ଜଳୁଛି ପଶ୍ଚିମ

0

-୧୩ ସହରରେ ପାରଦ ୪୦ ଡିଗ୍ରୀ ଟପିଲା ,-ବଲାଙ୍ଗିର, ସୋନପୁର ସବୁଠୁ ଉତ୍ତପ୍ତ ଜିଲା,-୨୮ରୁ କାଳବୈଶାଖୀ ଖସାଇବ ତାପମାତ୍ରା

ଭୁବନେଶ୍ୱର : ଜଳୁଛି ଅଧା ଓଡ଼ିଶା। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅସହ୍ୟ ହୋଇଛି। ରାଜ୍ୟରେ ୧୩ଟି ସହରରେ ପାରଦ ଏବେ ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଅସହ୍ୟ ଝାଞ୍ଜି (ଲୁ) ବହିବା ଯୋଗୁଁ ସକାଳ ୯ଟାରୁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡୁଛି। ବଲାଙ୍ଗିର, ଟିଟିଲାଗଡ଼ ଓ ସୋନପୁରରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ଉପରକୁ ଡେଇଁଛି। ବଲାଙ୍ଗିର ଓ ସୋନପୁର ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିବାବେଳେ ସତେଯେମିତି ଏହି ଦୁଇ ସ୍ଥାନରେ ଆକାଶରୁ ଏକପ୍ରକାର ଅଗ୍ନିବର୍ଷା ହେଉଛି। ଏଭଳି ତାତିରୁ ଆଗାମୀ ୪ରୁ ୬ ଦିନ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରାଯାଉଛି। ୨୮ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବରେ ପାରଦ କିଛିଟା ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏପ୍ରିଲ ଶେଷ ନ ହେଉଣୁ ରାଜ୍ୟର ୧୩ଟି ସହରରେ ପାରଦ ୪୦ଂ ଟପିଲାଣି। ପାଣିପାଗ ବିଭାଗ ସୂଚନାନୁଯାୟୀ, ରବିବାର ତାପମାତ୍ରା ଅନୁଗୋଳରେ ୪୧.୪, ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୨.୦, ସୁନ୍ଦରଗଡ଼ରେ ୪୦.୦, ହୀରାକୁଦରେ ୪୨.୧, ତାଳଚେରରେ ୪୦.୭, ଭବାନୀପାଟଣାରେ ୪୧.୨, ବଲାଙ୍ଗୀରରେ ୪୩.୨, ଫୁଲବାଣୀରେ ୪୦.୨, ଟିଟଲାଗଡ଼ରେ ୪୩.୦, ମାଲକାନଗିରିରେ ୪୦.୬, ସୋନପୁରରେ ୪୩.୨ ଓ ଢେଙ୍କାନାଳରେ ୪୦.୩ ଡିଗ୍ରୀ ସେଲସିୟସ୍‍ ରହିଛି।
ଉପକୂଳ ଓଡ଼ିଶା ଓ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ରହିଛି। ଭୁବନେଶ୍ୱରରେ ତାପମାତ୍ରା, ୩୯.୪ ଡିଗ୍ରୀ ରହିଥିବାବେଳେ କଟକରେ ୩୮.୪ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୩୫.୧, ଚାନ୍ଦବାଲିରେ ୩୮.୭, ପାରାଦ୍ୱୀପରେ ୩୨.୦, ଗୋପାଳପୁରରେ ୩୨.୦, ପୁରୀରେ ୩୩.୬, ବାରିପଦାରେ ୩୫.୬, କେନ୍ଦୁଝରଗଡ଼ରେ ୩୬.୦, କୋରାପୁଟରେ ୩୫.୫ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୩୬.୦ ଡିଗ୍ରୀ ସେଲସିୟସ୍‍ ରହିଛି। ଆସନ୍ତା ଦୁଇ ଦିନ ପାଇଁ ତାପମାତ୍ରା ଏପରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେହିପରି କାଳବୈଶାଖୀ ପ୍ରଭାବରୁ ଏପ୍ରିଲ ୨୮ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ଓ ଉଚ୍ଚ ଲହଡ଼ି ଆସିବାର ଭୂବିଜ୍ଞାନ ମନ୍ତ୍ରାଳୟ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ ସୁନାମିର ଆଶଙ୍କା ନାହିଁ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ଏହି ସମୟ ଭିତରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply