ବର୍ଷରେ ୬୪,୧୩୮ ନାବାଳିକା ବଳାତ୍କାର; ପୋସ୍କୋ ଆକ୍ଟରେ କ’ଣ ବଦଳିବ ସ୍ଥିତି
ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟୁଥିବା ନାବାଳିକା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ଦେଶରେ ଶିଶୁ ସୁରକ୍ଷାକୁ ମଜବୁତ୍ କରିବା ଉଦ୍ଦେଶ୍ୟରେ ସରକାର ପୋସ୍କୋ ଆଇନକୁ କଡ଼ାକଡ଼ି କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁମୋଦନ କ୍ରମେ ୧୨ବର୍ଷରୁ କମ୍ ବୟସ୍କ ବାଳିକାଙ୍କୁ ବଳାତ୍କାର ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ଅଧ୍ୟାଦେଶ ଜାରି କରାଯାଇଛି। ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଛି। ତେବେ ନ୍ୟାସନାଲ କ୍ରାଇମ ରେକର୍ଡ଼ରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଇନର କଡ଼ାକଡ଼ି ବାସ୍ତବ କ୍ଷେତ୍ରରେ ନାବାଳିକାଙ୍କୁ କେତେ ଦୂର ସୁରକ୍ଷିତ କରିବ ଏହାକୁ ନେଇ ଆଶଙ୍କା ଦେଖା ଦେଇଛି।
କ୍ରାଇମ ରେକର୍ଡ଼କୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬ରେ ୬୪,୧୩୮ଟି ନାବାଳିକା ବଳାତ୍କାର ମାମଲା ମଧ୍ୟରୁ ୧୮୬୯ଟି ମାମଲାର ରାୟ ପ୍ରକାଶ ପାଇଛି। ୯୬ପ୍ରତିଶତ ମାମଲାରେ ପୀଡ଼ିତାଙ୍କ ନିକଟ ସମ୍ପର୍କିୟ ହିିଁଁ ଏଭଳି ଜଘନ୍ୟ ମାମଲାରେ ଅଭିଯୁକ୍ତ ଥିବା ରେକର୍ଡ଼ରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଉଦାହରଣ ସ୍ୱରୂପ ବଳାତ୍କାର ଅଭିଯୁକ୍ତ ପୀଡ଼ିତାଙ୍କ ନିକଟ ଆତ୍ମିୟ, ପରିବାର ସଦସ୍ୟ, ବନ୍ଧୁ ଅଥବା ପଡ଼ୋଶୀ । ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ପରିବାରବର୍ଗ ନାବାଳିକା ବଳାତ୍କାର ଘଟଣାକୁ ପଞ୍ଜିକରଣ ନକରି ଚପାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଆତ୍ମିୟ ଅଭିଯୁକ୍ତଙ୍କୁ ଫାଶିଦଣ୍ଡରୁ ବଞ୍ଚାଇବାକୁ ଯାଇ ଅଭିଯୋଗ ନକରିବା ପାଇଁ ପୀଡ଼ିତାଙ୍କ ଉପରେ ଚାପ ସୃଷ୍ଟି କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।
ଏହା ବ୍ୟତୀତ ଅଭିଯୋଗ ହେବା ପରେ ପୁଲିସର ତଦନ୍ତ ଠାରୁ ଆରମ୍ଭ କରି ଡାକ୍ତରୀ ମଇନା, କୋର୍ଟର ପ୍ରଶ୍ନ ଉତ୍ତର ପ୍ରକ୍ରିୟାରେ ସୁଧାର ନଆଣି କେବଳ ଆଇନକୁ କଡ଼ାକଡ଼ି କରିବା ବ୍ୟବସ୍ଥାର ସଠିକ୍ ସମାଧାନ କୁହାଯାଇ ପାରେନା। ୨୦୧୬ରେ ପୋସ୍କୋ ଆକ୍ଟ ଅନୁଯାୟୀ ଏଭଳି ମାମଲା ବର୍ଷେ ମଧ୍ୟରେ ରାୟ ପ୍ରକାଶ କରିବାକୁ ନିୟମ କରାଯାଇ ଥିଲା। ତଥାପି ଦେଶରେ ୮୯ପ୍ରତିଶତ ବଳାତ୍କାର ମାମଲା ଲମ୍ବିତ ପ୍ରକ୍ରିୟାରେ ପରିଚାଳିତ ହେଉଛି। କେତେବେଳେ ବିଚାରପତିଙ୍କ ଅଭାବ ତ’ ପୁଣି କେତେବେଳେ ଅତ୍ୟଧିକ ମାମଲାର ଚାପ ନାବାଳିକା ବଳାତ୍କାର ମାମଲାର ଗମ୍ଭିରତାକୁ ନଷ୍ଟ କରୁଛି। ଉଦାହରଣ ସ୍ୱରୂପ ନିର୍ଭୟା ମାମଲାରେ ମଧ୍ୟ କେବଳ ଜଣେ ନାବାଳିକ ଅଭିଯୁକ୍ତଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରାଯାଇଛି। ହେଲେ କ’ଣ ବାସ୍ତବରେ ଏହା ସମାଜିକ ବ୍ୟବସ୍ଥାରେ ପ୍ରଭାବ ପକାଇ ପାରିଛି। ଯଦି ପ୍ରଭାବ ପଡ଼ିଥାନ୍ତା ତେବେ କାଠୁଆ ପରି ଘଟଣାର ପୁନରାବୃତ୍ତି କାହିଁକି ହୁଅନ୍ତା!