ଆଇପିଏଲ୍ ବେଟିଂ: ପୂର୍ବତନ ଜାତୀୟ ମହିଳା ପ୍ରଶିକ୍ଷକ ଆରୋଥେ ଗିରଫ
ବଦୋଦରା : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମ୍ୟାଚ୍ରେ ବେଟିଂ କରୁଥିବା ଅଭିଯୋଗରେ ବରୋଦା ପୁଲିସ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ପୂର୍ବତନ ରଣଜୀ ଖେଳାଳି ତୁଷାର ଆରୋଥେଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରିଥିଲା। ତେବେ ତୁଷାରଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ; ବରୋଦାର ଅଳକାପୁରୀ ଅଞ୍ଚଳର ଏକ କାଫେରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍ ସମୟରେ କେତେକ ବ୍ୟକ୍ତି ବେଟିଂରେ ଲିପ୍ତ ଥିବା ଖବର ମିଳିବା ପରେ ସେଠାରେ ଚଢ଼ାଉ କରା ଯାଇଥିଲା। କାଫେରେ ଉପସ୍ଥିତ ତୁଷାର ଆରୋଥେ ତାଙ୍କର ଦୁଇ ବନ୍ଧୁ ହେମାଙ୍ଗ ପଟେଲ ଓ ନିଶ୍ଚଳଙ୍କ ସମେତ ୧୯ ଜଣ ବ୍ୟକ୍ତି ବେଟିଂରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ କାଫେରେ ଏକ ବଡ଼ ସ୍କ୍ରିନ୍ ଲଗାଯାଇ ଆଇପିଏଲ୍ ମ୍ୟାଚ୍ର ସିଧା ପ୍ରସାରଣ ଦେଖା ଯାଉଥିଲା। କାଫେରେ ମ୍ୟାଚ୍ ଦେଖୁଥିବା କିଛି ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ରେ ବେଟିଂ ଆପ୍ ରହିଥିଲା। ଏହି ଆପ୍ ବ୍ୟବହାର କରି ସେମାନେ ବେଟିଂ କରୁଥିଲେ। କାଫେ ନିକଟରେ ଥିବା ଏକ ଘରେ କେତେକ ବ୍ୟକ୍ତି ଏହି ବେଟିଂ ରାକେଟ୍ ଚଳାଉଥିଲେ। ଆରୋଥେଙ୍କ ସହ ପୁଲିସ ସେଠାରୁ ମୋଟ ୧୯ ଜଣଙ୍କୁ ଗିରଫକରି ସେମାନଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା। ଗିରଫଙ୍କ ମଧ୍ୟେର କିଛି କଲେଜ ପିଲା ଥିବା ଜଣାପଡ଼ିଛି। ଏହି ବେଟିଂ ରାକେଟ୍ ଚଳାଉଥିବା ବାବା ନାମଧାରୀ ବ୍ୟକ୍ତିକୁ ପୁଲିସ ଖୋଜୁଛି।
ତୁଷାରଙ୍କ ପୁଅ ଋଷି ଆରୋଥେ ଏହି କାଫେର ଅନ୍ୟତମ ମାଲିକ। ତାଙ୍କ ସହ ହେମାଙ୍ଗ ମିଶି କାଫେ ଚଳାଉଛନ୍ତି। ଚଢ଼ାଉ ସମୟରେ ଋଷି କାଫେରେ ଉପସ୍ଥିତ ନ ଥିଲେ। ଅନ୍ୟପକ୍ଷରେ ତୁଷାରଙ୍କ ମୋବାଇଲ୍ ଫୋନ୍ରୁ ବେଟିଂ ଆପ୍ ମିଳିନଥିବା ପୁଲିସ ସୂଚନା ଦେଇଛି। ତେବେ କାଫେରେ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ତୁଷାରଙ୍କୁ ଗିରଫ କରା ଯାଇଥିବା ପୁଲିସ କହିଛି। ଏହା ସଂପର୍କରେ ପ୍ରତିକ୍ରିୟା ଦେଇ ତୁଷାର କହିଥିଲେ ଯେ ସେ କୌଣସି ପ୍ରକାର ବେଟିଂରେ ଲିପ୍ତ ନାହାନ୍ତି। ପୁଲିସ ଚଢ଼ାଉର ୨୦ ମିିନିଟ୍ ପୂର୍ବରୁ ସେ କାଫେକୁ ଯାଇଥିଲେ। ହେମାଙ୍ଗ ତାଙ୍କର ଜଣାଶୁଣା ହୋଇଥିଲେ ମଧ୍ୟ ସେ ହେମାଙ୍ଗଙ୍କ ନିକଟରେ ବସି ନ ଥିଲେ। ହେମଙ୍ଗ ବେଟିଂରେ ଲିପ୍ତ ଥିବା ବିଷୟ ସେ ଜାଣିନଥିଲେ। ସେହିପରି କାଫେରେ ଉପସ୍ଥିତ କୌଣସି ଗ୍ରାହକ ମୋବାଇଲ୍ ଫୋନ୍ ମାଧ୍ୟମରେ ବେଟିଂ କଲେ ସେ କିପରି ଜାଣିପାରିବେ ବୋଲି ତୁଷାର ପାଲଟା ପ୍ରଶ୍ନ କରିଛନ୍ତି। ତାଙ୍କ ମୋବାଇଲରେ ବେଟିଂ ଆପ୍ ନ ଥିବା ସତ୍ତ୍ବେ ପୁଲିସ ତାଙ୍କୁ ଗିରଫ କରିବା ଅନ୍ୟାୟ ବୋଲି ତୁଷାର ଅଭିଯୋଗ କରିବା ସହ ପୁଲିସର କାର୍ଯ୍ୟକଳାପକୁ ନେଇ ଆଇନର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅଲ୍ରାଉଣ୍ଡର ତୁଷାର ବରୋଦା ତରଫରୁ ୧୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୬୧୦୫ ରନ୍ କରିବା ସହ ୨୨୫ଟି ୱିକେଟ୍ ହାସଲ କରିଥିଲେ।
Comments are closed.