ଭୋପାଳରେ ୮ ବର୍ଷିୟା ନାବାଳିକାର ହତ୍ୟା, ୬ ପୁଲିସ୍‍ କର୍ମୀ ନିଲମ୍ବିତ

ଭୋପାଳ : ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଅଢେଇ ବର୍ଷ ଶିଶୁର ନିର୍ମମ ହତ୍ୟା, ହମିରପୁରରେ ଜଣେ ୧୧ ବର୍ଷିୟା ନାବାଳିକାର ଗଣବାଳାତ୍କାର ଘଟଣାକୁ ନେଇ ଦେଶ ବ୍ୟାପୀ ଆକ୍ରୋଶର ପରିବେଶ ଥିବାବେଳେ ଭୋପାଳରେ ଆଉ ଏକ ନାବାଳିକାର ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ କମଳାନଗରର ଏକ ନାଳରୁ ରବିବାର ସେହି ଅଞ୍ଚଳରେ ଏକ ୮ ବର୍ଷିୟା ନାବାଳିକାର ଶବ ମିଳିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ। ଘଟଣାକୁ ନେଇ ପ୍ରଶାସନିକ ମହଲରେ ହଡକମ୍ପ ଖେଳିଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୃହମନ୍ତ୍ରୀ ବାଲା ବଚନ କହିଛନ୍ତି। ଏହି ମାମଲାରେ ୬ ପୁଲିସ୍‍ କର୍ମୀଙ୍କୁ ନିଲମ୍ବନ କରାଯାଇଛି।
ତଦନ୍ତକାରୀ ଅଧିକାରୀ ଏଏସ୍‍ପି ଅତ୍କଲ ପଟେଲ କହିଛନ୍ତି ଯେ କମଳାନଗର ନାଳରୁ ମିଳିଥିବା ନାବାଳିକାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ନାବାଳିକାକୁ କିପରି ହତ୍ୟା କରାଯାଇଛି ତାହା ଜଣାପଡିବ ବୋଲି ସେ କହିଛନ୍ତି।

Comments are closed.