ଲଜ୍ଜା: ୪ ମାସର ଶିଶୁକୁ ବଳାତ୍କାର ଓ ହତ୍ୟା
ଇନ୍ଦୋର: ଦେଶରେ ଗତ କିଛିଦିନ ହେଲା ଉଦ୍ବେଗଜନକ ଭାବେ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଲଗାତାର ଘଟି ଚାଲିଥିବା ବେଳେ ସେଥିରେ ପୁଣି ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି। ଗୁରୁବାର ଭୋରରେ ଜଣେ ୪ ମାସର ଶିଶୁକୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଶିଶୁଙ୍କ ଜଣେ ଦୂର ସମ୍ପର୍କୀୟକୁ ପୁଲିସ ଅଟକ ରଖିଛି। ଉକ୍ତ ଶିଶୁର ପରିବାର ଯାଯାବର ଶ୍ରେଣୀର ଓ ତାର ବାପା ବେଲୁନ ବିକ୍ରି କରି ପେଟ ପୋଷୁଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍ରୁ ମିଳିଥିବା ଚିତ୍ର ଅନୁଯାୟୀ ଶିଶୁଟି ତାର ମା’ ସହିତ ଏକ ଘର ବାରଣ୍ଡାରେ ରାତିରେ ଶୋଇଥିବା ବେଳେ ଅଭିଯୁକ୍ତଜଣକ ଭୋର ୪.୪୫ରେ ଏକ ସାଇକେଲ୍ରେ ଆସି ଶିଶୁକୁ ଶିବ ବିଳାସ ପ୍ୟାଲେସ୍କୁ ନେଇଥିଲା।
କିଛି ସମୟ ପରେ ସେଠାରୁ ସେ ଏକୁଟିଆ ଫେରିଥିଲା। ଶିଶୁର ମା’ର କହିବା ଅନୁଯାୟୀ ରାତି ତିନିଟାରେ ସେ ଉଠି ଦେଖିଥିଲେ। ସବୁ ଠିକ୍ଠାକ୍ ଥିଲା। ମାତ୍ର ୫.୩୦ରେ ସେ ଉଠିବା ପରେ ଶିଶୁ ସେଠାରେ ନ ଥିଲା। ଖୋଜାଖୋଜି କରିବା ପରେ ନ ପାଇବାରୁ ସେ ନିକଟସ୍ଥ ଥାନାରେ ଖବର ଦେଇଥିଲେ। ପୂର୍ବାହ୍ନ ୧୧.୩୦ରେ ରାଣୀ ଅହଲ୍ୟା ବାଈ ହୋଲ୍କାରଙ୍କ ପ୍ରତିୂମର୍ତ୍ତିଠାରୁ ୧୦୦ ମି ଦୂରରେ ଶିଶୁର ମୃତଦେହ ଠାବ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ମସ୍ତିଷ୍କରେ ଆଘାତ ଯୋଗୁଁ ଶିଶୁଟିର ମୃତ୍ୟୁ ଘଟିଥିବା ଓ ମୃତ୍ୟୁ ପୂର୍ବରୁ ତାକୁ ବଳାତ୍କାର କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ଘଟିବା ସମୟରେ ସେଠାରେ ପୁଲିସ ପାଟ୍ରୋଲିଂରେ କର୍ମଚାରୀ ନିୟୋଜିତ ଥିଲେ ମଧ୍ୟ ଘଟଣା ସମ୍ପର୍କରେ ଜାଣି ପାରିଲା ନାହିଁ। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍ଆଇ ତ୍ରୋଲିକ୍ ସିଂହଙ୍କୁ ନିଲମ୍ବନ କରାଯାଇଛି।