ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ୩ ଗୁରୁତର

0

ପିପିଲି :ପିପିଲି-ଡେଲାଙ୍ଗ ରାସ୍ତାରେ ଦୁଇଟି ଦୁର୍ଘଟଣା ଘଟାଇବା ପରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଛି । ଶନିବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାଇ, ଭୁବନେଶ୍ୱରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ପିପିଲି ଦେଇ ଡେଲାଙ୍ଗ ଇନ୍ଦିପୁରକୁ ଯାଉଥିବା ବେଳେ ଶନିବାର ରାତି ୧୧ଟାରେ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟାଇଥିଲା । ପିପିଲି-ଡେଲାଙ୍ଗ ରାସ୍ତାର ଦାନୋଗହିର ନିକଟରେ ଏକ ବାଇକ୍‍କୁ ପ୍ରଥମେ ଟ୍ରକ୍‍ଟି ଧକ୍କା ଦେଇଥିଲା । ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଟ୍ରକ୍‍ଟି ଦୃତଗତିରେ ଯାଉଥିବା ବେଳେ ଅରିଶଲ ଛକ ନିକଟରେ ରାସ୍ତାରେ ଚାଲି ଚାଲି ଯାଉଥିବା ମାଗୁଣି ନାମକ ଜଣେ ୬୫ବର୍ଷୀୟ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପ୍ରାୟ ୨୦ଫୁଟ୍‍ ଦୂରକୁ ଛିଟିକି ଯାଇ ରାସ୍ତା ଉପରେ ପଡିଥିଲେ । ତାଙ୍କ ଗୋଟିଏ ଗୋଡ ଓ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ପରେ ଉକ୍ତ ଟ୍ରକ୍‍ଟି ଅଧିକ ଦୃତ ଗତିରେ ଯାଉଥିବା ବେଳେ ବ୍ରାହ୍ମଣ ତରାବୋଇ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଶ୍ୱର୍ ଖାଲକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ତୁରନ୍ତ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପରେ ସେଠାରୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାଗୁଣିଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି । ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ଡେଲାଙ୍ଗ ପୁଲିସ ସେଠାରେ ପହଞ୍ôଚ ଉକ୍ତ ଟ୍ରକ୍‍କୁ ଜବତ କରିବା ସହ ଡ୍ରାଇଭରକୁ ଡେଲାଙ୍ଗ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ରାସ୍ତା କଡକୁ ଓଲଟି ପଡିଥିବା ଉକ୍ତ ଟ୍ରକ୍‍ରୁ ସିମେଣ୍ଟକୁ ଖାଲି କରି ଟ୍ରକ୍‍କୁ ଥାନାକୁ ନେବାକୁ ପୁଲିସ ରାତିରେ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply