ଭୁବନେଶ୍ବର: କାମ ଦେଲାନି ନବୀନ କ୍ରେଜ୍। ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଚାଲିଲା ମୋହନ ମ୍ୟାଜିକ୍। ଲୋକପ୍ରିୟତା ପରୀକ୍ଷାରେ ହାରି ଯାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପନିର୍ବାଚନରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଦଳ କେବଳ ଏଠାରେ ପରାଜିତ ହୋଇନି, ବରଂ କଂଗ୍ରେସଠୁ କମ୍ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଯାଇଛି। ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେଡି ପାଇଁ ଏହା ସବୁଠୁ ବଡ଼ ଲଜ୍ଜା ବୋଲି କୁହାଯାଉଛି।
ଦିନ ଥିଲା, ନବୀନ ପଟ୍ଟନାୟକ ହାତ ହଲେଇ ଦେଲେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସ୍ପଷ୍ଟ ହୋଇଯାଉଥିଲା। ହେଲେ ଏବେ ସମୟ ବଦଳିଛି। କ୍ଷମତାରୁ ଯିବା ପରେ ନବୀନଙ୍କ ଲୋକପ୍ରିୟତା ପ୍ରଭାବିତ ହୋଇଛି। ଦୁଇ ଦୁଇ ଥର ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ପ୍ରଚାର କରି ଭୋଟ ମାଗିଥିଲେ ବି ନୂଆପଡ଼ାବାସୀ ଭରସା ଦେଖାଇ ନାହାନ୍ତି। ମାତ୍ର ୧୭ ମାସରେ ନୂଆପଡ଼ାରେ ଦଳ ପ୍ରଥମ ସ୍ଥାନରୁ ଯାଇ ତୃତୀୟରେ ପହଞ୍ଚିଛି। ଶାସକ ଦଳ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଲଢ଼େଇ କରୁଥିବା ଏବଂ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବା ବିଜେଡି ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ଥିଲା। ହେଲେ ନୂଆପଡ଼ାରେ ଦଳ ସମ୍ମାନ ହରାଇଛି। ବିଜେଡିର ଶୋଚନୀୟ ପରାଜୟ ଦଳୀୟ କର୍ମୀ ଓ ନେତାଙ୍କୁ ବ୍ୟଥିତ କରିଛି। ପରାଜୟ ପାଇଁ ତୁଙ୍ଗ ନେତା ସରକାରୀ କଳ ଉପରେ ଦୋଷ ଲଦୁଥିଲେ ହେଁ ଆତ୍ମସମୀକ୍ଷା ଜରୁରୀ ହୋଇପଡ଼ିଛି ବୋଲି ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି।
ନୂଆପଡ଼ା ଉପନିର୍ବାଚନରେ ବିଜେଡିର ପରାଜୟ ପଛରେ ଅନେକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ରାଜନୈତିକ ସମୀକ୍ଷକଙ୍କ ମତରେ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ବିଜେପିକୁ ଯାଇ ପ୍ରାର୍ଥୀ ହେବା ଫଳରେ ଆରମ୍ଭରୁ ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ଦଳର ଅଘୋଷିତ ପ୍ରାର୍ଥୀ ବିଜେପିକୁ ଯିବା ପରେ ବିଜେଡିରେ ପ୍ରାର୍ଥୀ ସଙ୍କଟ ଦେଖାଦେଲା। ସ୍ଥାନୀୟ ନେତୃତ୍ବଙ୍କୁ ଉପେକ୍ଷା କରି ପଡ଼ୋଶୀ ଜିଲା ବରଗଡ଼ର ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କଲା। ସ୍ନେହାଙ୍ଗିନୀ ମହିଳା ବିଜେଡିର ରାଜ୍ୟ ସଭାନେତ୍ରୀ ଥିବାବେଳେ ପୂର୍ବରୁ ବିଜେଡି ସରକାରରେ ମନ୍ତ୍ରୀ ଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀଙ୍କୁ ଦଳ ପ୍ରାର୍ଥୀ କଲା ବୋଲି ନିଜେ ନବୀନ ଘୋଷଣା କରିବା ସହ ତାଙ୍କୁ ଜିତାଇବାକୁ ସମସ୍ତେ ଏକଜୁଟ ହୋଇ ଲଢ଼ିବାକୁ ଆହ୍ବାନ ଦେଲେ। ନବୀନଙ୍କ ଡାକରାରେ ଦଳର ତୁଙ୍ଗନେତା ଏବଂ ବରିଷ୍ଠ-ଯୁବ ନେତୃତ୍ବ ଏକ ହୋଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାରକୁ ଜୋରଦାର କଲେ। ନିଜେ ନବୀନ ଦୁଇଥର ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିବାବେଳେ ଢୋଲକିଆ ପରିବାର ପ୍ରତି ‘ବେଇମାନ’ ଭଳି କଟୁ ଭାଷା ପ୍ରୟୋଗ କଲେ। ତାହା ନିର୍ବାଚନମଣ୍ଡଳୀର ଭୋଟରଙ୍କ ଉପରେ ବିଜେଡି ପ୍ରତି ନକାରାତ୍ମକ ପ୍ରଭାବ ପକାଇଲା ବୋଲି କୁହାଯାଉଛି। ସେହିପରି ଦଳର ତୁଙ୍ଗ ନେତାମାନେ ବିଭିନ୍ନ ସଭା ଓ ଗଣମାଧ୍ୟମରେ ‘ଜୟ ଢୋଲକିଆ ବିକ୍ରି ହୋଇଗଲେ’ ବୋଲି ମନ୍ତବ୍ୟ ଦେଲେ। ସ୍ବର୍ଗତ ରାଜେନ୍ଦ୍ରଙ୍କ ସମର୍ଥକ ଏବଂ ତାଙ୍କୁ ଭଲ ପାଉଥିବା ଲୋକେ ଏହି ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଥିବା ଭୋଟ ଫଳାଫଳରୁ ବାରି ହେଉଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା କ୍ଷମତାରେ ନଥାଇ ବିଜେଡି ଏଥର ଉପନିର୍ବାଚନ ଲଢ଼ୁଥିଲା। ଶାସନରେ ଥିବାବେଳେ ଦଳକୁ ଯେପରି ସରକାରୀ କଳର ସାହାଯ୍ୟ, ସହଯୋଗ ମିଳୁଥିଲା; ତାହା ବିଜେଡିକୁ ମିଳିଲାନି। ଦଳର ଏକମାତ୍ର ଆୟୁଧ ଥିଲା ନବୀନଙ୍କ ଲୋକପ୍ରିୟତା। ଏହାକୁ ବାଜିରେ ଲଗାଇ ଦଳ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା। ହେଲେ ସେଥିରେ ଦଳକୁ ଫାଇଦା ମିଳିନାହିଁ। ଏପରିକି ସ୍ନେହାଙ୍ଗିନୀଙ୍କ ମାମୁଘର ରାଜନୀତି ମଧ୍ୟ କାମ ଦେଲାନି। ଏହାଛଡ଼ା ଉପନିର୍ବାଚନ ପରିଚାଳନା ପାଇଁ ଦଳ ଯେଉଁ ନେତାମାନଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କଲା ସେଥିରୁ ଅଧିକାଂଶ ଥିଲେ ହାରୁ ନେତା। ଏପରିକି ପ୍ରଣବ ପ୍ରକାଶ (ବବି) ଦାସଙ୍କୁ ନେଇ ଭୀଷଣ ଅସନ୍ତୋଷ ଥିବାବେଳେ ତାଙ୍କ ହାତରେ ପୁଣି ଉପନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଗଲା। ସେହିପରି ନୂଆପଡ଼ାକୁ ନବୀନ ପ୍ରଚାରରେ ଯିବା ନିଷ୍ପତ୍ତି ବୁମେରାଂ ସାଜିଲା। ବୟସ ଦୃଷ୍ଟିରୁ ନବୀନ ବାବୁ ଏବେ ସବଳ ନାହାନ୍ତି। ଠିକ୍ ଭାବରେ ଚାଲିବା ତାଙ୍କ ପାଇଁ କଷ୍ଟକର ହେଉଛି। ପ୍ରଚାରକୁ ଯିବାବେଳେ ନବୀନଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଲା। ଏଭଳି ଅବସ୍ଥାରେ ନବୀନ ନୂଆପଡ଼ାକୁ ପ୍ରଚାରରେ ଯିବାକୁ ଲୋକେ ପସନ୍ଦ କଲେନି।
ଏହାର ଭରପୂର ଫାଇଦା ଉଠାଇଲା ବିଜେପି। ନବୀନଙ୍କୁ ନୂଆପଡ଼ାବାସୀଙ୍କ ସମବେଦନା ବଦଳରେ ଓଲଟା ଫଳ ମିଳିଲା। ନିର୍ବାଚନ ପରିଚାଳନାରେ ମଧ୍ୟ କେତେକ ତ୍ରୁଟି ଦେଖିବାକୁ ମିଳିଲା। ପୂର୍ବରୁ ଉପନିର୍ବାଚନ ସମୟରେ ଦଳ ଯେପରି ମାଇକ୍ରୋ ମ୍ୟାନେଜମେଣ୍ଟ କରିଥାଏ, ଏଥର ସେଥିରେ ବହୁ ବ୍ୟତିକ୍ରମ ଦେଖାଦେଲା। ବିଜେପିର ତୁଙ୍ଗ ନେତାମାନେ ନୂଆପଡ଼ାରେ ବୁଥ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ବ ଦେଇଥିବାବେଳେ ବିଜେଡି କେବଳ ବିଜେପି ବିରୋଧରେ ଅଭିଯୋଗ ଆଣିବାରେ ନିଜକୁ ସୀମିତ ରଖିଲା। ବିଜେଡିର ଏଭଳି ଆଚରଣରୁ ପରାଜୟର ଲକ୍ଷଣ ସ୍ପଷ୍ଟ ଜଣାପଡ଼ୁଥିଲା। ହେଲେ ଦଳ ତୃତୀୟ ସ୍ଥାନକୁ ଖସିଯିବା ଅନେକ ନେତା ହଜମ କରିପାରୁନାହାନ୍ତି। ଏହି ଉପନିର୍ବାଚନ ଫଳାଫଳ ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।



