ଇମାମ୍‌ଙ୍କ ଶତକ, ସାହିନ୍‌ଙ୍କୁ ୬ ୱିକେଟ; ପାକିସ୍ତାନ ବିଜୟୀ

ଲର୍ଡସ : ଚଳିତ ବିଶ୍ବକପ୍‌ର ସେମିଫାଇନାଲରୁ ବାଦ୍‌ପଡ଼ିବା ପରେ ଶେଷ ଲିଗ୍ ମ୍ୟାଚ୍‌ରେ ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଶୁକ୍ରବାର ବାଂଲାଦେଶକୁ ୯୪ ରନ୍‌ରେ ପରାସ୍ତକରି ପାକିସ୍ତାନ ତା’ର ଅଭିଯାନ ଶେଷକରିଛି। ଓପ୍‌ନର ଇମାମ୍ ଉଲ୍‌ ହକ୍‌ଙ୍କ ଶତକ ଓ ବାବର ଆଜମ୍‌ଙ୍କ ୯୬ ରନ୍‌ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୯ ୱିକେଟ ହରାଇ ୩୧୫ ରନ୍ କରିଥିଲା। ବାଂଲାଦେଶର ବାମହାତି ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନ କ୍ରମାଗତ ୨ୟ ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିଲେ। ପରେ ପାକିସ୍ତାନର ବାମହାତି ପେସ୍ ବୋଲର ସାହିନ୍ ଶାହା ଆଫ୍ରିଦି ୬ଟି ୱିକେଟ ନେବାରୁ ବାଂଲାଦେଶ ୪୪.୧ ଓଭରରେ ୨୨୧ ରନ୍‌କରି ଅଲ୍ଆଉଟ ହୋଇଥିଲା। ଉଭୟ ପାକିସ୍ତାନ ଓ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ ୯ମ ମ୍ୟାଚ୍‌ରେ ୫ମ ପରାଜୟ ସହ ୫ମ ସ୍ଥାନରେ ରହି ପାକିସ୍ତାନ ବିଦାୟ ନେଇଛି। ସେମିଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ମଧ୍ୟ ୧୧ ପଏଣ୍ଟ ପାଇଥିବା ବେଳେ ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ପାକିସ୍ତାନଠାରୁ ନ୍ୟୁଜିଲାଣ୍ଡ ଆଗରେ ରହିଛି। ୯ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ୭ ପଏଣ୍ଟ ପାଇ ୭ମ ସ୍ଥାନରେ ରହି ବାଂଲାଦେଶ ବିଦାୟ ନେଇଛି।
୩୧୬ ରନ୍ ଲକ୍ଷ୍ୟରେ ବାଂଲାଦେଶ ସହଳ ଓପ୍‌ନର ତମିମ୍ ଇକ୍‌ବାଲ (୮)ଙ୍କ ୱିକେଟ ହରାଇଥିଲା। ତେବେ ସୌମ୍ୟ ସରକାର ଓ ସାକିବ୍ ଅଲ୍‌ ହାସନ୍ ସ୍କୋର୍‌କୁ ୪୮ ରନ୍‌ରେ ପହଞ୍ଚାଇଥିଲେ। ସୌମ୍ୟ ୨୨ ରନ୍‌କରି ୨ୟ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇଥିଲେ। ପରେ ସାକିବ୍ ଅଲ୍‌ ହାସନ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁସ୍‌ଫିକୁର ରହିମ୍ ୧୯ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ସାକିବ୍ ଓ ଲିଟନ୍ ଦାସ ୫୮ ରନ୍ ଯୋଡ଼ିଥିଲେ। ଲିଟନ୍ ୪୦ ବଲ୍‌ରୁ ୩ଟି ଚୌକା ସହ ୩୨ ରନ୍‌କରି ଆଉଟ ହୋଇଥିଲେ। ୭୭ ବଲ୍‌ରୁ ୬ଟି ଚୌକା ସହ ୬୪ ରନ୍‌କରି ସାକିବ୍ ଆଉଟ ହେବା ସହ ବାଂଲାଦେଶର ବିଜୟ ଆଶା ପ୍ରାୟ ମଉଳି ଯାଇଥିଲା। ମହମ୍ମଦୁଲ୍ଲା ୨୯ ଓ ମୋସାଦେକ୍ ହୋସେନ୍ ୧୬ ରନ୍ କରିଥିଲେ। ସାହିନ୍ ଶାହା ଆଫ୍ରିଦି ୬ଟି ୱିକେଟ ନେଇଥିଲେ। ସାହିନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ।
ପାକିସ୍ତାନ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଓପ୍‌ନର ଧିରେସୁସ୍ଥେ ଇନିଂସ ଆରମ୍ଭ କରିଥିଲେ। ୮ମ ଓଭରରେ ପାକିସ୍ତାନ ମାତ୍ର ୨୩ ରନ୍ କରିଥିବା ବେଳେ ଫଖର ଜମାନ୍ ୩୧ ବଲ୍‌ରୁ ଗୋଟିଏ ଚୌକା ସହ ୧୩ ରନ୍‌କରି ଆଉଟ ହୋଇଥିଲେ। ପରେ ଇମାମ୍ ଉଲ୍‌ ହକ୍‌ଙ୍କ ଶତକ ଓ ବାବର ଆଜମ୍‌ଙ୍କ ମଧ୍ୟରେ ମାରାଥନ୍ ଭାଗିଦାରୀ ହୋଇଥିଲା। ୨୫ ଓଭରରେ ଇମାମ୍ ଓ ବାବର ୨ୟ ୱିକେଟ ପାଇଁ ୧୫୭ ରନ୍ ଯୋଗ କରିବାରୁ ପାକିସ୍ତାନ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହୋଇଥିଲା। ମାତ୍ର ୪ ରନ୍‌ ପାଇଁ ଫର୍ମରେ ଥିବା ବାବର ଆଜମ୍ ଚଳିତ ବିଶ୍ବକପ୍‌ରେ ୨ୟ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଚଳିତ ବିଶ୍ବକପ୍‌ରେ ୩ୟ ଅର୍ଦ୍ଧଶତକ ହାସଲ କରିଥିବା ବାବର ଆଜମ୍ ୯୮ ବଲ୍‌ ଖେଳି ୧୧ଟି ଚୌକା ସହ ୯୬ ରନ୍‌କରି ଆଉଟ୍ ହୋଇ ଯାଇଥିଲେ। ପରେ ମହମ୍ମଦ ହଫିଜ୍‌ଙ୍କ ସହ ଇମାମ୍ ଉଲ୍ ହକ୍ ୬୬ ରନ୍ ଯୋଗ କରିଥିଲେ। ୭ମ ଦିନିକିଆ ଶତକ ହାସଲ କରିଥିବା ଇମାମ୍ ଉଲ୍ ହକ୍ ୧୦୦ ବଲ୍‌ରୁ ୭ଟି ଚୌକା ସହ ୧୦୦ ରନ୍‌କରି ଆଉଟ ହୋଇଥିଲେ। ପାକିସ୍ତାନ ଏକଦା ୨ ୱିକେଟରେ ୨୪୬ ରନ୍ କରିଥିବା ବେଳେ ପରବର୍ତ୍ତୀ ୬୮ ରନ୍‌ରେ ଏହା ଆଉ ୭ଟି ୱିକେଟ ହରାଇଥିଲା। ଏହି ୬୯ ରନ୍‌ରୁ ଇମାଦ୍ ୱାସିମ୍ ଏକା ୪୩ ରନ୍ କରିଥିଲେ। ପୁଣି ଏହି ୭ଟି ୱିକେଟରୁ ମୁସ୍ତାଫିଜୁର ରେହ୍‌ମାନ ୫ଟି ୱିକେଟ ପାଇଥିଲେ। ହାରିସ୍ ସୋହେଲ ୬, ସର୍ଫରାଜ ଅହମ୍ମଦ ୩ ଓ ୱହାବ୍ ରିଆଜ୍ ୩ ରନ୍ କରିଥିଲେ। ଇମାଦ୍ ୱାସିମ୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୬ ବଲ୍‌ରୁ ​‌େ​‌ଗାଟିଏ ଛକା ଓ ୬ଟି ଚୌକା ସହ ୪୩ ରନ୍ କରିଥିଲେ। ମୁସ୍ତାଫିଜୁର ରେହ୍‌ମାନ ୫ଟି ୱିକେଟ ନେଇଥିଲେ ହେଁ ୭୫ ରନ୍ ଦେଇଥିଲେ। ମହମ୍ମଦ ସୈଫୁଦ୍ଦିନ୍ ୩ଟି ୱିକେଟ ପାଇଥିଲେ।

kalyan agarbati

Comments are closed.