ରଥ ନିର୍ମାଣ ଅନୁକୂଳ ; ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା

0

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଛି ରଥ ନିର୍ମାଣ । ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଦେଉଳ ପୁରୋହିତ ୩ଖଣ୍ଡ ଧଉଁରା କାଠରେ କୁରାଢ଼ି ସ୍ପର୍ଶ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ବୁଧବାର ଶ୍ରୀଜୀଉଙ୍କ ମଧ୍ୟାହ୍ନଧୂପ ଓ ଦ୍ୱାଦଶଯାତ୍ରା ବନ୍ଦାପନା ପରେ ରାମକୃଷ୍ଣ, ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ। ୩ଜଣ ପୂଜାପଣ୍ଡା ସେବକ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ଧରି ଶୋଭାଯାତ୍ରାରେ ରଥଖଳାକୁ ଯାଇଥିଲେ। ସେଠାରେ ୩ଖଣ୍ଡ ୧୨ଫୁଟିଆ ଧଉଁରା କାଠ ରଖାଯାଇଥିଲା। ପୂଜାପଣ୍ଡା ସେବକ ସେଥିରେ ଆଜ୍ଞାମାଳ ଲାଗି କରିଥିଲେ। ଏହାପୂର୍ବରୁ ରଥଖଳାରେ ନୃସିଂହ ମନ୍ତ୍ରରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଦେଉଳ ପୁରୋହିତ, ରାଜଗୁରୁ ଏବଂ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କରିଥିଲେ । ମହାରଣା ସେବକଙ୍କ ମୁଣ୍ଡରେ ଶାଢ଼ି ବନ୍ଧାଯାଇ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା । ଘଣ୍ଟ, ଘଣ୍ଟା, କାହାଳି ଓ ହରିବୋଲ ହୁଳହୁଳି ଧ୍ୱନିରେ ରଥଖଳା କମ୍ପି ଉଠିଥିଲା । ରଥ ନିର୍ମାଣ ଆରମ୍ଭ ପାଇଁ ମହାରଣା ସେବକ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ଉପସ୍ଥିତ ଥିଲେ। ଦେଉଳ ପୁରୋହିତ ପଦ୍ମନାଭ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସିଦେ୍ଧଶ୍ୱର ମହାପାତ୍ର, ଦେବୀପ୍ରସାଦ ରାଜଗୁରୁ ଏବଂ ଲିଙ୍ଗରାଜ ମିଶ୍ର ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ।
ଚଳିତବର୍ଷ ଜୁଲାଇ ୧୪ରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ୨୧ରେ ସନ୍ଧ୍ୟାଦର୍ଶନ, ୨୨ରେ ବାହୁଡ଼ା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ତାରିଖରେ ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ। ଗତବର୍ଷଠାରୁ ୧୮୪ଖଣ୍ଡ କାଠ ବଳକା ରହିଛି । ଅବଶିଷ୍ଟ ୬୮୧ ଅସନ, ଧଉଁରା ଓ ଫାସିକାଠ ଯୋଗାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।

Leave A Reply