍ବ୍ର ଓ ଅଭୟ ଶର୍ମା ପୂର୍ବପରି ଦଳ ସହ କାମ କରିବେ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରି ଦେଇଛନ୍ତି।
ଦ୍ରାବିଡଙ୍କୁ ଏନ୍ସିଏ ମୁଖ୍ୟ ଭାବେ ନିଯୁକ୍ତ କରାଯିବା ପଛରେ ବିସିସିଆଇ ଜେନେରାଲ ମ୍ୟାନେଜର (କ୍ରିକେଟ୍) ସବା କରିମ୍ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି।
Comments are closed.