ସିଜେଆଇଙ୍କ ବିରୋଧରେ ମହାଅଭିଯୋଗରେ ସାମିଲ ହେବାକୁ ପ୍ରମାଣ ମାଗିଲେ ଟିଏମସି ଓ ଡିଏମକେ
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ସମର୍ଥନ ଆଣିଥିଲେ ମଧ୍ୟ ଏହାକୁ ନେଇ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି ମହାଅଭିଯୋଗ ପ୍ରସଙ୍ଗରେ କଂଗ୍ରେସ ଦେଶର ସମସ୍ତ ବିରୋଧୀଙ୍କୁ ଏକତ୍ରିତ କରିବାରେ ବିଫଳ ହୋଇଛି। ଟିଏମସି ଓ ଡିଏମକେ ପରି ରାଜନୈତିକ ଦଳ ଏହି ପ୍ରସଙ୍ଗରୁ ନିଜକୁ ପୃଥକ ରଖିବା ଉଚିତ ମଣିଛନ୍ତି।
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ନିଜ ଭାବମୂର୍ତ୍ତିକୁ ନିର୍ମଳ କରିବାକୁ ଉଦ୍ୟମ କରୁଛନ୍ତି। ଦଳ ପକ୍ଷରୁ ଏବେଠାରୁ ତାଙ୍କ ପ୍ରାର୍ଥୀଙ୍କୁ ଶପଥ ପାଠ ଦ୍ୱାରା ଆଗାମୀ ଦିନରେ ସରପଞ୍ଚ ହେଲେ ଦଳର ବିନା ଅନୁମତିରେ ସରକାରୀ ସୁବିଧା ନିଜ ପାଇଁ ବ୍ୟବହାର କରିବା କିମ୍ବା ନିଜ ସମ୍ପର୍କିୟଙ୍କୁ ସରକାରୀ ଟେଣ୍ଡର ଦେବା ପରି କାର୍ଯ୍ୟରୁ ନିବୃତ୍ତ ରହିବେ। ସେହିପରି କୃଷି ଉପକରଣର ଲାଭ ନିଜେ ନନେଇ ତାହା ଉଚିତ ହିତାଧିକାରୀଙ୍କୁ ବଣ୍ଟନ କରିବେ।
ତେବେ ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗକୁ ବିରୋଧ କରି ନଥିଲା। ଖୋଦ୍ ମମତା ବାନାର୍ଜୀ ମହାଅଭିଯୋଗରେ ସାମିଲ ହେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ହେଲେ ନିର୍ବାଚନ ପରିଣାମକୁ ଆଖି ଆଗରେ ରଖି ଦଳ ତା’ର ରଣନୀତିରେ ପରିବର୍ତ୍ତନ କରିଛି। ମହାଅଭିଯୋଗକୁ ନେଇ ଟିଏମସି ମଧ୍ୟରେ ବ୍ୟାପକ ଆଲୋଚନା ମଧ୍ୟ ହୋଇଥିବା ଏକ ଇଂରାଜୀ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି। ଏହି ଆଲୋଚନାରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଅକ୍ଟୋବର ସୁଦ୍ଧା ଶେଷ ହେଉଥିବାବେଳେ ମହାଅଭିଯୋଗ ପ୍ରକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି। ସେହିପରି କଲକାତା ଉଚ୍ଚ ନ୍ୟାୟାଳୟ ବିଚାରପତି ସୌମିତ୍ର ସେନଙ୍କ ପରି ଦୀପକ ମିଶ୍ରଙ୍କ ନାମରେ ସେଭଳି କୌଣସି ଦୁର୍ନୀତିର ପ୍ରମାଣ ନାହିଁ। ତେଣୁ ଏସବୁ ପ୍ରସଙ୍ଗରୁ ନିଜକୁ ସୁରକ୍ଷିତ ଦୂରତ୍ବ ଅବଲମ୍ବନ କରିବାକୁ ଟିଏମସି ଉଚିତ ମଣୁଛି।
ସେହିପରି ଟିଏମସି ପରି ଡିଏମକେ ମଧ୍ୟ ମହାଅଭିଯୋଗ ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁ ନାହିଁ। ଅବଶ୍ୟ ଡିଏମକେର ସାଂସଦ ମହାଅଭିଯୋଗ ପତ୍ରରେ ଦସ୍ତଖତ କରିଥିଲେ ମଧ୍ୟ ପରେ ଏଥିରୁ ଓହରି ଯାଇଛନ୍ତି। ଡିଏମକେ ସାଂସଦ କାନିମୋଝି ଏହି ପ୍ରସଙ୍ଗ ସାଂସଦରେ ଆସିଲେ ଯାଇ ସମର୍ଥନ କରିବେ ବୋଲି ମନ୍ତବ୍ୟ ଦେଇଛନ୍ତି। ଏସବୁ ମଧ୍ୟରେ ସମସ୍ତଙ୍କ ନଜର ଏବେ ରାଜ୍ୟସଭା ସଭାପତି ଭେଙ୍କଆ ନାଇଡ଼ୁଙ୍କ ଉପରେ ରହିଛି। ମହାଅଭିଯୋଗ ପ୍ରସଙ୍ଗରେ ସେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ଏହାକୁ ନେଇ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଉଚିତ ମଣିଛି।