www.samajalive.in
Monday, December 15, 2025
14.1 C
Bhubaneswar

ଭାରତର ପ୍ରତିରକ୍ଷା ଆହ୍ୱାନ

୨୦୨୫ ଏପ୍ରିଲ ୨୦ ତାରିଖରେ ପହଲଗାଓଁରେ ଧର୍ମ ଆଧାରରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟା… ଘଟଣାର ପ୍ରତିଶୋଧ ନେବା ପାଇଁ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’। ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍‌‌ କରି ଧ୍ୱସ୍ତବିଧ୍ୱସ୍ତ କରିବାରେ ଭାରତ ହୋଇଥିଲା ସମର୍ଥ। ‘ଅପରେସନ ସିନ୍ଦୂର’ ମାତ୍ର ୪ ଦିନର ଯୁଦ୍ଧ ହୋଇଥିଲେ ମଧ୍ୟ ଏହାଦ୍ୱାରା ଭାରତର ଦୀର୍ଘଦିନର ରାଜନୈତିକ ପ୍ରସ୍ତୁତିର ପରୀକ୍ଷାଗାର ସାବ୍ୟସ୍ତ ହୋଇଛି। ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆମେ ବହୁତ କିଛି ଶିକ୍ଷା ଲାଭ କରିବା ସହ ଭବିଷ୍ୟତରେ ଆମ ସାମରିକ ପ୍ରସ୍ତୁତିରେ କିଭଳି ଉନ୍ନତି ଆଣିବୁ, ସେ ନେଇ ମଧ୍ୟ ଅବଗତ ହୋଇପାରିଲୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
‘ଅପରେସନ ସିନ୍ଦୂର’ ପରେ ୨୦୨୫, ଅଗଷ୍ଟ ୫ ତାରିଖରେ ସରକାର ୬୭ ହଜାର କୋଟି ଟଙ୍କାର ଯୁଦ୍ଧାସ୍ତ୍ର ନିର୍ମାଣ ତଥା ଆହରଣ ପାଇଁ ମଞ୍ଜୁର କରିଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନୌସେନା ଓ ତଟରକ୍ଷା ବାହିନୀ ପାଇଁ ଏଡଭାନ୍ସଡ୍‌‌ ହାଲୁକା ଟରପେଡୋ, ଏମ୍‌‌ଫିଭିଅସ୍‌‌ ଅପରେସନ ପାଇଁ ଆବଶ୍ୟକ ଭେସେଲସ୍‌‌, ଇଲେକ୍ଟ୍ରୋ-ଅପ୍ଟିକାଲ ଇନ୍‌‌ଫ୍ରାରେଡ୍‌‌ – ସର୍ଚ୍ଚ ଏଣ୍ଡ ଟ୍ରାକ୍‌‌- ସିଷ୍ଟମ ନିର୍ମାଣ ନିମନ୍ତେ ଡିଫେନ୍ସ ଏକ୍‌‌ଜିକ୍ୟୁସନ୍‌‌ କାଉନ୍‌‌ସିଲ ଅନୁମୋଦନ କରିଛି। ଡିଆର୍‌ଡିଓ, ରାଷ୍ଟ୍ରାୟତ୍ତ ସଂସ୍ଥା ଓ ଟାଟା, ମହେନ୍ଦ୍ର, ଏଲ୍‌‌ଏଣ୍ଡଟି, ଭାରତ ଫୋର୍ଜ ଭଳି ସ୍ୱଦେଶୀ ଘରୋଇ କମ୍ପାନୀଗୁଡ଼ିକର ମିଳିତ ଉଦ୍ୟମରେ ଏହା ଭାରତରେ ନିର୍ମିତ ହେବ।
୨୦୨୫ ସେପ୍ଟେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠାରୁ ବଡ଼ ୧୫ ବର୍ଷିଆ ପ୍ରତିରକ୍ଷା ଉନ୍ନତିକରଣ ଯୋଜନା ଉନ୍ମୋଚନ କରିଛନ୍ତି। ଏହି ରୋଡ୍‌‌ମ୍ୟାପ୍‌‌ରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଭାରତର ସଶସ୍ତ୍ରବାହିନୀ କିଭଳି ଅଧିକ ସଶକ୍ତ ହୋଇପାରିବ ତାହା ଦର୍ଶାଯାଇଛି। ଏଥିରେ ଭାରତର ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧ ଜାହାଜ, ପରବର୍ତ୍ତୀ ପିଢ଼ିର ଯୁଦ୍ଧ ଟ୍ୟାଙ୍କ୍‌‌, ହାଇପର୍‌‌ସୋନିକ ମିସାଇଲସ୍‌‌, ଷ୍ଟେଲଥ୍‌‌ ବମ୍ବର ଡ୍ରୋନ୍‌‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଳିତ ଅସ୍ତ୍ରଶସ୍ତ୍ର ଓ ମହାକାଶଭିତ୍ତିକ ଯୁଦ୍ଧ ଜ୍ଞାନକୌଶଳ ସାମିଲ ରହିଛି।
ରୁଷିଆରୁ ଅଣାଯାଇଥିବା ପୁରୁଣା ‘ଟି-୭୨’ କମ୍ବାଟ୍‌‌ ଟ୍ୟାଙ୍କ୍‌‌ ବଦଳରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପ୍ରାୟ ୧୮୦୦ ଫ୍ୟୁଚର ଟ୍ୟାଙ୍କ୍‌‌, ଉଚ୍ଚ ପାର୍ବତ୍ୟପୂର୍ଣ୍ଣ ଅଞ୍ଚଳରେ ଲଢ଼ାଇ ପାଇଁ ୪୦୦ଟି ‘ଯୋରାୱର’ ଭଳି ହାଲୁକା ଟ୍ୟାଙ୍କ୍‌‌ ସାମିଲ କରାଯିବାର ପ୍ରସ୍ତାବ ରହିଛି। ଏଥିସହ ୫୦ ହଜାର ଟ୍ୟାଙ୍କ୍‌‌ ମାଉଣ୍ଟେଡ୍‌‌ ଗାଇଡେଡ୍‌‌ ମିସାଇଲସ୍‌‌ ଏବଂ ୭୦୦ରୁ ଅଧିକ ରୋବୋଟିକ୍‌‌ କାଉଣ୍ଟର ଆଇଇଡି ସିଷ୍ଟମ ସାମିଲ କରାଯିବ।
ବର୍ତ୍ତମାନ ଭାରତୀୟ ନୌସେନାରେ ୧୪୦ଟି ଯୁଦ୍ଧଜାହାଜ ରହିଛି (ଯେଉଁଥିରେ ରହିଛି ୧୭ଟି ଡିଜେଲ୍‌‌-ଇଲେକ୍ଟ୍ରିକ ସବ୍‌‌ମେରାଇନ୍‌‌ ଓ ୨ଟି ପରମାଣୁ ଶକ୍ତିଚାଳିତ)। ଏଥି ମଧ୍ୟରୁ ୧୧ଟି ସବ୍‌‌ମେରାଇନ୍‌‌ ବହୁ ପୁରୁଣା। ନୌସେନାରେ ୨୫୦ଟି ଭିନ୍ନ ଭିନ୍ନ କିସମର (ମେରାଇନ ଭର୍ସନ) ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ରହିଛି। ପୁରୁଣା ଯୁଦ୍ଧଜାହାଜଗୁଡ଼ିକୁ ପର୍ଯ୍ୟାୟକ୍ରମେ ବାଦ୍‌‌ ଦିଆଯାଇ ନୂତନ ଯୁଦ୍ଧଜାହାଜ ନିର୍ମାଣ ଉପରେ ଦିଆଯାଇଛି ଗୁରୁତ୍ୱ। ଯୁଦ୍ଧଜାହାଜର ନିର୍ମାଣ ବେଶ୍‌‌ ସମୟସାପେକ୍ଷ ତଥା ଖୁବ୍‌‌ ବ୍ୟୟବହୁଳ। ଆମ ନୌସେନାରେ ଭିନ୍ନ ଭିନ୍ନ କିସମର ୨୦୦ଟି ଯୁଦ୍ଧଜାହାଜ, ୩୫୦ଟି (ନାଭାଲ ଭର୍ସନ) ଏୟାରକ୍ରାଫ୍ଟ ଓ ହେଲିକେପ୍ଟରରେ ସଜ୍ଜିତ କରାଯିବାକୁ ଲକ୍ଷ୍ୟ ରହିଛି । ବିଶ୍ୱର ୫ଟି ଦେଶ- ଆମେରିକା, ରୁଷିଆ, ଚୀନ୍‌‌, ଫ୍ରାନ୍ସ, ଇଂଲଣ୍ଡ ପରେ ଭାରତ ହିଁ ଏକମାତ୍ର ଦେଶ ଯିଏ କି ପରମାଣୁ ଶକ୍ତିଚାଳିତ ସବ୍‌‌ମେରାଇନ୍‌‌ ଓ ଏୟାରକ୍ରାଫ୍ଟ କେରିଅରର ଡିଜାଇନ, ନିର୍ମାଣ ତଥା ବ୍ୟବହାର କରିବାରେ ସମର୍ଥ। ଆମ ନୌସେନାରେ ଏକ ନୂତନ ଏୟାରକ୍ରାଫ୍ଟ କେରିଅର, ୧୦ଟି ପରବର୍ତ୍ତୀ ପିଢ଼ିର ଫ୍ରିଗେଟ୍‌‌ସ, ୭ଟି ଅତ୍ୟାଧୁନିକ କୋର୍ଭେଟସ୍‌‌, ୪ଟି ଲ୍ୟାଣ୍ଡିଂ ଜକ୍‌‌ ପ୍ଲାଟଫର୍ମ ମିଳିବାର ମଧ୍ୟ ଯୋଜନା ଥିବାର ଜଣାଯାଏ। ଯୁଦ୍ଧଜାହାଜ ପାଇଁ ନ୍ୟୁକ୍ଲିଅର ପ୍ରପଲସନ୍‌‌ ବ୍ୟବହାର କରାଯିବା ସହ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍‌‌ ଏୟାରକ୍ରାଫ୍ଟ ଲଞ୍ଚ୍‌‌ ସିଷ୍ଟମ ମଧ୍ୟ ସାମିଲ କରାହେବାକୁ ଲକ୍ଷ୍ୟ ରହିଛି।
ଭାରତୀୟ ବାୟୁସେନାର କମ୍ବାଟ୍‌‌ ଏୟାରକ୍ରାଫ୍ଟର ଆବଶ୍ୟକ ସ୍କ୍ୱାର୍ଡନ୍‌‌ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇଛି କାରଣ ସୋଭିଏତ୍‌‌ ରୁଷିଆରୁ ଷାଠିଏ ଦଶକରେ ଅଣାଯାଇଥିବା ‘ମିଗ୍‌‌-୨୧’ ଲଢୁଆ ବିମାନଗୁଡ଼ିକୁ ବାୟୁସେନାରୁ ନିବୃତ୍ତ କରାଯାଇଛି। ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିିତ ହାଲୁକା କମ୍ବାଟ୍‌‌ ଏୟାରକ୍ରାଫ୍ଟ ‘ତେଜସ୍‌‌’ ଏହାର ସ୍ଥାନ ନେବ। ଏଚ୍‌ଏଏଲ୍‌‌ ସହ ଚୁକ୍ତି ଅନୁସାରେ ୯୭ଟି ‘ତେଜସ୍‌‌’ କମ୍ବାଟ୍‌‌ ବିମାନ (୬୭ ହଜାର କୋଟି ଟଙ୍କା ବିନିମୟରେ) କିଣା ହେବ। ଏବେ ୩୮ଟି (ଦୁଇ ସ୍କ୍ୱାର୍ଡନ୍‌‌) ‘ତେଜସ୍‌‌’ ବିମାନ ବାୟୁସେନାରେ ନିୟୋଜିତ ଅଛି। (ଏଥିରୁ ୨୦୨୪ରେ ଜୈସେଲମେର ଠାରେ ଗୋଟିଏ ଏବଂ ନିକଟରେ ଦୁବାଇ ଏୟାର ଶୋ’ରେ ଆଉ ଗୋଟିଏ ‘ତେଜସ୍‌‌’ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ବାୟୁସେନା ହରାଇଛି।) ପୂର୍ବରୁ ୨୦୨୧ ମସିହାରେ ସରକାର ୮୩ଟି ‘ତେଜସ୍‌‌-ମାର୍କ ୧-ଏ’ କ୍ରୟ କରିବାକୁ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ। ମାତ୍ର ଜିଇ (ଆମେରିକୀୟ କମ୍ପାନୀ) ଇଞ୍ଜିନ ଯୋଗାଇବାରେ ଅହେତୁତ ବିଳମ୍ବ ଘଟାଇବା କାରଣରୁ ଏହି ବିମାନର ନିର୍ମାଣ ତଥା ବାୟୁସେନାକୁ ପ୍ରଦାନ ହୋଇପାରି ନାହିଁ। (ଅତ୍ୟାଧୁନିକ ଆଭିଓନିକ୍ସ ଓ ରାଡାର ସିଷ୍ଟମରେ ସଜ୍ଜିତ ‘ଏଲ୍‌ସିଏ ମାର୍କ-୧ଏ’ ବିମାନ ‘ତେଜସ୍‌‌’ କମ୍ବାଟ୍‌‌ ବିମାନର ଉନ୍ନତ ସଂସ୍କରଣ।) ଇଷ୍ଟର୍ଣ୍ଣ ଲଦାଖସ୍ଥିତ ‘ନ୍ୟୋମା’ରେ ୧୩୭୦୦ ଫୁଟ ଉଚ୍ଚତାରେ ଥିବା ବିଶ୍ୱର ଉଚ୍ଚତମ ଏୟାରବେସ୍‌‌କୁ ଏବେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଯାଇଛି।
୨୦୨୪ ନଭେମ୍ବର ୨୫ ତାରିଖରେ ‘ଭାରତ ଇଲେକ୍‌‌ଟ୍ରୋନିକ୍ସ ଲିମିଟେଡ୍‌‌’ ଏବଂ ଫ୍ରାନ୍ସର ‘ସଫ୍ରାନ୍‌‌ ଇଲେକ୍‌‌ଟ୍ରୋନିକ୍ସ’ ମିଳିତ ଭାବେ ‘ହମାର୍‌‌’ ଲକ୍ଷ୍ୟଭେଦୀ ଏୟାର-ଟୁ-ଗ୍ରାଉଣ୍ଡ ଶକ୍ତିଶାଳୀ ବୋମା ଭାରତରେ ନିର୍ମାଣ କରିବାର ଚୁକ୍ତି ହୋଇଛି। ଏହି ବୋମା ‘ଅପରେସନ ସିନ୍ଦୂର’ରେ ନିୟୋଜିତ କରାଯାଇ ଶତ୍ରୁ ଶିବିରରେ କମ୍ପନ ସୃଷ୍ଟି କରିଥିଲା।
ଆମେରିକା, ରୁଷ, ଇସ୍ରାଏଲ୍‌‌ ଭଳି ଭାରତ ଗଢ଼ିବ ଶକ୍ତିଶାଳୀ ସ୍ପେସାଲ ଫୋର୍ସ। ୨୦୨୫ ସେପ୍ଟେମ୍ବର ୮ ତାରିଖରେ ଜଏଣ୍ଟ ୱାର୍‌‌ ଥିଓରିର ବ୍ଲୁ-ପ୍ରିଣ୍ଟ୍‌‌ ପ୍ରସ୍ତୁତ ହୋଇଛି। କୌଣସି ଦେଶ ଅଥବା ତା’ର ଆତଙ୍କବାଦୀ ସଂଗଠନ ଭାରତ ଉପରେ ଆକ୍ରମଣ କଲେ ତାହା ବିପକ୍ଷରେ ଏହି ସ୍ପେସାଲ ଫୋର୍ସକୁ ନିୟୋଜନ କରାଯିବ। ଏହି ସ୍ପେସାଲ ଫୋର୍ସର ଭୂମିକା ହେବ- ବିଧ୍ୱଂସ, ଚଢ଼ଉ, ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ସ୍ଥଳେ ‘ଏୟାର ଏମ୍ବୁସ୍‌‌’। ଜଳ, ସ୍ଥଳ ଓ ଆକାଶରେ ଏମାନେ ସକ୍ରିୟ ରହି ଟାର୍ଗେଟ୍‌‌ ଧ୍ୱଂସରେ ପାରଦର୍ଶିତା ପ୍ରଦର୍ଶନ କରିବେ। ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଅଧିକ ପାରଦର୍ଶିତା ପ୍ରଦର୍ଶନ ପାଇଁ ବର୍ତ୍ତମାନ ‘ଭୈରବ ବାଟାଲିଅନ’ ଗଠନ କରାଯାଉଛି। ବର୍ତ୍ତମାନର ଯୁଦ୍ଧରେ ଡ୍ରୋନ୍‌‌ର ଅଧିକ ନିୟୋଜନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଇନ୍‌‌ଫାନ୍‌‌ଟ୍ରି-ବାଟାଲିଅନ୍‌‌ରେ ୨୦ରୁ ୨୫ ଜଣ ସ୍ୱତନ୍ତ୍ର ପ୍ରଶିକ୍ଷିତ ଯବାନଙ୍କ ଦ୍ୱାରା ‘ଅଶ୍‌‌ନି ଡ୍ରୋନ୍‌‌ ପ୍ଲାଟୁନ’ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି।
ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ପ୍ରତିରକ୍ଷା ଶିଳ୍ପ କରିଡର ନିର୍ମାଣ କରାଯାଇଛି। ୨୦୧୪ ମସିହାରେ ଭାରତର ପ୍ରତିରକ୍ଷା ରପ୍ତାନି ୭୦୦ କୋଟି ଟଙ୍କାରେ ସୀମିତ ଥିଲା, ମାତ୍ର ୨୦୨୫ରେ ପ୍ରତିରକ୍ଷା ରପ୍ତାନି ୨୪ ହଜାର କୋଟିଟଙ୍କାରେ ପହଞ୍ଚିଛି। ଭାରତ ବିଦେଶରେ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରି ବୈଦେଶିକ ମୁଦ୍ରା ସଞ୍ଚୟ କରିପାରୁଛି। ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ ସେପ୍ଟେମ୍ବର ୧୫ ତାରିଖରେ କୋଲକାତାର ବିଜୟ ଦୁର୍ଗ (ପୂର୍ବେ ଫୋର୍ଟ ଉଇଲିୟମ ଭାବେ ବିଦିତ)ରେ ସେନାର ୧୬ତମ ମିଳିତ କମାଣ୍ଡର୍ସ ସମ୍ମିଳନୀରେ ସଶସ୍ତ୍ରବାହିନୀର ‘ଭିଜନ-୨୦୪୭’ରେ ରାଷ୍ଟ୍ରୀୟ ସୁରକ୍ଷା, ପ୍ରତିରକ୍ଷା ନୀତି ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ଭୂମି ରାଷ୍ଟ୍ରର ଭୌତିକ ପରିଚୟ। ତେବେ କେବଳ ଭୂମି ନୁହେଁ, ଦେଶର ବିଚାରଧାରାର ସୁରକ୍ଷା ମଧ୍ୟ ଆବଶ୍ୟକ। ଶରୀର ପାଇଁ ରକ୍ତ ଯେପରି ଜରୁରୀ, ସେହିପରି ଦେଶ ପରିଚାଳନା ଲାଗି ବିଚାରଧାରାର ଆବଶ୍ୟକତା ରହିଛି। ୨୦୧୪ ମସିହାରେ ମୋଦୀଙ୍କ ନେତୃତ୍ୱରେ ଗଠିତ ସରକାର ‘ମେକ୍‌‌ ଇନ୍‌‌ ଇଣ୍ଡିଆ – ମେକ୍‌‌ ଫର୍‌‌ ଦି ୱାର୍ଲ୍ଡ’ ନାରା ଦେଶର ସ୍ୱାବଲମ୍ବନ, ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସର ଶିଖର ଛୁଇଁଛି। ଏହା ଐତିହାସିକ ଓ ଅନନ୍ୟ। ଆମ ପଡ଼ୋଶୀ ରାଷ୍ଟ୍ର ଚୀନ, ପାକିସ୍ତାନ ଓ ବାଂଲାଦେଶର ଭାରତ ବିରୋଧୀ ମନୋଭାବକୁ ଦେଖି ଆମକୁ ଅଧିକ ସଶକ୍ତ ହେବା ବର୍ତ୍ତମାନ ସମୟର ଆବଶ୍ୟକତା।
ଶରତ ମହାପାତ୍ର , ଆଇଆର୍‌ସି ଭିଲେଜ, ଭୁବନେଶ୍ୱର

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories