ୱାଟ୍‌ସନଙ୍କ ଶତକ : ଚେନ୍ନଇର ୩ୟ ବିଜୟ

0

ମୋହାଲି : ଆଇପିଏଲ୍‍-୧୧ରେ କ୍ରମାଗତ ୨ୟ ଦିନରେ ଶତକ ଦେଖିବାକୁ ମିଳିଛି। ଗୁରୁବାର କ୍ରିସ୍‍ ଗେଲ୍‍ଙ୍କ ପରେ ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ସେନ୍‍ ୱାଟ୍‍ସନ ଶତକ ମାରିଛନ୍ତି। ତାଙ୍କର ଏହି ଶତକ ବଳରେ ଶୁକ୍ରବାର ସିଏସ୍‍କେ ୬୪ ରନ୍‍ରେ ରାଜସ୍ଥାନ ରୟାଲ୍‍ସକୁ ପରାସ୍ତ କରିଛି। ଚେନ୍ନଇ ପ୍ରଥମେ ବ୍ୟାଟିଂକରି ୫ ୱିକେଟ ହରାଇ ୨୦୪ ରନ୍‍ କରିଥିଲା। ପରେ ରାଜସ୍ଥାନ ରୟାଲ୍‍ସ ୧୮.୩ ଓଭରରେ ୧୪୦ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ୪ର୍ଥ ମ୍ୟାଚ୍‍ରେ ଏହା ଚେନ୍ନଇର ୩ୟ ବିଜୟ ହୋଇଥିବା ବେଳେ ରାଜସ୍ଥାନ ୫ମ ମ୍ୟାଚ୍‍ରେ ୩ୟ ପରାଜୟ ଭୋଗିଛି।
ରାଜସ୍ଥାନ ରୟାଲ୍‍ସ ଦୟନୀୟ ଭାବେ ୨୦୫ ରନ୍‍ର ପିଛା ଆରମ୍ଭ କରିଥିଲା। ମାତ୍ର ୩୨ ରନ୍‍ରେ ଏହା ୩ଟି ୱିକେଟ ହରାଇଥିଲା। ହେନ୍‍ରିଚ୍‍ କ୍ଲାସେନ୍‍ ୭, ସଞ୍ଜୁ ସାମ୍‍ସନ ୨ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୬ ରନ୍‍କରି ବିଦାୟ ନେଇଥିଲେ। ୪ର୍ଥ ୱିକେଟ ପାଇଁ ଇଂଲଣ୍ଡର ଦୁଇ ଖେଳାଳି ବେନ୍‍ ଷ୍ଟୋକ୍‍ସ ଓ ଜୋସ୍‍ ବଟ୍‍ଲର ୪୫ ରନ୍‍ ଯୋଡ଼ିବା ପରେ ବଟ୍‍ଲର ୧୭ ବଲ୍‍ରୁ ୨୨ ରନ୍‍କରି ଆଉଟ ହୋଇଥିଲେ। ବାମହାତି ବେନ୍‍ ଷ୍ଟୋକ୍‍ସ ୩୭ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୫ ରନ୍‍କରି ଆଉଟହେବା ପରେ ରାଜସ୍ଥାନର ବିଜୟ ଆଶା ମଉଳି ଯାଇଥିଲା। ଏହାପରେ ରାଜସ୍ଥାନ ନିୟମିତ ଭାବେ ୱିକେଟ ହରାଇ ପରାସ୍ତ ହୋଇଥିଲା। ୪୪ ରନ୍‍ରେ ରାଜସ୍ଥାନର ୬ଟି ୱିକେଟ ପଡ଼ିଥିଲା। ଦୀପକ ଚହର, ସାର୍ଦ୍ଦୁଳ ଠାକୁର, ଡ୍ୱେନ୍‍ ବ୍ରାଭୋ ଓ କର୍ଣ୍ଣ ଶର୍ମା ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେନ୍‍ ୱାଟ୍‍ସନ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ରାଜସ୍ଥାନ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ପ୍ରଥମ ଓଭରରେ ସେନ୍‍ ୱାଟ୍‍ସନଙ୍କ କ୍ୟାଚ୍‍ ଛାଡ଼ିଥିଲା; ଯାହା ଏହା ପାଇଁ ମହଙ୍ଗା ପଡ଼ିଥିଲା। ୱାଟ୍‍ସନ୍‍ ୮ ରନ୍‍ କରିଥିବା ବେଳେ ଷ୍ଟୁଆର୍ଟ ବିନ୍ନିଙ୍କ ବଲ୍‍ରେ ସ୍ଲିପ୍‍ରେ ରାହୁଲ ତ୍ରିପାଠୀ କ୍ୟାଚ୍‍ ଛାଡ଼ିଥିଲେ। ୪.୩ ଓଭରରେ ସ୍କୋର୍‍ ୫୦ ରନ୍‍ ଥିବା ବେଳେ ଅମ୍ବତି ରାୟୁଡୁ ୧୨ ରନ୍‍କରି ଆଉଟ ହୋଇଥିଲେ। ୨ଟି ମ୍ୟାଚ୍‍ ପରେ ଦଳକୁ ଫେରିଥିବା ସୁରେଶ ରୈନାଙ୍କ ସହ ମିଶି ୱାଟ୍‍ସନ ଦ୍ରୁତଗତିରେ ସ୍କୋର୍‍ ବଢ଼ାଇଥିଲେ। ୨ୟ ୱିକେଟ ପାଇଁ ୱାଟ୍‍ସନ-ରୈନା ୪୪ ବଲ୍‍ରୁ ୮୧ ରନ୍‍ ଯୋଡ଼ଥିଲେ। ରୈନା ମାତ୍ର ୨୯ ବଲ୍‍ରୁ ୯ଟି ଚୌକା ସହ ୪୬ ରନ୍‍ କରିଥିଲେ। ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୫) ଓ ଇଂଲଣ୍ଡର ସାମ୍‍ ବିଲିଙ୍ଗ୍‍ସ (୩) ଶୀଘ୍ର ଆଉଟ ହୋଇ ଯାଇଥିଲେ। ୫ମ ୱିକେଟ ପାଇଁ ୱାଟ୍‍ସନ ଓ ଡ୍ୱେନ୍‍ ବ୍ରାଭୋ ୨୪ ବଲ୍‍ରୁ ୪୧ ରନ୍‍ ଯୋଡ଼ିଥିଲେ। ବ୍ରାଭୋ ୧୬ ବଲ୍‍ରୁ ୪ଟି ଚୌକା ସହ ୨୪ ରନ୍‍ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ୱାଟ୍‍ସନ ୫୭ ବଲ୍‍ରୁ ୬ଟି ଛକା ଓ ୯ଟି ଚୌକା ସହ ୧୦୬ ରନ୍‍ କରିଥିଲେ। ୱାଟ୍‍ସନ୍‍ଙ୍କର ଏହା ୪ର୍ଥ ଟ୍ୱେଣ୍ଟି୨୦ ଶତକ ଏବଂ ୩ୟ ଆଇପିଏଲ୍‍ ଶତକ। ଚଳିତବର୍ଷ ଆଇପିଏଲ୍‍ରେ ଗେଲ୍‍ଙ୍କ ପରେ ଏହା ୨ୟ ଶତକ। ରାଜସ୍ଥାନ ଲେଗ୍‍ସ୍ପିନର ଶ୍ରେୟାସ ଗୋପାଳ ଚମତ୍କାର ବୋଲିଂକରି ମାତ୍ର ୨୦ ରନ୍‍ଦେଇ ୩ଟି ୱିକେଟ ପାଇଥିବା ବେଳେ ବେନ୍‍ ଲାଘ୍‍ଲିନ୍‍ ୨ଟି ୱିକେଟ ପାଇଥିଲେ।

Leave A Reply