ମେଘାଳୟରୁ ଉଠିଲା ଆଫସ୍ପା, ଅରୁଣାଚଳରେ କୋହଳ

0

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ବିବାଦୀୟ ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ୍‍ ‘ଆଫସ୍ପା’କୁ ମେଘାଳୟରୁ ସମ୍ପୂର୍ଣ୍ଣ ରୂପେ ଉଠାଇ ଦିଆଯାଇଛି। ସେହିପରି ଅରୁଣାଚଳ ପ୍ରଦେଶର କେତେକ ସ୍ଥାନରେ ଆଫସ୍ପାକୁ କୋହଳ କରାଯାଇଛି। ୨୦୧୭ ସେପ୍ଟେମ୍ବରରୁ ମେଘାଳୟର ୪୦% ଆଫସ୍ପା ଅଧୀନରେ ଥିଲା। ନିକଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମୀକ୍ଷା ପରେ ଆଫସ୍ପାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ନେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ କ୍ରମରେ ସୋମବାରଠାରୁ ମେଘାଳୟରୁ ଆଫସ୍ପାକୁ ସମ୍ପୂର୍ଣ୍ଣ ରୂପେ ହଟାଗଲା ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ବୃବୃତ୍ତି ଜାରି କରାଯାଇଛି। ୨୦୧୭ରୁ ଅରୁଣା ଚଳ ପ୍ରଦେଶର ୧୬ଟି ଥାନା ଅଞ୍ଚଳରେ ଆଫସ୍ପା ଲାଗୁ ହୋଇଥିଲା ବେଳେ ଏବେ ଏହାକୁ ହ୍ରାସ କରାଯାଇ ମାତ୍ର ୮ଟି ଥାନାରେ ସୀମିତ ରଖାଯାଇଛି। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଗୃହ ମନ୍ତ୍ରଣାଳୟ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ସହାୟତା ରାଶିକୁ ୧ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ବିଚ୍ଛିନ୍ନତାବାଦୀମାନେ ଏହି ନୀତି କ୍ରମରେ ଆତ୍ମସମର୍ପଣ କଲେ ସେମାନଙ୍କୁ ଥଇଥାନ ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ୨୦୧୮ ଅପ୍ରେଲ ୧ରୁ ଏହି ନୂତନ ନୀତି କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଦିଆଯାଇଛି। ଅନୁରୂପ ଭାବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଣିପୁର, ମିଜୋରମ, ନାଗାଲାଣ୍ଡର ସୁରକ୍ଷିତ ଓ ନିଷିଦ୍ଧାଞ୍ଚଳ ଭ୍ରମଣ ଅନୁମତିକୁ କୋହଳ କରାଯାଇଛି। ତେବେ ଏହି କଟକଣା ପାକିସ୍ତାନ, ଆଫଗାନିସ୍ତାନ ଏବଂ ଚୀନ ପର୍ଯ୍ୟଟକଙ୍କ ପାଇଁ ପୂର୍ବପରି ବଳବତ୍ତର ରହିଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଗତ ୪ ବର୍ଷ ମଧ୍ୟରେ ଉଗ୍ରବାଦୀ କାର୍ଯ୍ୟକଳାପରେ ୬୩% ହ୍ରାସ ପରିଲକ୍ଷିତ ହୋଇଛି। ୨୦୧୭ ପରଠାରୁ ସାଧାରଣ ନାଗରିକଙ୍କ ଜୀନବ ହାନି କ୍ଷେତ୍ରରେ ୮୩% ଓ ସୁରକ୍ଷା କର୍ମୀଙ୍କ ପ୍ରାଣ ହାନି କ୍ଷେତ୍ରରେ ୪୦% ହ୍ରାସ ଘଟିଛି।

Leave A Reply