ପୁଣିଥରେ ବିଜେଡି ଟିକଟରେ ଲଢିବେ ପ୍ରଣବ ପ୍ରକାଶ ଦାସ
ଯାଜପୁର : ଉପକୂଳ ଓଡିଶାର ଆଗୁଆ ଜିଲା ଭାବେ ପରିିଚିତ ଯାଜପୁର ଜିଲା । ରାଜ୍ୟ ରାଜନୀତିରେ ଏହି ଜିଲାର ନେତା ସବୁବେଳେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଥାନ୍ତି । ବର୍ତ୍ତମାନ ରାଜ୍ୟ ରାଜନୀତିରେ ଯାଜପୁର ନିର୍ବାଚନ ମଣ୍ଡଳୀକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ ମଙ୍ଗଳବାର ତାର ଅବସାନ ଘଟିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାନସଭା ଆସନ ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା କରିଛନ୍ତି। ସେଥିପାଇଁ ଯାଜପୁର ବିଜେଡି କର୍ମୀ ଓ ସମର୍ଥକଙ୍କ ମନରେ ଖୁସିର ଲହରି ଖେଳି ଯାଇଛି । ଯାଜପୁରରେ କର୍ମୀମାନେ ବାଣଫୁଟାଇ, ମିଠା ବାଣ୍ଟି ପ୍ରଣବକୁ ଅଭିନନ୍ଦନ ଜଣାଇଛନ୍ତି । ଗତ ନିର୍ବାଚନରେ ସେ ୧ଲକ୍ଷରୁ ଉର୍ଦ୍ଧ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ମାତ୍ର ୧୯ ହଜାର ଭୋଟ ପାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନରେ ତ୍ରିମୁଖି ଲଢ଼େଇ ହେବାର ସମ୍ଭାବନା ରହିଛି । ଯାଜପୁର ନିର୍ବାଚନ ମଣ୍ଡଳୀ ଉଭୟ ଯାଜପୁର ଓ ଦଶରଥପୁର ବ୍ଲକକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀ ଅଧିକାଂଶ ସମୟ ଅଣ କଂଗ୍ରେସ ହାତରେ ରହି ଆସିଛି । ଦୀର୍ଘଦିନ ଧରି ଏହି ଆସନଟି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇ ରହିଆସିଥିଲା । ଗତ ୨୦୦୯ ମସିହାରେ ଏହି ଆସନଟି ସାଧାରଣ ବର୍ଗଙ୍କ ପାଇଁ ହେବା ପର ଠାରୁ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୦୯ ମସିହାରେ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ହଠାତ୍ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦିଅନ୍ତି ଆଉ ଟିକେଟ ଆଣି ଲଢ଼େଇ କରିଥିଲେ । ସେତେବେଳେ ସେ ୬୧ ହଜାର ଭୋଟ ପାଇଥିବା ବେଳେ ନିକଟତମ କଂଗ୍ରେସ ପ୍ରାର୍ଥୀ ଦେବବ୍ରତ କଣ୍ଠ ୩୧ ହଜାର ଭୋଟ ପାଇଥିଲେ । ଏହା ପରେ ଗତ ୨୦୧୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ପୁଣି ୧ ଲକ୍ଷରୁ ଉର୍ଦ୍ଧ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ । ପ୍ରଣବଙ୍କ ସଫଳତା ନେଇ ବିଜେଡି କର୍ମୀ ମାନେ ଆଶାବାଦି ରହିଥିବା ବେଳେ ଏଥର ଲାକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
Comments are closed.