ସୁପର କପ୍: ବେଙ୍ଗାଲୁରୁ ବିଦା; ସେମିରେ ଚେନ୍ନଇ ସିଟି
ଭୁବନେଶ୍ବର : ଗତବର୍ଷର ଚମ୍ପିଆନ ବେଙ୍ଗାଲୁରୁ ଏଫ୍ସି ସୁପର କପ୍ ୨ୟ ସଂସ୍କରଣ ପ୍ରତିଯୋଗିତାରୁ ବିଦାୟ ନେଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଉକ୍ତ ପ୍ରତିଯୋଗିତାର ଗୁରୁବାର ପ୍ରଥମ କ୍ବାର୍ଟରଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ ଚେନ୍ନଇ ସିଟି ଏଫ୍ସି ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଚେନ୍ନଇ ସିିଟି ଏଫ୍ସିର ବିଜୟ ପଛରେ ପି. ମାଞ୍ଜି ଓ ଏନ. ଗ୍ରୋର୍ଡିଲୋଙ୍କ ଗୁରୁତପୂର୍ଣ୍ଣ ଭୂମିକା ରହିଥିଲା।
ଆଇଏସ୍ଏଲ ଚମ୍ପିଆନ ବେଙ୍ଗାଲୁରୁ ଏଫ୍ସି ଓ ଆଇ-ଲିଗ୍ ଚମ୍ପିଆନ ଚେନ୍ନଇ ସିଟି ଏଫ୍ସି ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରାରମ୍ଭରୁ େଚନ୍ନଇ ସିଟି ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୧୫ ମିନିଟ୍ରେ ବେଙ୍ଗାଲୁରୁ ଏଫ୍ସିର ଦୁର୍ବଳ ଡିଫେନ୍ସର ଫାଇଦା ଉଠାଇ ଚେନ୍ନଇ ସିଟି ଏଫ୍ସି ପକ୍ଷରୁ ଏନ. ଗ୍ରୋର୍ଡିଲୋ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଗୋଟିଏ ଗୋଲ ପଛରେ ରହିବା ପେର ବେଙ୍ଗାଲୁରୁ ଏଫ୍ସି ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲା। ଦଳ ଏକାଧିକ ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ଚେନ୍ନଇ ସିଟି ଏଫ୍ସି ଇଟାଲୀର ମାରିଓ ଗୋଲକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ ଚେନ୍ନଇ ସିଟି ଏଫ୍ସି ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଖେଳରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ବେଙ୍ଗାଲୁୁରୁ ଗୋଲ ବରାବର କରିବାକୁ ଉଦ୍ୟମ କରୁଥିବା ବେଳେ ଚେନ୍ନଇ ସିଟି ଏଫ୍ସି ପକ୍ଷରୁ ପି. ମାଞ୍ଜି ୫୫ ମିନିଟ୍ରେ ୨ୟ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୨-୦ ଗୋଲ ପଛରେ ରହିବା ପରେ ବେଙ୍ଗାଲୁରୁ ମ୍ୟାଚକୁ ଫେରିବା ନେଇ ଜୋରଦାର ଉଦ୍ୟମ କରିଥିଲା। ୬୫ ମିନିଟ୍ରେ ବେଙ୍ଗାଲୁୁରୁ ଏଫ୍ସି ଅଧିନାୟକ ସୁନୀଲ ଛେତ୍ରୀ ଗୋଟିଏ ଗୋଲ ସୁଝାଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ଶେଷ ପର୍ୟ୍ୟନ୍ତ ବେଙ୍ଗାଲୁରୁ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଚେନ୍ନଇ ସିଟି ଏଫ୍ସି ଖେଳାଳି କୌଣସି ସୁଯୋଗ ଦେଇନଥିଲେ। ଶୁକ୍ରବାର ୨ୟ କ୍ବାର୍ଟରଫାଇନାଲ ଦିଲ୍ଲୀ ଡାଇନାମୋଜ୍ ଓ ଆଟ୍ଲେଟିକୋ ଡି କଲକାତା (ଏଟିକେ) ମଧ୍ୟରେ ଖେଳାଯିବ।
Comments are closed.