ରାମଜନ୍ମଭୂମି ଥାନାରେ ସାଧୁଙ୍କ ଆତ୍ମାହୁତି

0

ଲକ୍ଷ୍ନୌ : ଅଯୋଧ୍ୟାର ରାମଜନ୍ମଭୂମି ଥାନାରେ ଆତ୍ମାହୁତି କରିଥିବା ସାଧୁଙ୍କ ଗୁରୁବାର ଟ୍ରମା ସେଣ୍ଟରରେ ମୃତ୍ୟୁ ଘଟିଛି। ପୁଲିସ୍‌ର କାର୍ଯ୍ୟରେ କ୍ଷୁବ୍ଧ ହୋଇ ସାଧୁ ଜଣଙ୍କ ଆତ୍ମାହୁତି ଦେଇଥିଲେ। ତାଙ୍କ ଶରୀରର ୭୦% ଅଂଶ ଜଳିଯାଇଥିଲା। ଟ୍ରମା କେୟାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଭୋପାଳ ନିବାସୀ ସାଧୁ ରାମଦାସ ତ୍ୟାଗୀ (୫୦) ସପ୍ତାହେ ପୂର୍ବରୁ ଅଯୋଧ୍ୟା ଦର୍ଶନରେ ଆସିଥିଲେ। ରବିବାର ହୁମାନଗଡ଼ି ଦର୍ଶନ ସମୟରେ ତାଙ୍କ ବ୍ୟାଗ ଓ ଆସବାବପତ୍ର ସହ ନଗଦ ୩୫୦୦ ଟଙ୍କା ଚୋରି ହୋଇଯାଇଥିଲା। ସନ୍ଦେହରେ ସାଧୁ ଜଣେ ବ୍ୟକ୍ତିଙ୍କୁ ଧରି ପୁଲିସ୍‌ ଜିମା ଦେଇଥିଲେ। ମାତ୍ର ପୁଲିସ୍‌ ଉକ୍ତ ଲୋକଠୁ ଉତ୍କୋଚ ନେଇ ତାକୁ ଛାଡ଼ି ଦେଇଥିଲା ଓ ମାମଲା ରୁଜୁ କରିନଥିଲା। ସାଧୁଙ୍କ ପାଖରେ ଘରକୁ ଫେରିବା ପାଇଁ ବି ଟଙ୍କା ନଥିଲା। ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ସାଧୁ ଜଣକ ଥାନାରେ ନିଜ ଉପରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଦେଇଥିଲେ। ପୁଲିସ୍‌ ନିଅାଁ ଲିଭାଇ ତାଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସାଧୁଙ୍କ ମୃତ୍ୟୁ ପରେ ଅଯୋଧ୍ୟା ସିଟି ଏସ୍‌ପି ଅନୀଲ ସିଂହ ସିସୋଦିଆ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି। ମାମଲା ରୁଜୁ କରାନଯିବା ଘଟଣାକୁ ଗୁରୁତର ସହ ନେଇ ଥାନା ଅଧିକାରୀ ରାଜୀବ ସିଂହ, କନଷ୍ଟେବଳ ରାମ ସୁନ୍ଦର ପାଣ୍ଡ୍ୟା, କନଷ୍ଟେବଳ ଚନ୍ଦ୍ରିକା ସୋନକରଙ୍କୁ ନିଲମ୍ବନ କରାଯାଇଛି।

Leave A Reply