ଉତ୍ତରପ୍ରଦେଶ: ୬ ମାସରେ ୭ ନାବାଳିକା ବଳାତ୍କାର ଓ ହତ୍ୟା
ଆଲ୍ଲାହାବାଦ: ଉତ୍ତରପ୍ରଦେଶରେ ଗୋଟିଏ ପରେ ଗୋଟିଏ ନାବାଳିକା ବଳାତ୍କାର ଘଟଣା ବଢ଼ିବାରେ ଲାଗିଛି। ଉନ୍ନଓ ଦଳିତ ନାବାଳିକା ବଳାତ୍କାର ଘଟଣାରେ ବିଜେପି ବିଧାୟକ ଓ ତାଙ୍କ ଭାଇ ଜଡ଼ିତ ଥିବା ଅଭିଯୋଗ ଆସିବା ପରେ ସମଗ୍ର ଦେଶରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ଏବେ ପୁଣି ଇଟାହ ଜିଲାରେ ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣେ ୭ ବର୍ଷିୟା ନାବାଳିକାଙ୍କୁ ଟେଣ୍ଟ ହାଉସ୍ କର୍ମଚାରୀ ବଳାତ୍କାର ଓ ହତ୍ୟା କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରିରେ ଘଟିଥିବା ଏହି ଅମାନବୀୟ ଓ ବର୍ବର ଘଟଣାର ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଇଟାହ ଜିଲାରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି। ଗତ ମାର୍ଚ୍ଚ ୧୭ ତାରିଖରେ ଜଣେ ତୃତୀୟ ବର୍ଷ ଆଇନ୍ ଛାତ୍ର ଜନୈକା ୮ବର୍ଷର ଝିଅକୁ ବଳାତ୍କାର ଓ ହତ୍ୟା କରିଥିଲା। ସେହିପରି ଏପ୍ରିଲ୍ ୧୧ରେ ଜଣେ ଦଳିତ ନାବାଳିକାକୁ ନିଶାମିଶା ଖାଦ୍ୟ ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୩ ତାରିଖରେ ଆଲିଗଡ଼ ଜିଲା ମାହ୍ଲାପୁର ଗ୍ରାମରେ ଜଣେ ୧୪ ବର୍ଷର ଝିଅକୁ ତାଙ୍କ ପଡ଼ୋଶୀ ବଳାତ୍କାର ପରେ ପୋଡ଼ି ହତ୍ୟା ଦେଇଥିଲେ। ଫେବୃଆରୀ ୨୪ ତାରିଖରେ ଆଲିଗଡ଼ ଜିଲାରେ ଜଣେ ୬ ବର୍ଷର ଝିଅକୁ ୨୩ ବର୍ଷୀୟ ପଡ଼ୋଶୀ ବଳାତ୍କାର କରିଥିଲେ। ଗତ ଫେବୃଆରୀ ୧୪ ତାରିଖରେ ଫିରୋଜାବାଦ୍ ଜିଲା ନଗଲା ଅଜବ ଗ୍ରାମର ଜନୈକା ୧୪ ବର୍ଷ ବୟସ୍କା ଦଳିତ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ଫେବୃଆରୀ ୨ ତାରିଖରେ ଫିରୋଜାବାଦ୍ ଜିଲାର ଶିକୋହାବାଦ୍ ଗ୍ରାମର ୭ ବର୍ଷିୟ ବାଳକକୁ ଅପ୍ରାକୃତିକ ଯୌନ କ୍ରିୟା ପରେ ତାଙ୍କ ପଡ଼ୋଶୀ ହତ୍ୟା କରିଥିଲେ। ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଆଗ୍ରା ଜିଲା ଇତମାଦପୁର ଅଞ୍ଚଳରେ ଜନୈକା ୭ ବର୍ଷିୟା ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଗଣମାଧ୍ୟମର ଆଢ଼ୁଆଳରେ ଏଭଳି ଅନେକ ଘଟଣା ଘଟିଥିବା ସେଠାକାର ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି।