ନିରର୍ଥକ “ନୋଟା”
ହରିହର ତ୍ରିପାଠୀ
ଭାରତୀୟ ଗଣତନ୍ତ୍ରରେ ନାଗରିକମାନଙ୍କ ଉଦାସୀନତା ଦିନକୁ ଦିନ ବଢ଼ିବା ଦେଖାଯାଉଛି। ରାଜନୈତିକ ଦଳମାନଙ୍କର ଅପରିଣାମଦର୍ଶୀ କାର୍ଯ୍ୟକଳାପ, ଦୁର୍ନୀତି, ଭ୍ରଷ୍ଟାଚାର ଆଦିରେ ବ୍ୟସ୍ତ ଦେଶବାସୀ ଗଣତନ୍ତ୍ର ପ୍ରକ୍ରିୟାରେ ଭାଗନେବାକୁ ଅନିଚ୍ଛୁକ ହେବାବେଳେ ‘ଭୋଟ୍ ଦେବା ଗଣତନ୍ତ୍ରରେ ଏକ ପବିତ୍ର କର୍ତ୍ତବ୍ୟ’ର ବାଧ୍ୟବାଧକତା ମଧ୍ୟ ରହିଛି। ସେଥିଲାଗି ଉଦାସୀ ଭାରତୀୟ ଭୋଟରଟି କାହାକୁ ନା କାହାକୁ ଇଚ୍ଛା ନଥିଲେ ବି ଭୋଟ୍ ଦେଉଛି। ତେବେ ଯୁବପିଢିଙ୍କ ଭିତରେ ଏବେ ଏହି ଉଦାସୀନତା ଅଧିକ ପ୍ରସାରଲାଭ କରୁଥିବା ବେଳେ ‘ନୋଟା’ ନାମକ ଅଦୃଶ୍ୟ ପ୍ରାର୍ଥୀ ପ୍ରତି ସମର୍ଥନ ବଢିବା ଦେଖାଯାଉଛି। ‘ନୋଟା’ ହେଉଛି ‘ନନ୍ ଅଫ୍ ଦି ଏବଭ’ । ଅର୍ଥାତ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କୌଣସି ପ୍ରାର୍ଥୀ ଯଦି ଆପଣଙ୍କର ପସନ୍ଦ ନୁହନ୍ତି ତେବେ ଆପଣ ଚାହିଁଲେ ‘ନୋଟା’ ବଟନ୍ଟିକୁ ଚିପି ଆପଣଙ୍କ ଭୋଟ୍ ପ୍ରଦାନ କରିପାରିବେ। ଏହି ଭୋଟ୍ ସୂଚାଇବ ଯେ ଆପଣ କାହାରିକୁ ପସନ୍ଦ କରୁ ନାହାନ୍ତି । ୨୦୧୩, ସେପ୍ଟେମ୍ବର ୨୭ ତାରିଖ ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ଭୋଟରମାନଙ୍କୁ ଏହି ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିଥିଲେ। ୨୦୦୯ ମସିହାରେ ଦେଶର ନିର୍ବାଚନ ଆୟୋଗ ‘ନୋଟା’ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ସରକାର ବିରୋଧ କରିଥିଲେ। ତେବେ ‘ଦ ପିପୁଲ୍ସ ୟୁନିଅନ ଫର୍ ସିଭିଲ୍ ଲିବର୍ଟିଜ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ନୋଟା’ ସପକ୍ଷରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରିଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ୍କୋର୍ଟ ‘ନୋଟା’ ପ୍ରଚଳନ ଲାଗି ନିର୍ଦେଶ ଦେଇଥିଲେ। ତେବେ ଭାରତର ନିର୍ବାଚନରେ ଏହି ‘ନୋଟା’ ଭୋଟ୍ଗୁଡିକ ଅର୍ଥହୀନ ଭୋଟ୍ଭାବେ ନିର୍ବାଚନ କମିସନ୍ ମୂଳରୁ ଘୋଷଣା କରିଦେଇଥିଲେ। ଅର୍ଥାତ୍ ‘ନୋଟା’ରେ ପଡିଥିବା ଭୋଟ୍ଗୁଡିକ ମୂଲ୍ୟହୀନ ଭୋଟ୍ ଭାବେ ଗଣାହେବ ଏବଂ ଏହା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିପାରିବ ନାହିଁ। ସେ ଦୃଷ୍ଟିରୁ ଦେଖିଲେ ଭୋଟରଙ୍କ ତ୍ରୁଟି ଯୋଗୁ ନାକଚ ହେଉଥିବା ଭୋଟ୍ ଓ ‘ନୋଟା’ ଭିତରେ କୌଣସି ଫରକ ନାହିଁ ବୋଲି କୁହାଯାଇ ପାରିବ।
୨୦୧୪ ନିର୍ବାଚନରେ ‘ନୋଟା’ ବଟନ୍ ବ୍ୟବହୃତ ହେଲା ଏବଂ ଦେଶର ୧.୧ ପ୍ରତିଶତ ଲୋକଙ୍କର ପସନ୍ଦ ଥିଲା ‘ନୋଟା’। ପ୍ରାୟ ୬୦ ଲକ୍ଷ ଭୋଟ୍ ‘ନୋଟା’ରେ ପଡିଥିଲା। ‘ନୋଟା’ କେବଳ ଭାରତ ନୁହେଁ, ଗ୍ରୀସ୍, ଯୁକ୍ତରାଷ୍ଟ୍ର ଆମେରିକା, ବେଲାରୁଷ, ସ୍ପେନ୍, ଉତ୍ତର କୋରିଆ, କଲମ୍ବିଆ, ରୁଷ, ବାଂଲାଦେଶ ଓ ପାକିସ୍ତାନରେ ବି ନୋଟା ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯଦି ‘ନୋଟା’ରେ ଅଧିକ ସଂଖ୍ୟକ ଭୋଟ୍ ପଡ଼େ ତେବେ ଏକାଧିକ ବିଳଳ୍ପ ବ୍ୟବସ୍ଥା କରାଯାଇପାରେ। ଏମିତିକି ପୁଣିଥରେ ନିର୍ବାଚନ ହେବା ଲାଗି ମଧ୍ୟ ଅନେକ ଦେଶରେ ବ୍ୟବସ୍ଥା ରହିଛି। ମାତ୍ର ଭାରତ ଓ ଆମେରିକାରେ ‘ନୋଟା’ର କୌଣସି ଅର୍ଥ ନାହିଁ। ଏହା କେବଳ ନିର୍ବାଚନର ଏକ ଅଳଙ୍କାର !
ସଂପ୍ରତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସଂଗଠନ ପକ୍ଷରୁ ‘ନୋଟା’ ସପକ୍ଷରେ କ୍ୟାମ୍ପେନ ଆରମ୍ଭ ହୋଇଛି। ଅପାରଗ ଓ ଦୁର୍ନୀତିଗ୍ରସ୍ତ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ‘ନୋଟା’ରେ ଭୋଟ୍ ଦେବା ଲାଗି ଯୁବପିଢିଙ୍କୁ ଆେବଦନ କରାଯାଉଛି। ତେବେ ଏ ପ୍ରକାର କ୍ୟାମ୍ପେନର ଅର୍ଥ କ’ଣ? ଏହା କ’ଣ ଆମର ବିଗୁଡୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଛି ସୁଧାର ଆଣି ପାରିବ କି ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କଲେଣି। ଉଦାହରଣ ସ୍ୱରୂପ କୌଣସି ଏକ ନିର୍ବାଚନମଣ୍ଡଳୀରେ ୧୦୦୦ ଭୋଟର ଅଛନ୍ତି। ସେଥିରୁ ଯଦି ୯୦୦ ଭୋଟ୍‘ନୋଟା’ରେ ପଡିଲା ତେବେ ବାକି ୧୦୦ ଭୋଟରୁ ଜଣେ ୬୦ ଭୋଟ୍ ପାଇଲେ ଜିତିଯିବ। ‘ନୋଟା’ ଭୋଟ୍ ପରୋକ୍ଷରେ ସ୍ୱଳ୍ପ ଭୋଟ୍ରେ ଜିତିଥିବା ପ୍ରାର୍ଥୀଙ୍କ ସପକ୍ଷ ଭୋଟ୍ ଭାବେ ଗଣାଯିବ।
‘ନୋଟା’ରେ ପଡୁଥିବା ଭୋଟ୍ ଭୋଟରଙ୍କ ଉଦାସୀନତାର ପ୍ରତିଫଳନ। ମାତ୍ର ଅସନ୍ତୋଷ ଜାହିର କରିବାର ଏକ ଅର୍ଥହୀନ ମାର୍ଗ। ‘ନୋଟା’ ବଦଳରେ ଯଦି ଭୋଟରମାନେ ପ୍ରତ୍ୟାଖ୍ୟାନ ଭୋଟ୍ ଦିଅନ୍ତେ ଯାହାକି ନଗେଟିଭ୍ ଭୋଟିଂ ଭାବେ ଗଣାଯାଆନ୍ତା ତେବେ ବୋଧହୁଏ ଅଧିକ ସୁଫଳ ମିଳନ୍ତା ଯାହାଫଳରେ କି ରାଜନୈତିକ ଦଳମାନେ ଅଧିକ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିସଂପନ୍ନ, ନିର୍ବିବାଦୀୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରନ୍ତେ। ଏଭଳି ଏକ ମତ ଭାରତର ପୂର୍ବତନ ମୁଖ୍ୟବିଚାରପତି ପି. ସଥାଶିବମ୍ ପ୍ରଦାନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳମାନଙ୍କର ଦେଶପ୍ରତି କର୍ତ୍ତବ୍ୟ ଓ ପ୍ରତିଶ୍ରୁତିବଦ୍ଧତା ଭୋଟର ଆଶା କରେ। ମାତ୍ର ଏଭଳି କିଛି ହେଉନି। ହାଇକମାଣ୍ଡପ୍ରାଧାନ୍ୟ ସଂସ୍କୃତିରେ ଟିକଟ୍ ପାଇବା ଲାଗି ପ୍ରାର୍ଥୀମାନେ ଅର୍ଥ, ତୋଷାମଦ, ବାହୁବଳ ସବୁକିଛି କାମରେ ଲଗାଉଛନ୍ତି। ସମ୍ବିଧାନ ଅନୁସାରେ ରାଜନୀତି କରିବା ଲାଗି ସମସ୍ତଙ୍କର ଅଧିକାର ରହିଛି, କିନ୍ତୁ ନିର୍ବାଚନରେ ପ୍ରାର୍ଥୀ ହେବା ବା ଲୋକପ୍ରତିନିଧି ହେବା ପାଇଁ କିଛିଟା ରାଜନୀତିକ ଓ ସାମାଜିକ ଅଭିଜ୍ଞତା ଥିବା ଏକାନ୍ତ ଆବଶ୍ୟକ। ଏବେ ଏମିତି ଲୋକ ପ୍ରାର୍ଥୀ ହେଉଛନ୍ତି ଯେଉଁମାନଙ୍କର ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ସାମାନ୍ୟତମ ଧାରଣା ମଧ୍ୟ ନାହିଁ। ଗାଁ ଗଣ୍ଡା ବୁଲି ନଥିବା, ଗାଁର ପରିବେଶ, କୃଷି, ଜୀବନଜୀବିକା, ଧର୍ମସଂସ୍କୃତି ବିଷୟରେ ଜାଣି ନଥିବା ଲୋକେ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସମସ୍ୟା ଓ ସୁବିଧା ଅସୁବିଧା ବିଷୟରେ କ’ଣ ଜାଣିଥିବ ? ଆଉ ଏମିତି ରାଜନେତାମାନଙ୍କ ଲାଗି ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ବି ଦେଶର ସ୍ଥିତି ସୁଧୁରି ପାରୁନି ।
ଯେମିତି ଭୋଟ୍ ଦେବା ପ୍ରତ୍ୟେକ ନାଗରିକର ଏକ କର୍ତ୍ତବ୍ୟ ବୋଲି ସବୁଆଡେ ପ୍ରଚାର କରାଯାଉଛି, ଠିକ୍ ସେମିତି ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ଛିଡା କରାଇବା ରାଜନୈତିକ ଦଳମାନଙ୍କର କର୍ତ୍ତବ୍ୟ ହେବା ଉଚିତ। ଭୋଟରମାନେ ହୁଏତ ତାଙ୍କର କର୍ତ୍ତବ୍ୟ ପାଳନ କରିପାରନ୍ତି, ମାତ୍ର ଭ୍ରଷ୍ଟ ରାଜନେତାମାନେ ସେମାନଙ୍କ କର୍ତ୍ତବ୍ୟ କରିବେ କି ? ଏଭଳି ସ୍ଥିତିରେ ଅଧିକରୁ ଅଧିକ ଦକ୍ଷ, ନିର୍ମଳ ଭାବମୂର୍ତ୍ତିସଂପନ୍ନ ଲୋକ ରାଜନୀତିକୁ ଓହ୍ଲାଇବାର ଆବଶ୍ୟକତା ରହିଛି। ଏହା ହେଲେ ହୁଏତ ବ୍ୟବସ୍ଥା ବଦଳି ଯାଆନ୍ତା। ସେତେବେଳେ ଆଉ ‘ନୋଟା’ ଭଳି ଉଦାସୀ ଭୋଟ୍ର ଆବଶ୍ୟକତା ପଡନ୍ତା ନାହିଁ ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା
Comments are closed.