ଅଷ୍ଟ୍ରେଲିଆ ୫-୦ରେ ସିରିଜ ପୋଛିଲା
ଦୁବାଇ : ଉସମାନ ଖାୱାଜା, ଗ୍ଲେନ ମ୍ୟାକ୍ସୱେଲ, ସନ୍ ମାର୍ଶ ଓ ଆରୋନ ଫିଞ୍ଚ୍ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ରବିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ପାକିସ୍ତାନକୁ ୨୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୨୭ ରନ କରିଥିଲା। ଜବାବରେ ହାରିସ ସୋହେଲଙ୍କ ଲଢୁଆ ଶତକ ସତ୍ତ୍ବେ ପାକିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୦୭ ରନ କରିଥିଲା। ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ପାଞ୍ଚଟିକିଆ ସିରିଜକୁ ୫-୦ରେ ପୋଛିନେଇଛି। ଗ୍ଲେନ ମ୍ୟାକ୍ସୱେଲ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ଓ ଆରୋନ ଫିଞ୍ଚ୍ ‘ପ୍ଲେୟାର ଅଫ୍ ଦି ସିରିଜ’ ବିବେଚିତ ହୋଇଛନ୍ତି।
ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲେ। ଉସମାନ ଖାୱାଜା ୯୮, ଆରୋନ ଫିଞ୍ଚ୍ ୫୩, ସନ୍ ମାର୍ଶ ୬୧ ଓ ଗ୍ଲେନ ମ୍ୟାକ୍ସୱେଲ ୭୦ ରନ କରିବା ଫଳରେ ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୨୭ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଉସମାନ ସିନ୍ୱାରି ୪ଟି ଓ ଜୁନେଦ ଖାନ୍ ୩ଟି ୱିକେଟ ଅକ୍ତିଆର କରିଥିଲେ। ୩୨୮ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ୧ ରନରେ ଓପନର ଆବିଦ ଅଲ୍ଲୀଙ୍କ (୦) ୱିକେଟ ହରାଇଥିଲା। ସାନ୍ ମାସୁଦ ଓ ହାରିସ ସୋହେଲ ୨ୟ ୱିକେଟ ପାଇଁ ୧୦୮ ରନ ସଂଗ୍ରହ କରିଥିଲେ। ମାସୁଦଙ୍କ (୫୦) ପ୍ରସ୍ଥାନ ପରେ ସୋହେଲ ଓ ଉମର ଆକ୍ମଲ (୪୩) ୪ର୍ଥ ୱିକେଟ ପାଇଁ ୧୦୨ ରନ ଯୋଗକରିଥିଲେ। ଦଳୀୟ ସ୍କୋର ୨୩୯ ରନରେ ସୋହେଲ ବ୍ୟକ୍ତିଗତ ୧୩୦ ରନ କରି ୫ମ ଖେଳାଳିଭାବେ ଆଉଟ ହୋଇଥିଲେ। ଶେଷଆଡକୁ ଅଧିନାୟକ ଇମାଦ ୱାସିମ ଅପରାଜିତ ୫୦ ରନ କରିଥିବାବେଳେ ୫୦ ଓଭର ସୁଦ୍ଧା ପାକିସ୍ତାନର ସ୍କୋର ୭ ୱିକେଟରେ ୩୦୭ ରନରେ ସୀମିତ ରହିଥିଲା। ଅଷ୍ଟ୍ରେଲିଆର ଜେସନ ବେହେରନଡର୍ଫ ୩ଟି ୱିକେଟ ନେଇଥିଲେ।
Comments are closed.