କାର୍ଯ୍ୟାନୁଷ୍ଠାନ ସୁପାରିସ

0

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କିଛି ସେବକଙ୍କୁ ଚିହ୍ନଟ କରିଛି ମନ୍ଦିର ପ୍ରଶାସନ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି। ଗତ ୧୬ତାରିଖ ଦିନ ମହାପ୍ରଭୁଙ୍କ ନୀତିରେ ମହାବିଭ୍ରାଟ ପାଇଁ ୭ଜଣ ସେବକଙ୍କୁ ଦାୟୀ କରାଯାଇଛି। ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ସେଥିରେ ଅନେକ ବିସ୍ଫୋରକ ତଥ୍ୟ ରହିଛି। ଶ୍ରୀଜୀଉଙ୍କ ଶୃଙ୍ଖଳିତ ନୀତି ସମ୍ପାଦନରେ ବାଧା ସୃଷ୍ଟି କରିଥିବା ସେବକଙ୍କ ନାମ ସେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ପ୍ରଶାସକଙ୍କୁ ୩ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି। ସେଥିରେ ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି ଯେ ଜଗମୋହନ ଭିତରକୁ ଭକ୍ତଙ୍କୁ ଛାଡ଼ିବା ପାଇଁ ହାଇକୋର୍ଟ ଦେଇଥିବା ନିର୍ଦେଶ ଯେପରି କାର୍ଯ୍ୟକାରୀ ହୋଇନପାରିବ ସେଥିପାଇଁ କିଛି ସେବକ ଶ୍ରୀଜୀଉଙ୍କ ନୀତିରେ ବାଧା ସୃଷ୍ଟି କରିଥିଲେ।
ମଙ୍ଗଳ ଆଳତିଠାରୁ ଜାଣିଶୁଣି ଅସ୍ୱାଭାବିକ ପରିସ୍ଥିତି ଏବଂ ସମସ୍ୟା ସୃଷ୍ଟି କରାଯାଇଥିଲା। ମଙ୍ଗଳ ଆଳତି ନୀତି ପୂର୍ବରୁ ହାତ ଧୋଇବାକୁ ପାଣି ଯୋଗାଇବା ନିମନ୍ତେ ପୁଷ୍ପାଳକ ସେବକ ଗରାବଡୁଙ୍କୁ କହିଥିଲେ। ପ୍ରଶାସନ ଦ୍ୱାରା ଅଧିକୃତ ଜଣେ ଗରାବଡୁ ପାଣି ଦେବାକୁ ଯାଉଥିବା ବେଳେ ଭିତରଚ୍ଛ ଭବାନୀ ଶଙ୍କର ମହାପାତ୍ର ଏବଂ ସୁଆର ମହାସୁଆର ନିଯୋଗର ଦାମୋଦର ମହାସୁଆର ସମ୍ପୃକ୍ତ ସେବକଙ୍କୁ ବାଧା ଦେବାସହ ପାଣି ନଦେବାକୁ କହିଥିଲେ। ପାଳିଆ ସେବକଙ୍କ ଅନୁପସ୍ଥିତିରେ ଶ୍ରୀଜୀଉଙ୍କ ସେବାପାଇଁ ପରିଚାଳନା କମିଟି ପକ୍ଷରୁ ଗରାବଡୁ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ କ୍ଷମତା ଦିଆଯାଇଥିଲା। ଏହାସତ୍ତ୍ବେ ଭବାନୀ ତାଙ୍କୁ ସେବା କରିବାକୁ ଅନୁମତି ଦେଇନଥିଲେ। ସେଦିନ ପାଳିଆ ସେବକଙ୍କ ଝାଡ଼ାବାନ୍ତି ହୋଇଥିଲା। ଏପରି ପରିସ୍ଥିତି ଯୋଗୁଁ ଗତ ୧୬ତାରିଖ ଦିନ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅଢ଼େଇଘଣ୍ଟା ବିଳମ୍ବ ହୋଇଥିଲା। କେବଳ ସେତିକିନୁହେଁ, ଚର୍ଚ୍ଚା ସହାୟକ ସେବକ ହୋଇନଥିବାରୁ ଭବାନୀ ମହାପାତ୍ର ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଅବକାଶ ପରେ ଗୋପାଳବଲ୍ଲଭ ଭୋଗପାଇଁ ରୋଷହୋମ ହେବାର କାର୍ଯ୍ୟକ୍ରମ ରହିଥିଲା। ଜଣେ ପୂଜାପଣ୍ଡା ସେବକ ଏହି କାର୍ଯ୍ୟ କରିବା କଥା। ସେତେବେଳେ ପ୍ରଶାସକ (ନୀତି) ମନ୍ଦିର ଭିତରେ ଉପସ୍ଥିତ ଥିଲେ। ପରିଚାଳନା କମିଟିରେ ସଭ୍ୟ ଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବ ପୂଜାପଣ୍ଡା ତାଙ୍କୁ କହିଲେ ପ୍ରଧାନୀ ସେବକ ତାଙ୍କୁ ଡାକିନଥିବାରୁ ରୋଷହୋମ ପାଇଁ ସେମାନେ ସେଠାକୁ ଯିବେନାହିଁ। ରୋଷହୋମ ପାଇଁ ପୂଜାପଣ୍ଡାଙ୍କୁ ପ୍ରଧାନୀ ସେବକ ଡାକିବାର ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରାୟ ୩୦ବର୍ଷ ହେଲା ତାହା କାର୍ଯ୍ୟକାରୀ ହେଉନଥିବା ଶ୍ରୀ ଦାଶ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଚର୍ଚ୍ଚା ସହାୟକଙ୍କ ଅନୁରୋଧ ପରେ ପୂଜାପଣ୍ଡା ରୋଷହୋମ କରିଥାଆନ୍ତି। ଗତ ୧୬ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ସତ୍ତ୍ବେ ପୂଜାପଣ୍ଡା ରୋଷହୋମ କରିନଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସେହିପରି ପ୍ରଧାନୀ ନିଯୋଗ ସଭାପତି ଓ ସମ୍ପାଦକ ପ୍ରଶାସନ କଥା ନଶୁଣି ରୁକ୍ଷ ଭାଷା ପ୍ରୟୋଗ କରିଥିବା ରିପୋର୍ଟରେ କୁହାଯାଇଛି। ଏପରି ବିଶୃଙ୍ଖଳା ଯୋଗୁଁ ରୋଷହୋମ ୩ଘଣ୍ଟା ବିଳମ୍ବ ହୋଇଥିଲା। ଶେଷରେ ପୂଜାପଣ୍ଡା ରୋଷହୋମ କରିଥିଲେ। ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥିଲା। ଏପରି ବିଳମ୍ବ ଯୋଗୁଁ ଅପରାହ୍ଣ ପ୍ରାୟ ୫ଟାରେ ଶ୍ରୀଜୀଉଙ୍କ ସକାଳଧୂପ ସମ୍ପନ୍ନ ହୋଇଥିଲା। ପରମ୍ପରା ଅନୁଯାୟୀ ସେଦିନ ଅମାବାସ୍ୟା ନାରାୟଣ ସାଗର ବିଜେ କରିବା କଥା। ମହାଜନ ସେବକ ସେଥିରେ ସହଯୋଗ କରିବା ପରିବର୍ତ୍ତେ ପ୍ରଶାସକଙ୍କୁ ହାଇକୋର୍ଟଙ୍କ ନିର୍ଦେଶ ମାଗିଥିଲେ। ସେଦିନ ଜଣେ ପୁଷ୍ପାଳକ ସେବକଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ଯୋଗୁଁ ଶ୍ରୀଜୀଉଙ୍କ ବେଶ କିଛି ସମୟ ବିଳମ୍ବ ହୋଇଥିଲା। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ଭକ୍ତଙ୍କୁ ଜଗମୋହନ ଭିତରକୁ ଛଡ଼ା ଯାଇଥିଲା। କିଛି ସମୟ ପରେ ମହାଜନ ସେବକ ଅମାବାସ୍ୟା ନାରାୟଣଙ୍କୁ ବିଜେ କରିଥିଲେ। ଏହାପରେ ପୁଷ୍ପାଳକ ନିଯୋଗ ସେବକଙ୍କ ଦ୍ୱାରା ଠାକୁରଙ୍କ ମଇଲମ ଓ ବେଶ ହେବାର ବ୍ୟବସ୍ଥା ରହିଛି। ହାଇକୋର୍ଟଙ୍କ ନିର୍ଦେଶ ନେଇ ସେମାନେ ପ୍ରଶାସକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ବିକଳ୍ପ ସେବକଙ୍କୁ ନିୟୋଜନ ନେଇ ନିର୍ଦେଶରେ କ’ଣ ରହିଛି ସେଥିନେଇ ସେମାନେ ଜାଣିବାକୁ ଚାହିଁଥିଲେ। ଏଥିଯୋଗୁଁ ଶ୍ରୀଜୀଉଙ୍କ ନୀତି ରାତି ୯ଟା ପର୍ଯ୍ୟନ୍ତ ଅଚଳହୋଇ ରହିଥିଲା। ଏହିସବୁ କାରଣରୁ ସେଦିନ ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତି ନିର୍ଦ୍ଧାରିତ ସମୟରେ ହୋଇପାରି ନଥିବା ପ୍ରଶାସକ ଶ୍ରୀ ଦାଶ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସୁଆର ସେବକମାନେ ପ୍ରଶାସନକୁ କ୍ଷତିପୂରଣ ମାଗିବା ସହ ପରଦିନଠାରୁ ମହାପ୍ରସାଦ ପ୍ରସ୍ତୁତ ନକରିବାକୁ ଧମକ ଦେଇଥିଲେ। ରାତିରେ ପୁଷ୍ପାଳକ ନିଯୋଗ ସେବକ ଠାକୁରଙ୍କ ମଇଲମ ଓ ବେଶ କରିବାକୁ ଭିତରକୁ ଯାଉଥିବା ବେଳେ ଦାମୋଦର ମହାସୁଆର ସିଂହଦ୍ୱାର ପାଖରେ ସେମାନଙ୍କୁ ଅଟକାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave A Reply