www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶାର ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୦୩ଟଙ୍କା

ଭୁବନେଶ୍ବର: ଓଡ଼ିଶାର ଗ୍ରାମାଞ୍ଚଳରେ ମାସିକ ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୨୦୧୧-୧୨ ମସିହା ତୁଳନାରେ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ବଢ଼ିଛି। ତଥାପି ଏହା ଜାତୀୟ ସ୍ତରର ମୁଣ୍ଡ ପିଛା ଖର୍ଚ୍ଚ ହାର ତୁଳନାରେ ପଛରେ ରହିଛି। ଜାତୀୟ ସ୍ତରରେ ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ୧୪୭୭ଟଙ୍କା ଥିବାବେଳେ ଓଡ଼ିଶାରେ ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୧୪୦୩ଟଙ୍କା ୨୫ ପଇସା। ଜାତୀୟ ହାରଠୁ ଓଡ଼ିଶାର ମୁଣ୍ଡ ପିଛା ଖର୍ଚ୍ଚ କମ ଥିଲେ ହେଁ ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୯.୨ପ୍ରତିଶତ ହାରରେ ବଢ଼ିଥିବାବେଳେ ଜାତୀୟ ସ୍ତରରେ ଏହି ବୃଦ୍ଧି ୩ପ୍ରତିଶତରୁ ବି କମ ରହିଛି।
ରାଜ୍ୟର ଆର୍ଥିକ ବିକାଶ ଯୋଗୁଁ ମୁଣ୍ଡ ପିଛା ଖର୍ଚ୍ଚ ହାର ବଢ଼ିଛି। ୧୯୯୩-୯୪ରେ ଓଡ଼ିଶାର ପ୍ରାୟ ୬୦ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଏପରିକି ଗୋଟିଏ ଦଶନ୍ଧି ପରେ ବି ୨୦୦୪-୦୫ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ଘଟି ନଥିଲା। ଏହି ସମୟ ସୁଦ୍ଧା ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ ପ୍ରାୟ ୫୭ପ୍ରତିଶତ। କିନ୍ତୁ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦାରିଦ୍ର୍ୟ ଖୁବ୍ ଦ୍ରୁତ ଗତିରେ ପ୍ରାୟ ୨୪.୬ପ୍ରତିଶତ ହ୍ରାସ ପାଇଥିଲା। ଏହି ସମୟ ସୁଦ୍ଧା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୫୭ପ୍ରତିଶତରୁ ୩୨.୫୯ପ୍ରତିଶତକୁ ଖସିଛି। ଅର୍ଥାତ ୮୨ଲକ୍ଷ ଲୋକ ୮ବର୍ଷ ଭିତରେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି। ତେବେ ଓଡ଼ିଶାରେ ତଥାପି ପ୍ରତି ଶହେ ଲୋକରେ ୩୨ରୁ ୩୩ଜଣ ହେଉଛନ୍ତି ଗରିବ ବା ଗରିବୀ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୨.୫୯ପ୍ରତିଶତ। ଏହି ସମୟ ଭିତରେ ଜାତୀୟ ସ୍ତରରେ ଗରିବୀ ୧୫ ପ୍ରତିଶତ ହାରରେ କମିଥିବାବେଳେ ଓଡ଼ିଶାରେ ୨୪.୬ପ୍ରତିଶତ ହାରରେ କମି ରେକର୍ଡ଼ କରିଛି। ତେବେ ନିଯୁକ୍ତି ସୃଷ୍ଟି, ଖାଦ୍ୟ ନିରାପତ୍ତା, ଗୃହ ନିର୍ମାଣ, ସାମାଜିକ ନିରାପତ୍ତା, ଅର୍ଥନୈତିକ ଭିତ୍ତିଭୂମି, ଜୀବିକା ସୁଯୋଗ ଭଳି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଦ୍ବାରା ଏହା ସମ୍ଭବ ହୋଇଛି।
ଜୀବିକାର୍ଜନ ପନ୍ଥା ଜରିଆରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବା ଫଳରେ ଦାରିଦ୍ର୍ୟ ହାର କମିବା ସହିତ ମୁଣ୍ଡ ପିଛା ଆୟ ବଢ଼ୁଥିବା ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୧୮-୨୦୧୯ ଆର୍ଥିକ ବର୍ଷର ଆଗୁଆ ଆକଳନ ଅନୁସାରେ ମୁଣ୍ଡପିଛା ଆୟ ୨୦୧୭-୧୮ରେ ୮୩,୭୬୯ଟଙ୍କା ଥିବାବେଳେ ଏହା ୯୨,୬୯୧ଟଙ୍କାକୁ ବୃଦ୍ଧି ପାଇବ ବୋଲି ହିସାବ କରାଯାଇଛି। ମୁଣ୍ଡ ପିଛା ଆୟ ବାର୍ଷିକ ୯.୮ପ୍ରତିଶତ ହାରରେ ବଢ଼ିବା ସହିତ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଘଟୁଥିବା କୁହାଯାଇଛି।
ଲୋକଙ୍କ ବଞ୍ଚିବାର ଆୟୁ ମଧ୍ୟ ବଢ଼ୁଛି। ୨୦୧୦ରୁ ୨୦୧୪ ମଧ୍ୟରେ ହୋଇଥିବା ହିସାବ ଅନୁସାରେ ଓଡ଼ିଶାରେ ବଞ୍ଚିବାର ଆୟୁ ୬୪.୮ ବର୍ଷରୁ ୬୫.୮ ବର୍ଷ ବା ହାରାହାରି ଗୋଟିଏ ବର୍ଷ ବଢ଼ିଛି। ଜାତୀୟ ସ୍ତରରେ ମହିଳାଙ୍କ ଜୀବନର ଆୟୁ ପୁରୁଷଙ୍କଠାରୁ ଅଧିକ। ଏ କ୍ଷେତ୍ରରେ ଓଡ଼ିଶା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆସାମଠାରୁ ଆଗରେ ଥିଲେ ହେଁ କେରଳ, ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଭଳି ରାଜ୍ୟଠୁ ପଛରେ ରହିଛି। ତେବେ ୨୦୧୫-୧୬ ଶିଶୁ ମୃତ୍ୟୁ ହାର ତଥ୍ୟ ଅନୁସାରେ ଓଡ଼ିଶାରେ ଜନ୍ମ ନେଉଥିବା ପ୍ରତି ହଜାରେ ଶିଶୁରେ ୪୦ଜଣ ପ୍ରାଣ ହରାଉଥିବାବେଳେ ଜାତୀୟ ସ୍ତରରେ ଏହି ହାର ରହିଛି ୪୧ । ୨୦୨୦ ସୁଦ୍ଧା ଶିଶୁ ମୃତ୍ୟୁ ହାର ପ୍ରତି ହଜାରେ ଜନ୍ମିତ ଶିଶୁରେ ୩୦କୁ କମାଇବା ପାଇଁ ଲକ୍ଷ୍ୟ ରହିଛି। ସେହିପରି ପାଞ୍ଚ ବର୍ଷରୁ କମ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ୧୯୯୮-୯୯ରେ ପ୍ରତି ହଜାରେ ଶିଶୁରେ ୧୦୪ଜଣ ପ୍ରାଣ ହରାଉଥିବାବେଳେ ଏବେ ମୃତ୍ୟୁ ହାର ୪୯କୁ କମିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories