ଅର୍ଜୁନ ପୁରସ୍କାର ପାଇଁ ମାନିକାଙ୍କ ନାମ ସୁପାରିସ

0

ନୂଆଦିଲ୍ଲୀ : ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଅନ୍ୟତମ ତାରକା ମାନିକା ବାତ୍ରାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ଭାରତୀୟ ଟେବୁଲ ଟେନିସ ମହାସଂଘ (ଟିଟିଏଫ୍‍ଆଇ) ସୁପାରିସ କରିଛି। ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାନିକା ଭାରତ ପାଇଁ ସଫଳତମ କ୍ରୀଡ଼ାବିତ୍‍ ହୋଇଥିଲେ। ମାନିକା ଏକା ୪ଟି ପଦକ ଜିତିଥିଲେ; ଯାହା ଅନ୍ୟ କୌଣସି ଭାରତୀୟ ଜିତି ପାରିନଥିଲେ।
ଗୋଲ୍‍ଡ କୋଷ୍ଟରେ ମାନିକାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ମହିଳା ଦଳଗତ ସ୍ୱର୍ଣ୍ଣପଦକ ଜିତିଥିଲା। ଏଥିରେ ମାନିକା ବିଶ୍ୱର ୪ନଂ ସିଙ୍ଗଲ୍‍ସ ଖେଳାଳି ସିଙ୍ଗାପୁରର ତିଆନ୍‍ ୱି ଫେଙ୍ଗ୍‍ଙ୍କୁ ପରାସ୍ତ କରିିବାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମଥର ପାଇଁ ଭାରତ ସ୍ୱର୍ଣ୍ଣପଦକ ଜିତିଥିଲା। ପରେ ମାନିକା ମହିଳା ସିଙ୍ଗଲ୍‍ସ ମଧ୍ୟ ଜିତିଥିଲେ। ଏଥିରେ ମଧ୍ୟ ତିଆନ୍‍ ୱି ଫେଙ୍ଗ୍‍ଙ୍କୁ ମାନିକା ପରାସ୍ତ କରିଥିଲେ। ଏହାର ଫାଇନାଲରେ ମାନିକା ସିଙ୍ଗାପୁରର ୟୁ ମେଙ୍ଗ୍‍ୟୁଙ୍କୁ ପରାସ୍ତ କରିଥିଲେ। ପୁଣି ମୌମା ଦାସଙ୍କ ସହ ମିଶି ମାନିକା ମହିଳା ଡବଲ୍‍ସରେ ରୌପ୍ୟପଦକ ଜିତିଥିଲେ। ପରେ ଜି. ସତ୍ୟନ୍‍ଙ୍କ ସହ ମିଶି ମାନିକା ମିକ୍ସଡ ଡବଲ୍‍ସରେ ବ୍ରୋଞ୍ଜ୍‍ପଦକ ଜିତି ପାରିଥିଲେ। ୨୩ ବର୍ଷ ବୟସ୍କା ଦିଲ୍ଲୀର ମାନିକା ବାତ୍ରା ଏକ ଦଶନ୍ଧି ତଳେ ଜାତୀୟସ୍ତରର ଟେବୁଲ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳିବା ଆରମ୍ଭ ପରଠାରୁ ପଛକୁ ଫେରି ଚାହିଁନାହାନ୍ତି। ତାଙ୍କ ୬ ଫୁଟ୍‍ର ଊଦ୍ଧ୍ୱର୍ ଉଚ୍ଚତାର ସଦ୍‍ବ୍ୟବହାର କରି ମାନିକା ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ବର୍ତ୍ତମାନ ମାନିକାଙ୍କ ମହିଳା ସିଙ୍ଗଲ୍‍ସ ବିଶ୍ୱ ମାନ୍ୟତା ୫୮। ତେବେ ଗୋଲ୍‍ଡ କୋଷ୍ଟରେ ମାନିକା ବିଶ୍ୱର ୪ନଂ ସିଙ୍ଗଲ୍‍ସ ଖେଳାଳି ତଥା ୩ ଥର ଅଲିମ୍ପିକ୍‍ ପଦକ ଜିତିଥିବା ସିଙ୍ଗାପୁରର ତିଆନ୍‍ ୱି ଫେଙ୍ଗ୍‍ଙ୍କୁ ୨ଥର ପରାସ୍ତ କରିଥିବାରୁ ତାଙ୍କ ବିଶ୍ୱ ମାନ୍ୟତା ଊଦ୍ଧ୍ୱର୍ଗାମୀ ହେବା ନିଶ୍ଚିତ। ଅଚନ୍ତ ଶରତ କମଲଙ୍କ ପରେ ୨ୟ ଭାରତୀୟ ଭାବେ ମାନିକା ବାତ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସିଙ୍ଗଲ୍‍ସ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏପ୍ରିଲ ୨୯ରୁ ସ୍ୱିଡେନ୍‍ରେ ହେବାକୁ ଥିବା ବିଶ୍ୱ ଦଳଗତ ଟେବୁଲ ଟେନିସ୍‍ ଚମ୍ପିଆନ୍‍ସିପ ମାନିକାଙ୍କ ପରବର୍ତ୍ତୀ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ହେବ।

Leave A Reply