ବେଙ୍ଗାଲୁରୁ ସୁପର କପ୍‍ ଫୁଟ୍‍ବଲ ଚମ୍ପିଆନ୍‍

0

ଭୁବନେଶ୍ୱର : ବେଙ୍ଗାଲୁରୁ ଏଫ୍‍ସି ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ୍‍ ଗୋଲ୍‍ ଏବଂ ଭେନେଜୁଏଲାର ଫରୱାର୍ଡ ମିକୁ ଓ ରାହୁଲ ଭିକେଙ୍କ ଗୋଲ ବଳରେ ବେଙ୍ଗାଲୁରୁ ଏଫ୍‍ସି ଶୁକ୍ରବାର ଅପରାହ୍ଣରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ କଲକାତାର ଇଷ୍ଟବେଙ୍ଗଲ କ୍ଲବ୍‍କୁ ୪-୧ ଗୋଲ୍‍ରେ ପରାସ୍ତ କରିଛି। ଇଷ୍ଟବେଙ୍ଗଲ ପ୍ରଥମ ଗୋଲ୍‍ଦେବା ପରେ କଲକାତାରୁ ଆସିଥିବା ସହସ୍ରାଧିକ ଇଷ୍ଟବେଙ୍ଗଲ ସମର୍ଥକ ଉତ୍ସବମୁଖର ହୋଇଥିଲେ ହେଁ ଏହା ଅଳ୍ପ ସମୟ ରହିଥିଲା। ଭରପୂର ଦର୍ଶକଙ୍କ ଗହଣରେ ଖେଳା ଯାଇଥିବା ଏହି ମ୍ୟାଚ୍‍ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା।
୩ୟ ମିନିଟରେ  ବେଙ୍ଗାଲୁରୁ ଏଫସିକୁ ମ୍ୟାଚର ପ୍ରଥମ କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ସଦ୍ବ୍ୟବହାର କରିବାରେ ବିଫଳ ହୋଇଥିଲା। ପରବର୍ତ୍ତୀ ମିନିଟ୍ରେ ଇଷ୍ଟବେଙ୍ଗଲ ମଧ୍ୟ ଏକ କର୍ଣ୍ଣର ପାଇ ଏହାକୁ ବେକାର କରିଥିଲା। ୯ମ ମିନିଟ୍ରେ ଇଷ୍ଟବେଙ୍ଗଲକୁ ମିଳିଥିବା ଫ୍ରିକିକ୍‍ରୁ କାତ୍‍ସୁମି ୟୁସାଙ୍କ ସଟ୍ ଗୋଲପୋଷ୍ଟ ଉପରେ ଚାଲି ଯାଇଥିଲା। ୧୯ ମିନିଟ୍ରେ ସୁନୀଲ ଛେତ୍ରୀଙ୍କ ଏକ ତୀବ୍ର ସଟ୍କୁ ଇଷ୍ଟବେଙ୍ଗଲ ଗୋଲ୍‍ରକ୍ଷକ ଉବେଦ୍ ରୋକି ଦେଇଥିଲେ। ମ୍ୟାଚ୍‍ର ପ୍ରଥମ ୧୫ ମିନିଟରେ ବେଙ୍ଗାଲୁରୁ ଏଫ୍‍ସି ଅଧିକ ଆକ୍ରମଣ କରିଥିବା ବେଳେ ଇଷ୍ଟବେଙ୍ଗଲ ଚାପରେ ନଜର ଆସିଥିଲା। ୨୮ ମିନିଟରେ ଇଷ୍ଟବେଙ୍ଗଲର ଫରୱାର୍ଡ ଲାଇବେରିଆର ଆନ୍‍ସୁମାନା କ୍ରୋମା ମ୍ୟାଚ୍‍ରେ ପ୍ରଥମ ଗୋଲ୍‍ ଦେବାରେ ସକ୍ଷମ ହୋଇଥିଲେ। ଏକ କର୍ଣ୍ଣର କିକ୍‍ରୁ ବଲ୍‍କୁ ବେଙ୍ଗାଲୁରୁର ଗୋଲ୍‍ରକ୍ଷକ ଗୁରୁପ୍ରୀତ୍ ସିଂହ ସାନ୍ଧୁ ରୋକିଥିଲେ ହେଁ ବଲ୍‍ ପହଞ୍ଚିଥିଲା ପାଖରେ ଥିବା କ୍ରୋମାଙ୍କ ପାଖରେ। କ୍ରୋମା ବାଇସାଇକ୍‍ଲ କିକ୍‍ ମାରି ବଲ୍‍କୁ ଖାଲି ଗୋଲ୍‍ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ପଛୁଆ ରହିବା ପରେ ବେଙ୍ଗାଲୁରୁ ଏଫ୍‍ସି ଅଧିକ ଆକ୍ରମଣ କରିଥିଲା। ୩୯ ମିନିଟରେ ବେଙ୍ଗାଲୁରୁ ଏଫ୍‍ସି ଗୋଲ୍‍ ସୁଝାଇ ପାରିଥିଲା। ଭିକ୍ଟର ପିରିଜ୍ଙ୍କ କର୍ଣ୍ଣର ସଟ୍କୁ ରାହୁଲ ଭିକେ ଶକ୍ତିଶାଳୀ ହେଡ୍‍କରି ବଲ୍‍କୁ ଗୋଲ୍‍ପୋଷ୍ଟ ମଧ୍ୟକୁ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧର ଶେଷଆଡ଼କୁ ବେଙ୍ଗାଲୁରୁ ଏଫ୍‍ସିର ଶୁଭାଶିଷ ବୋଷଙ୍କ ମୁହଁରେ ମୁଥ ମାରିବାରୁ ଇଷ୍ଟବେଙ୍ଗଲର ସମାଦ୍ ଅଲ୍ଲୀ ମଲ୍ଲିକଙ୍କୁ ରେଫରୀ ରେଡ୍ କାର୍ଡ ଦେଖାଇଥିଲେ। ଫଳରେ ମ୍ୟାଚ୍‍ର ବାକି ସମୟ ଇଷ୍ଟବେଙ୍ଗଲ ୧୦ ଜଣଙ୍କୁ ନେଇ ଖେଳିଥିଲା।
ଏହାର ଫାଇଦା ବେଙ୍ଗାଲୁରୁ ଏଫ୍‍ସିକୁ ମିଳିଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ ସୁନୀଲ ଛେତ୍ରୀଙ୍କ ଦଳ ଆଉ ୩ଟି ଗୋଲ୍‍ ସ୍କୋର୍‍ କରିଥିଲା। ଦ୍ୱିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍‍ସି ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୫୨ ମିନିଟ୍ରେ ଇଷ୍ଟବେଙ୍ଗଲ ଏକ ଗୋଲ ଦେଇଥିଲେ ମଧ୍ୟ ରେଫେରୀ ଏହାକୁ ନାକଚ କରି ଦେଇଥିଲେ। ଆନ୍‍ସୁମାନା କ୍ରୋମାଙ୍କ ସଟ୍କୁ ବେଙ୍ଗାଲୁରୁ ଏଫ୍‍ସି ଗୋଲକିପର ସାନ୍ଧୁ ଧରିଥିବା ବେଳେ କ୍ରୋମା ସଟ୍ମାରି ଗୋଲ ଦେଇଥିଲେ ମଧ୍ୟ ରେଫରୀ ଏହାକୁ ନାକଚ କରି ଦେଇଥିଲେ। ୬୬ ମିନିଟ୍ରେ ଛେତ୍ରୀଙ୍କ ପାସ୍୍୍କୁ ମିକୁ ସିଧା ଗୋଲକିପର ହାତକୁ ମାରିଥିଲେ। ୬୯ତମ ମିନିଟ୍ରେ ପେନାଲ୍‍ଟି ଏରିଆରେ ବେଙ୍ଗାଲୁରୁ ଏଫ୍‍ସିର ଖେଳାଳିଙ୍କୁ ଫାଉଲ ହେବାରୁ ବେଙ୍ଗାଲୁରୁକୁ ଏକ ପେନାଲ୍‍ଟି ମିଳିଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଏଥିରୁ ଗୋଲ୍‍ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଏହାର ୧ ମିନିଟ୍ ପରେ ଭେନେଜୁଏଲାର ଫରୱାର୍ଡ ନିକୋଲାସ୍ ଫେଡର ଓରଫ ମିକୁ ଏକ ଚମତ୍କାର ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ୨ଟି ଗୋଲ ପଛରେ ରହିବା ପରେ ଇଷ୍ଟବେଙ୍ଗଲ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ବେଙ୍ଗାଲୁରୁ ଏଫସି କୌଣସି ସୁଯୋଗ ଦେଇନଥିଲା। ୯୦ ମିନିଟ୍ରେ ସୁନୀଲ ଛେତ୍ରୀ ବ୍ୟକ୍ତିଗତ ୨ୟ ତଥା ଦଳ ପକ୍ଷରୁ ୪ର୍ଥ ଗୋଲ୍‍ ସ୍କୋର୍‍ କରିଥିଲେ।
ମ୍ୟାଚ୍‍ରେ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ ଲାଗି ସୁନୀଲ ଛେତ୍ରୀ ମ୍ୟାନ୍‍ ଅଫ ଦି ଫାଇନାଲ ବିବେଚିତ ହୋଇଥିଲେ। ତାଙ୍କ ଦଳର ମିକୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚମ୍ପିଆନ୍‍ ବେଙ୍ଗାଲୁରୁ ଏଫ୍‍ସି ଖେଳାଳିଙ୍କୁ ସୁପର କପ୍‍ ଟ୍ରଫି ପ୍ରଦାନ କରିଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସଚିବ ବିଶାଳ ଦେବ, ନିର୍ଦେଶକ ଆର୍‍. ବିନୀଳ କୃଷ୍ଣ, ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ)ର ସଭାପତି ବିଧାୟକ ଦେବାଶିଷ ସାମନ୍ତରାୟ, ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‍ଏଫ୍‍)ର ଉପସଭାପତି ସୁବ୍ରତ ଦତ୍ତ ପ୍ରଭୃତି ଉଭୟ ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଫାଓ ଉପସଭାପତି ଭକ୍ତବଲ୍ଲଭ ଦାସ, ବିଜୟ ଦାସ, ତଡ଼ିତ କୁମାର ରାଉତ, ଦିଲୀପ ସାହୁ, ଯୁଗ୍ମସମ୍ପାଦକ ଅଭିଜିତ ପାଲ ଓ ସଂଗୀତା ଶର୍ମା ଏବଂ ଦୁର୍ଗାମାଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply