ଆଜି ଇଷ୍ଟବେଙ୍ଗଲ-ବେଙ୍ଗାଲୁରୁ ଫାଇନାଲ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଶୁକ୍ରବାର ଦେଶର ଦୁଇ ପ୍ରତିଷ୍ଠିତ କ୍ଳବ୍‍ ଇଷ୍ଟବେଙ୍ଗଲ ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳାଯିବ। ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଥିବା ବେଙ୍ଗାଲୁରୁ ଏଫସି ଓ ଇଷ୍ଟବେଙ୍ଗଲ ପ୍ରଥମ ଟାଇଟଲ ହାସଲ ନେଇ ଉଦ୍ୟମ କରିବେ ନିଶ୍ଚୟ। ଏଣେ ଦର୍ଶକ ମଧ୍ୟ ଟୁର୍ଣ୍ଣାମେଣ୍ଟର ଏକ ରୋମାଞ୍ଚକର ପରିସମାପ୍ତି ନେଇ ଆଶା ରଖିଛନ୍ତି। ମ୍ୟାଚ ଲାଗି ଉଭୟ ଦଳ ଗୁରୁବାର ଜୋରଦାର ଅଭ୍ୟାସ କରିବା ସହିତ ରଣନୀତି ଚୂଡାନ୍ତ କରିଛନ୍ତି।

ଦେଶର ପ୍ରତିଷ୍ଠିତ କ୍ଲବ୍‍ କଲକାତାର ଇଷ୍ଟବେଙ୍ଗଲ ସୁପର କପ୍‍ ଫୁଟବଲରେ ନିଜର ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛି। ଦଳ ପ୍ରିକ୍ୱାର୍ଟରଫାଇନାଲରେ ୨-୧ ଗୋଲରେ ମୁମ୍ବଇ ସିଟି ଏଫ୍‍ସିକୁ , କ୍ୱାର୍ଟରଫାଇନାଲରେ ଶକ୍ତିଶାଳୀ ଆଇଜଲ ଏଫସିକୁ ୧-୦ ଗୋଲରେ ପରାସ୍ତକରି ସେମିରେ ପହଞ୍ଚିଥିଲା। ସେମିଫାଇନାଲରେ ଏଫ୍‍ସି ଗୋଆକୁ ୧-୦ ଗୋଲରେ ହରାଇ ଇଷ୍ଟବେଙ୍ଗଲ ଫାଇନାଲକୁ ଉନ୍ନୀତ ହୋଇଛି। ଖାଲିଦ୍‍ ଜମିଲଙ୍କ ପ୍ରଶିକ୍ଷଣପ୍ରାପ୍ତ ଇଷ୍ଟବେଙ୍ଗଲ ଦଳରେ ମହମୁଦ୍‍ ଅଲ୍‍ ଆମ୍‍ନା, ଜାପାନୀ ଖେଳାଳି କାତ୍‍ସୁମି ୟୁସା, ଲାଲଡାନମାୱିଆ ରାଲ୍‍ଟେ ଓ ନାଇଜେରିଆନ ଫରୱାର୍ଡ ଡୁଡୁ ଓମାଗ୍‍ବେମି ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ଇଷ୍ଟବେଙ୍ଗଲ ଅଦ୍ୟାବଧି ବିପକ୍ଷକୁ ୩ଟି ଗୋଲ ଦେଇଥିବାବେଳେ ଗୋଟିଏ ଗୋଲ ବରଣ କରିଛି। ଆଇଏସ୍‍ଏଲ ରନର୍ସଅପ ବେଙ୍ଗାଲୁରୁ ଏଫ୍‍ସି ମଧ୍ୟ ପ୍ରତିଯୋଗିତାର ପ୍ରଥମ ଟାଇଟଲକୁ ହାତେଇବାର ଲକ୍ଷ୍ୟ ରଖିଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ୱ ଓ ଆଲବର୍ଟ ରୋକାଙ୍କ ପ୍ରଶିକ୍ଷଣପ୍ରାପ୍ତ ବେଙ୍ଗାଲୁରୁ ଫାଇନାଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିବାକୁ ଉଦ୍ୟମ କରିବ। ବେଙ୍ଗାଲୁୁରୁ ଏଫସି ପ୍ରିକ୍ୱାର୍ଟରଫାଇନାଲରେ ୨-୧ ଗୋଲରେ ଗୋକୁଳମ୍‍ ଏଫ୍‍ସିକୁ, କ୍ୱାର୍ଟରଫାଇନାଲରେ ୩-୧ ଗୋଲରେ ନେରୋକା ଏଫ୍‍ସିକୁ ଓ ସେମିଫାଇନାଲରେ ୪-୨ ଗୋଲରେ ମୋହନ ବାଗାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅଧିନାୟକ ସୁନୀଲ ଛେତ୍ରି ଓ ଭେନେଜୁଏଲାର ଫରୱାର୍ଡ ନିକୋଲାସ ଫେଡର ଓରଫ ମିକୁ ପ୍ରତିଯୋଗିତାର ଏପର୍ଯ୍ୟନ୍ତ ସଫଳ ଆକ୍ରମଣ ଯୋଡ଼ିର ମାନ୍ୟତା ହାସଲ କରିଛନ୍ତି। ଉଭୟ ଖେଳାଳି ଅଦ୍ୟାବଧି ହାଟ୍ରିକ୍‍ ସହ ୪ଟି ଲେଁଖାଏଁ ଗୋଲ ସ୍କୋର୍‍ କରିଛନ୍ତି। ପୁଣି ଗୋଲ୍‍ରକ୍ଷକ ଗୁରୁପ୍ରୀତ୍‍ ସିଂହ ସାନ୍ଧୁ, ଉଦାନ୍ତ ସିଂହ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ବେଙ୍ଗାଲୁରୁ ଏଫସି ପ୍ରତିପକ୍ଷକୁ ୯ଟି ଗୋଲ ଦେଇଥିବା ବେଳେ ୪ଟି ଗୋଲ ବରଣ କରିଛି।

Leave A Reply