ଆଦିବାସୀ ମହିଳାଙ୍କୁ ବନକର୍ମଚାରୀଙ୍କ ଗଣବଳାତ୍କାର ଅଭିଯୋଗ !
ନୀଳଗିରି: ଗଛ ଉପରେ ମଞ୍ଚା କରି ହାତୀଙ୍କୁ ଜଗିଥିବା ଜଣେ ଆଦିବାସୀ ମହିଳାଙ୍କୁ କୁଲଡିହା ବନକର୍ମଚାରୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଶତାଧିକ ଗ୍ରାମବାସୀ ୩ଜଣ ବନକର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି କ୍ଷତାକ୍ତ କରି ଦେଇଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।
ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ପାଦଦେଶରେ ସ୍ଥାନୀୟ ଆଦିବାସୀମାନେ ଟାଇଚୁଙ୍ଗ ଧାନ ଚାଷ କରିଥାନ୍ତି । ଧାନ ଖାଇବା ପାଇଁ ପ୍ରାୟ ପ୍ରତ୍ୟେକ ଦିନ କୁଲଡିହାରୁ ହାତୀପଲ ଆସି କ୍ଷେତ ନଷ୍ଟ କରିଥାନ୍ତି । ଏନେଇ ତେଣ୍ଡା ଅଞ୍ଚଳର ଜନୈକା ମହିଳା ନିଜ ଶିଶୁକନ୍ୟାକୁ ଧରି ହାତୀ ଘଉଡ଼ାଇବା ଉଦେଶ୍ୟରେ ଗଛ ଉପରେ ମଞ୍ଚା କରି ଶୋଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ କୁଲଡିହା ବନବିଭାଗର ଗାର୍ଡ଼ ଅଞ୍ଜନ ଦାସ (୩୮), ସବୁଜବାହିନୀ କର୍ମଚାରୀ ଗଣେଶ୍ୱର ବିଶ୍ୱାଳ (୨୭), ବୁଦ୍ଧିରାମ ସିଂ (୨୬) ଓ ମୂଷିକ ସିଂ (୨୯) ପ୍ରମୁଖ ପାଟ୍ରୋଲିଂ ନାଁରେ ଉକ୍ତ ମଞ୍ଚାରେ ଚଢ଼ି ସମ୍ପୃକ୍ତା ଆଦିବାସୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଚିତ୍କାର କରିବାରୁ ବନକର୍ମଚାରୀମାନେ ସେହିସ୍ଥାନ ଛାଡ଼ି ତେଣ୍ଡା ବିଟ୍ହାଉସକୁ ଦୌଡ଼ି ପଳାଇ ଆସିଥିଲେ ।
ଏହି ଘଟଣା ପ୍ରଘଟ ହେବା ପରେ ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ୩ଶହରୁ ଅଧିକ ଲୋକ ବିଟ୍ହାଉସ ଉପରେ ଆକ୍ରମଣ କରିବା ସହ ଅଞ୍ଜନ, ବୁଦ୍ଧିରାମ, ଗଣେଶ୍ୱରକୁ ଠେଙ୍ଗା ଓ ଲୁହାଛଡ଼ରେ ନିସ୍ତୁକ୍ତ ମାଡ଼ ମାରି କ୍ଷତାକ୍ତ କରି ଦେଇଛନ୍ତି । କର୍ମଚାରୀ ମୂଷିକ ରାତିଅନ୍ଧାର ସୁଯୋଗରେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି । ରାତିରେ ସେମାନଙ୍କୁ ଗାଁ ମୁଣ୍ଡରେ ବାନ୍ଧି ବସାଇଥିଲେ । ଖବରପାଇ ଶନିବାର ସକାଳେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ବନକର୍ମଚାରୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ଅପରପକ୍ଷରେ ଏହି ବଳାତ୍କାର ଘଟଣାକୁ ବନବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି । ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଗତକାଲି କୁଲଡିହା ଜଙ୍ଗଲରୁ ଏକ ହରିଣ ମାରିଥିଲେ ଏବଂ ତାଙ୍କ ସ୍ତ୍ରୀ ପାଖରୁ ୧କିଲୋ ମାଂସ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତକୁ ଧରିବାକୁ ରାତିରେ ବନକର୍ମଚାରୀମାନେ ଯାଇଥିବା ବେଳେ ସେମାନେ ବଳାତ୍କାରର ରୂପ ଦେଉଛନ୍ତି ବୋଲି କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ କହିଛନ୍ତି । ତେବେ କିଛିଦିନ ପୂର୍ବରୁ ନୀଳଗିରିରେ ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ପୁଣି ବନକର୍ମଚାରୀଙ୍କ ଦ୍ୱାରା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ସମ୍ପ୍ରତି ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ।