ଭାରତ ୨ୟ ବିଶ୍ବକପ ଜିତିବାର ୮ ବର୍ଷ ପୂରିଲା
ମୁମ୍ବଇ : ଆଜକୁ ୮ ବର୍ଷ ପୂର୍ବେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଦଳ ଦ୍ବିତୀୟ ଥର ପାଇଁ ଆଇସିସି ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏହି ବିଶ୍ବକପ ବିଜେତା ଦଳର ଅଧିକାଂଶ ସଦସ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସ୍ମରଣୀୟ ଦିନର ଘଟଣାବଳୀକୁ ରୋମନ୍ଥନ କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କର ଟ୍ବିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ‘ ଏହା ମୋ କ୍ରିକେଟ ଜୀବନର ସବୁଠାରୁ ଅଭୁଲା ଅଧ୍ୟାୟ’। ସେହି ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ କରିଥିବା ଓପନର ବୀରେନ୍ଦ୍ର ସେହ୍ବାଗ ଉକ୍ତ ବିଜୟ ଉତ୍ସବକୁ ଭାରତୀୟ ଦଳ କିଭଳିଭାବେ ପାଳନ କରିଥିଲା, ସେ ସମ୍ପର୍କରେ ଉଲ୍ଲେଖ କରିବା ସହ ସେମାନେ କିଭଳି ଖୁସି ମନାଇଥିଲେ ବୋଲି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି।
୨୦୧୧ ଏପ୍ରିଲ ୨ରେ ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୬ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାହେଲା ଜୟବର୍ଦ୍ଧନେଙ୍କ ଅପରାଜିତ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ବିନିମୟରେ ୨୭୪ ରନ କରିଥିଲା। ଜବାବରେ ଗୌତମ ଗମ୍ଭୀରଙ୍କ ୯୭ ଓ ଧୋନିଙ୍କ ଅପରାଜିତ ୯୧ ରନ ବଳରେ ଭାରତ ୪୮.୨ ଓଭରରେ ୪ ୱିକେଟ ବିନିମୟରେ ୨୭୭ ରନ କରି ବିଜୟୀ ହୋଇଥିଲା। ନୁୱାନ କୁଳଶେଖରଙ୍କ ବଲରେ ମିଡ୍ୱିକେଟ ଅଞ୍ଚଳକୁ ଛକା ମାରି ଧୋନି ଏହି ମୁକାବିଲାର ମୁଣ୍ଡି ମାରିଥିଲେ। ୧୯୮୩ରେ କପିଳ ଦେବ ଭାରତକୁ ପ୍ରଥମ ଥର ପାଇଁ ବିଶ୍ବକପ ଜିତିବାର ସ୍ବାଦ ଚଖାଇଥିଲେ। ୨୮ ବର୍ଷର ବ୍ୟବଧାନ ପରେ ଧୋନି ଏହି ସଫଳତାକୁ ଦୋହରାଇବାରେ ସମର୍ଥ ହୋଇଥିଲେ।
Comments are closed.