ଚେନ୍ନଇର ରୋମାଞ୍ଚକର ବିଜୟ

0

ହାଇଦରାବାଦ : ଆଇପିଏଲ୍‍-୧୧ରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ମାତ୍ର ୪ ରନ୍‍ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ପରାସ୍ତ କରିଛି। ଅମ୍ବତି ରାୟୁଡୁ ଓ ସୁରେଶ ରୈନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‍କେ ୩ ୱିକେଟରେ ୧୮୨ ରନ୍‍ କରିଥିଲା। ପରେ ଅଧିନାୟକ କେନ୍‍ ୱିଲିୟମ୍‍ସନଙ୍କ ଲଢ଼ୁଆ ୮୪ ରନ୍‍ ବଳରେ ସନ୍‍ରାଇଜର୍ସ ୨ ୱିକେଟରେ ୧୭୮ ରନ୍‍ କରି ପାରିଥିଲା। ଚେନ୍ନଇ ପ୍ରଥମ ୯ ଓଭରରେ ୪୧ ରନ୍‍ କରିଥିବା ବେଳେ ପରବର୍ତ୍ତୀ ୧୧ ଓଭରରୁ ୧୪୧ ରନ୍‍ କରିଥିଲା। ୫ମ ମ୍ୟାଚ୍‍ରେ ଚେନ୍ନଇର ଏହା ୪ର୍ଥ ବିଜୟ ଥିବା ବେଳେ ୫ମ ମ୍ୟାଚ୍‍ରେ ଏହା ସନ୍‍ରାଇଜର୍ସର ୨ୟ ପରାଜୟ।
ସନ୍‍ରାଇଜର୍ସ ହାଇଦରାବାଦ ସମ୍ମୁଖରେ ୧୮୩ ରନ୍‍ର ଲକ୍ଷ୍ୟ ଥିବା ବେଳେ ଏହା ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ସିଏସ୍‍କେର ପେସ୍‍ ବୋଲର ଦୀପକ ଚହର ତାଙ୍କ ପ୍ରଥମ ୩ ଓଭରରେ ୩ଟି ୱିକେଟ ନେଇଥିଲେ। ଆହତ ଶିଖର ଧାୱନଙ୍କ ସ୍ଥାନରେ ଓପନ୍‍ କରିଥିବା ରିକି ଭୁଇ ଓ ଦଳର ପୁରୁଖା ବ୍ୟାଟ୍‍ସମ୍ୟାନ ମନୀଷ ପାଣ୍ଡେ ଖାତା ଖୋଲିବା ପୂର୍ବରୁ ଏବଂ ଦୀପକ ହୁଡା ୧ ରନ୍‍କରି ଆଉଟ ହୋଇ ଯାଇଥିଲେ। ଅଧିନାୟକ କେନ୍‍ ୱିଲିୟମ୍‍ସନ ଓ ସାକିବ୍‍ ଅଲ୍‍ ହାସନ୍‍ ୪ର୍ଥ ୱିକେଟ ପାଇଁ ୪୯ ରନ୍‍ ଯୋଡ଼ିବା ପରେ ସାକିବ୍‍ ୧୯ ବଲ୍‍ରୁ ୨୪ ରନ୍‍କରି ଆଉଟ ହୋଇଥିଲେ। ୭ ଓଭରରୁ ୯୯ ରନ୍‍ ଆବଶ୍ୟକ ଥିବା ବେଳେ ଆକ୍ରମଣ ଆରମ୍ଭ କରିଥିଲେ ୱିଲିୟମ୍‍ସନ। ପରବର୍ତ୍ତୀ ୪ ଓଭରରୁ ୫୭ ରନ୍‍ ହୋଇଥିଲା। ୟୁସୁଫ୍‍ ପଠାନ୍‍ଙ୍କ ସହ ୫ମ ୱିକେଟ ପାଇଁ ୱିଲିୟମ୍‍ସନ୍‍ ୭୯ ରନ୍‍ ଯୋଡ଼ିଥିଲେ। ୱିଲିୟମ୍‍ସନ୍‍ ୧୮ଶ ଓଭରରେ ଆଉଟ ହୋଇଯିବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ୱିଲିୟମ୍‍ସନ୍‍ ୫୧ ବଲ୍‍ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୪ ରନ୍‍ କରିଥିଲେ। ୯ ବଲ୍‍ରୁ ୨୬ ରନ୍‍ ଆବଶ୍ୟକ ଥିବା ବେଳେ ପଠାନ୍‍ ମଧ୍ୟ ଆଉଟ ହୋଇ ଯାଇଥିଲେ। ୟୁସୁଫ୍‍ ୨୭ ବଲ୍‍୍‍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୫ ରନ୍‍କରି ଆଉଟ ହୋଇଥିଲେ। ଶେଷ ଓଭରରୁ ୧୯ ରନ୍‍ ଆବଶ୍ୟକ ଥିବା ବେଳେ ରସିଦ୍‍ ଖାଁ କ୍ରମାଗତ ଛକା ଓ ଚୌକା ମାରିବା ଯୋଗୁଁ ଶେଷ ବଲ୍‍ରେ ୬ ରନ୍‍ ଆବଶ୍ୟକ ଥିବା ବେଳେ ୧ ରନ୍‍ ହୋଇଥିଲା। ରସିଦ୍‍ ୪ ବଲ୍‍ରୁ ୧୭ ରନ୍‍କରି ଅପରାଜିତ ଥିଲେ। ରାୟୁଡୁ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ପ୍ରବଳ ଗରମ ସତ୍ତେ୍ୱ ଘରୋଇ ସନ୍‍ରାଇଜର୍ସ ହାଇଦରାବାଦ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ଆରମ୍ଭରୁ ହାଇଦରାବାଦର ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ୮ମ ଓଭରରେ ମାତ୍ର ୩୨ ରନ୍‍ ହୋଇଥିଲା। ପୁଣି ଚେନ୍ନଇ ସୁପର କିଙ୍ଗ୍‍ସ ତା’ର ଦୁଇ ବିଦେଶୀ ଓପ୍‍ନରଙ୍କ ୱିକେଟ ହରାଇଥିଲା। ଗତ ମ୍ୟାଚ୍‍ରେ ଶତକ ମାରିଥିବା ଅଷ୍ଟ୍ରେଲୀୟ ସେନ୍‍ ୱାଟ୍‍ସନ ୧୫ ବଲ୍‍ରୁ ୯ ଏବଂ ଚଳିତ ସିଜିନ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିବା ଦକ୍ଷିଣ ଆଫ୍ରିକାର ଫାଫ୍‍ ଡୁ ପ୍ଲେସି ୧୩ ବଲ୍‍ରୁ ୧୧ ରନ୍‍କରି ଆଉଟ ହୋଇଥିଲେ। ଚେନ୍ନଇର ୧୮୨ ରନ୍‍ ସମ୍ଭବ ହୋଇଥିଲା ଅମ୍ବତି ରାୟୁଡୁଙ୍କ ଆକ୍ରମଣାତ୍ମକ ଇନିଂସ ଯୋଗୁଁ। ରାୟୁଡୁ ଓ ସୁରେଶ ରୈନା ୩ୟ ୱିକେଟ ପାଇଁ ୫୪ ବଲ୍‍ରୁ ୧୧୨ ରନ୍‍ ଯୋଗ କରିଥିଲେ। ଫଳରେ ଚେନ୍ନଇ ୧୮୨ ରନ୍‍ କରି ପାରିଥିଲା। ରାୟୁଡୁ ଦର୍ଶନୀୟ ଷ୍ଟ୍ରୋକ୍‍ସବୁ ଖେଳି ୩୭ ବଲ୍‍ରୁ ୪ଟି ଛକା ଓ ୯ଟି ଚୌକା ସହ ୭୯ ରନ୍‍କରି ରନ୍‍ଆଉଟ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚମତ୍କାର ଢଙ୍ଗରେ ଇନିଂସ୍‍ର ସମାପ୍ତି ଘଟାଇଥିଲେ। ଏହି ଭେଟେରାନ୍‍ ୧୨ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‍କରି ଅପରାଜିତ ଥିଲେ। ୧୬.୩ ଓଭର କ୍ରିଜ୍‍ରେ ରହି ବାମହାତି ସୁରେଶ ରୈନା ୪୩ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୫୪ ରନ୍‍କରି ଅପରାଜିତ ଥିଲେ। ରସିଦ୍‍୍‍ ଖାଁ ୪ ଓଭରରୁ ୪୯ ରନ୍‍ ବ୍ୟୟ କରିଥିଲେ।

Leave A Reply