www.samajalive.in
Sunday, December 14, 2025
19.1 C
Bhubaneswar

ରାଜସ୍ଥାନ ଓ କର୍ଣ୍ଣାଟକ କଂଗ୍ରେସରେ ସଙ୍କଟ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦ ଛାଡ଼ିବାକୁ ଜିଦ୍‌ରେ ଅଟଳ ଅଛନ୍ତି; ତେଣେ ଦୁଇ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ କର୍ଣ୍ଣାଟକ ସରକାରରେ ସଙ୍କଟ ସୃଷ୍ଟି ହେଲାଣି। ପୂର୍ବରୁ ତିନି ରାଜ୍ୟର କଂଗ୍ରେସ ମୁଖ୍ୟ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିବା​‌ବେଳେ ସୋମବାର ଆଉ ତିନି ରାଜ୍ୟର କଂଗ୍ରେସ ମୁଖ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅପରପକ୍ଷରେ କର୍ଣ୍ଣାଟକ କଂଗ୍ରେସରେ ନେତୃତ୍ବକୁ ନେଇ ଗତ କିଛି ମାସ ଧରି ଜାରି ରହିଥିବା ଅସନ୍ତୋଷ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଉତ୍କଟ ହୋଇଛି। ସେହିପରି ରାଜସ୍ଥାନରେ ଦଳର ବିପର୍ଯ୍ୟୟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ରାହୁଲଙ୍କ ସମାଲୋଚନା ପରେ ସେଠାରେ ମଧ୍ୟ ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ରାଜ୍ୟର ଅଧିକାଂଶ ମନ୍ତ୍ରୀ ଏହି ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନେତୃତ୍ବ ପରିବର୍ତ୍ତନ ପାଇଁ ଅଡ଼ି ବସିଛନ୍ତି। ରାଜସ୍ଥାନ​‌େ​‌ର ଗତ ଛ’ମାସ ହେଲା କଂଗ୍ରେସ ଶାସନ ଥାଇ ସୁଦ୍ଧା ରାଜ୍ୟର ସମସ୍ତ ୨୫ଟି ଲୋକସଭା ଆସନ ବିଜେପି ଖାତାକୁ ଯାଇଛି। ସେହିଭଳି କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମିଳିତ ସରକାର ରହିଥିଲାବେଳେ ରାଜ୍ୟର ମୋଟ ୨୮ଟି ମଧ୍ୟରୁ କଂଗ୍ରେସକୁ ମାତ୍ର ଗୋଟିଏ ଆସନରେ ସଫଳତା ମିଳିଛି। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଦଳ ପରାଭବ ​ଭୋଗିଛି।
ସୂଚନାନୁଯାୟୀ, ରାଜସ୍ଥାନ କଂଗ୍ରେସରେ ଫଳାଫଳକୁ ନେଇ ଆନ୍ତଃକନ୍ଦଳ ତୀବ୍ର ହୋଇଛି। ବହୁ ମନ୍ତ୍ରୀ ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିଶାଣ କରିଛନ୍ତି। ରାହୁଲ ଗାନ୍ଧୀ ଦଳର କାର୍ଯ୍ୟକାରିଣୀ ବୈଠକରେ ଗେହଲଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ପରେ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ତାଙ୍କ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଗେହଲଟ ନିଜ ପୁଅ ବୈଭବଙ୍କ ବିଜୟ ପାଇଁ ଯୋଧପୁରରେ ଡେରା ପକାଇଥିବାବେଳେ ଦଳ ପାଇଁ ଅନ୍ୟତ୍ର ପ୍ରାୟତଃ ପ୍ରଚାର କରି ନ ଥିଲେ। ଏହି ପରିପ୍ରେକ୍ଷୀରେ ଦଳର ବିପର୍ଯ୍ୟୟ ପାଇଁ ସେ ହିଁ ଦାୟୀ ବୋଲି ଅଧିକାଂଶ ମତ ଦେଇଛନ୍ତି। ପୂର୍ବରୁ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ଭଲ ନ ଥିବାରୁ ଏବେ ଗେହଲଟଙ୍କୁ ନିଶାଣ କରାଯିବା ସହଜ ହୋଇଛି।
ରାଜ୍ୟର ମୋଟ ୨୦୦ ବିଧାନସଭା ଆସନ ମଧ୍ୟରୁ ଲୋକସଭା ନିର୍ବାଚନରେ ୧୮୫ଟିରେ ବିଜେପି ଆଗୁଆ ରହିଛି। ପାଇଲଟଙ୍କ ସାୱାଇ ମାଧୋପୁର ଅଞ୍ଚଳରେ ମଧ୍ୟ କଂଗ୍ରେସ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବିଜେପି ପ୍ରାର୍ଥୀ ଏକ ଲକ୍ଷରୁ ଅଧିକ ଭୋଟ୍‌ ପାଇଛନ୍ତି। ଏହାକୁ ଲକ୍ଷ୍ୟ କରି ମନ୍ତ୍ରୀ ଉଦୟ ଲାଲ ଅଞ୍ଜନା ଓ ରମେଶ ମୀନା କହିଛନ୍ତି ଯେ ଆଗକୁ ପୌର ନିର୍ବାଚନ ଥିବାରୁ ଦଳୀୟ ନେତୃବୃନ୍ଦ ପରାଜୟର ଉପଯୁକ୍ତ ସମୀକ୍ଷା କରିବା ଆବଶ୍ୟକ। ନିର୍ବାଚନରେ ଟିକଟ ବଣ୍ଟନ ନେଇ ପ୍ରଶ୍ନ ଉଠାଇଥିବା ଉଦୟଙ୍କ ଇସ୍ତଫା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗେହଲଟଙ୍କ ଅନୁଗତ ଭାବେ ପରିଚିତ ମନ୍ତ୍ରୀ ଲାଲ ଚାନ୍ଦ କଟାରିଆଙ୍କ ଇସ୍ତଫା ବିଷୟ ପ୍ରଚାର ହେଉଥିଲେ ମଧ୍ୟ ସଠିକ ଖବର ମିଳି ନାହିଁ।
ଅପରପକ୍ଷରେ ଜୁନ୍‌ ୧୦ ପରେ କର୍ଣ୍ଣାଟକର ମିଳିତ ସରକାର ଭୁଶୁଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତା କେ.ଏନ୍‌ ରାଜନ୍ନଙ୍କ ମନ୍ତବ୍ୟ ପରେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି। ରାଜନ୍ନଙ୍କ କହିବାନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କ ଯୋଗୁଁ ଦଳର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ପରମେଶ୍ବର ଜାଣିବା ଉଚିତ ଯେ କେବଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ସେ ଉପମୁଖ୍ୟମନ୍ତ୍ରୀ ହୋଇ ରହିବେ। ଏହା ପରେ ତାଙ୍କର ସ୍ଥିତି ନ ଥିବ। ରବିବାର କଂଗ୍ରେସର ଦୁଇ ବିଧାୟକ ରମେଶ ଜାର୍କିହୋଲି ଓ ସୁଧାକର ବିଜେପି ନେତା ଆର. ଅଶୋକଙ୍କୁ ବରିଷ୍ଠ ନେତା ଏସ୍‌.ଏମ୍‌ କୃଷ୍ଣାଙ୍କ ବେଙ୍ଗାଲୁରୁସ୍ଥିତ ଘରେ ଭେଟିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ପରିସ୍ଥିତିରେ ଆସନ୍ତା ୨୯ରେ କଂଗ୍ରେସ ବିଧାୟକ ଦଳର ବୈଠକ ଆହ୍ବାନ କରାଯାଇଛି। ବୈଠକରେ ପରମେଶ୍ବରଙ୍କ ସହିତ ପ୍ରଦେଶ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁରାଓ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା ଉପସ୍ଥିତ ରହିବେ।
ଅନ୍ୟ ଏକ ଘଟଣାକ୍ରମେ ସିଦ୍ଧରମାୟା ଓ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀଙ୍କ ମଧ୍ୟରେ ସୋମବାର ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ସେମାନେ ବିଜେପିର ‘ଅପରେସନ୍‌ ଲୋଟସ୍’ର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଖୁବ୍‌ ଶୀଘ୍ର ମନ୍ତ୍ରିମଣ୍ଡଳ ପୁନର୍ଗଠନ ଓ ପରିବର୍ଦ୍ଧନ ହେବ ବୋଲି ଏହି ଆଲୋଚନାରୁ ସୂଚନା ମିଳିଛି। ରାଜ୍ୟର ମେଣ୍ଟ ସରକାର ସୁଦୃଢ଼ ରହିଛି, କେନ୍ଦ୍ରର ବିଜେପି ସରକାର ଏହାକୁ ଭାଙ୍ଗିବାରେ ସକ୍ଷମ ହେବ ନାହିଁ ବୋଲି ସିଦ୍ଧରମାୟା କହିଛନ୍ତି। ସେହିଭଳି ଜେଡିଏସ୍‌ କାର୍ଯ୍ୟକାରୀ ସଭାପତି ଏମ୍‌ଏସ୍‌ ନାରାୟଣ ରାଓ ଦଳୀୟ ନେତାଙ୍କୁ ଗଣମାଧ୍ୟମ ଓ ସର୍ବସାଧାରଣରେ ମନ୍ତବ୍ୟ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଦଳ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ୭୯ ଓ ଜେଡିଏସ୍‌ର ୨୭ ତଥା ଜଣେ ବିଏସ୍‌ପି ବିଧାୟକଙ୍କୁ ମିଶାଇ ସରକାର ପଛରେ ମୋଟ ୧୧୭ ସଦସ୍ୟଙ୍କ ସମର୍ଥନ ରହିଛି। ଅପରପକ୍ଷରେ ବିଜେପିର ସଦସ୍ୟ ସଂଖ୍ୟା ୧୦୫। ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୫। କିଛି କଂଗ୍ରେସ ସଦସ୍ୟ ବିଜେପି ସହିତ ଲସରପସର ହେଉଥିବା କୁହାଯାଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories