କଂଗ୍ରେସ ବିଚାରପତିଙ୍କୁ ଡରାଇବାକୁ ଚେଷ୍ଟା କରୁଛି : ଅରୁଣ ଜେଟଲୀ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି । ବିଜେପି ଏହି ଘଟଣାରେ କଂଗ୍ରେସ ବିରୋଧରେ ସମ୍ବିଧାନ ଅବମାନନାର ଅଭିଯୋଗ ଆଣିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ବିରୋଧୀ ନ୍ୟାୟପାଳିକାକୁ ନେଇ ରାଜନୀତି କରୁଛନ୍ତି । ବିରୋଧୀ ଅଦାଲତ ଓ ବିଚାରପତିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ମହାଭିଯୋଗକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି ବିଚାରପତିଙ୍କୁ ଡରାଇବାକୁ ଚେଷ୍ଟା କରୁଛି ବୋଲି ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଅଭିଯୋଗ କରିଛନ୍ତି । ଅରୁଣ ଜେଟଲୀ ମହାଭିଯୋଗକୁ ‘ପ୍ରତିଶୋଧର ଆବେଦନ’ ବୋଲି କହିଛନ୍ତି । କଂଗ୍ରେସର ଏଭଳି ପଦକ୍ଷେପକୁ ଜେଟଲୀ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ବିପଦ ବୋଲି ଦର୍ଶାଇଛନ୍ତି । ଜଷ୍ଟିସ୍‌ ଲୋୟା ମୃତ୍ୟୁ ଘଟଣାର ସ୍ୱତନ୍ତ୍ର ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କଂଗ୍ରେସ ପ୍ରତିଶୋଧ ପରାୟଣ ହୋଇ ଏଭଳି ପଦକ୍ଷେପ ନେଇଛି ବୋଲି କୁହାଯାଉଛି । ପ୍ରକାଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ କଂଗ୍ରେସ ସମେତ ସପା, ଏନ୍‌ସିପି, ସିପିଆଇ, ସିପିଆଇ(ଏମ୍‌), ବିଏସ୍‌ପି ଏବଂ ମୁସଲିମ୍‌ ଲିଗ୍‌ ୭୧ ସାଂସଦଙ୍କ ଦସ୍ତଖତ ସମ୍ବଳିତ ପତ୍ର ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।

Leave A Reply