୧୨ ଘଣ୍ଟାରେ ୬୬ ନିୟୁତ ଚାରାରୋପଣ
ଭାରତ ବିଶ୍ବର ତୃତୀୟ ସର୍ବାଧିକ ଅଙ୍ଗାରକାମ୍ଲ ନିଃଶରଣକାରୀ ରାଷ୍ଟ୍ର ପାଲଟିଛି। ଏଣୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ନିଦାନ ନିମନ୍ତେ ୨୦୩୦ ସୁଦ୍ଧା ନିଜର ବନାଞ୍ଚଳ ପରିମାଣ ବୃଦ୍ଧି କରିବା ନେଇ ଭାରତ ପ୍ୟାରିସ ରାଜିନାମା ସ୍ବାକ୍ଷର କରିଛି। ଏଥିନିମିତ୍ତ ବିଭିନ୍ନ ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି। ଏକ ବୃହତ ଉଦ୍ୟମ କ୍ରମେ ୨୦୧୭ ଜୁଲାଇ ୨ରେ ମଧ୍ୟପ୍ରଦେଶର ନର୍ମଦା ନଦୀ କୂଳରେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୬୬ ନିୟୁତ ବୃକ୍ଷ ରୋପଣ କରାଯାଇଥିଲା। ପୂର୍ବାହ୍ଣ ୭ଟାରୁ ଆରମ୍ଭ କରି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା ଏହି କାର୍ଯ୍ୟକ୍ରମ। ୧.୫ ଲକ୍ଷ ପରିବେଶପ୍ରେମୀ ଏଥିରେ ଯୋଗଦାନ ପୂର୍ବକ ଏହି ଅଭିଯାନକୁ ସଫଳ କରିଥିଲେ। ଗତବର୍ଷ ଉତ୍ତରପ୍ରଦେଶର ସ୍ବେଚ୍ଛସେବୀମାନେ ଗୋଟିଏ ଦିନ ଭିତରେ ୫୦ ନିୟୁତରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରି ବିଶ୍ବରେକର୍ଡ ସୃଷ୍ଟି କରିଥିଲେ। ନର୍ମଦା ଉପକୂଳବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ ଅଭିଯାନକୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସାଧାରଣତଃ ନଦୀ ଉପକୂଳବର୍ତ୍ତୀ କ୍ଷେତ୍ରରେ ବୃକ୍ଷଗୁଡିକ ସହଜରେ ବଞ୍ଚିପାରିବାର ସମ୍ଭାବନା ଥାଏ। ଏଣୁ ରାଜ୍ୟର ୨୪ଟି ଜିଲା ଦେଇ ପ୍ରବାହିତ ନର୍ମଦା ନଦୀ ଉପକୂଳରେ ଚାରାରୋପଣ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ସ୍ଥିର କରିଥିଲେ। ଏଥିନିମନ୍ତେ ୨୦ରୁ ଊର୍ଦ୍ଧ୍ବ କିସମର ଚାରା ସଂଗ୍ରହ କରାଯାଇଥିଲା। ତାହା ଏକ ଐତିହାସିକ ଦିନ ବୋଲି ତତ୍ସମୟରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାଣ କହିଥିଲେ। ବୃକ୍ଷରୋପଣ କରି କେବଳ ଭାରତ ନୁହେଁ; ବରଂ ବିଶ୍ବର ହିତ ସାଧନ ହୋଇଛି ବୋଲି ସେ କହିଥିଲେ। ଏହି ବୃକ୍ଷଗୁଡିକ ଇତିମଧ୍ୟରେ ଘନ ସବୁଜିମା ସୃଷ୍ଟି କରିଥିବା ଜଣାଯାଏ।
Comments are closed.