କଲକାତା : ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ବିଜେତା ଦକ୍ଷିଣ ଆଫ୍ରିକ। କଲକାତାର ଇଡେନଗାର୍ଡେନ୍ସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ। ଶୁକ୍ରବାର ପ୍ରଥମ ଦିନରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିବାବେଳେ ମୋଟ୍ ୧୧ଟି ୱିକେଟର ପତନ ଘଟିଛି।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ରନରେ ଅଲ୍ଆଉଟ୍ ହୋଇଯାଇଛି । ବୁମରାଙ୍କ ୫ ୱିକେଟ ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୧୫୯ରନ ଜବାବରେ ଭାରତ ପ୍ରଥମ ଦିନ ଖେଳ ଶେଷ ବେଳକୁ ୨୦ ଓଭର ଖେଳି ୧ ୱିକେଟରେ ୩୭ରନ କରିଛି। ହାତରେ ଆଉ ୯ ୱିକେଟ ରହିଥିବାବେେଳ ଭାରତ ପ୍ରଥମ ଇନିଂସ ଅଗ୍ରଣୀଠାରୁ ୧୨୩ରନ ପଛରେ ରହିଛି। ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଯଶସ୍ବୀ ଜୟସୱାଲ ଓ ଲୋକେଶ ରାହୁଲ ୧୮ରନ ଭାଗିଦାରୀ କରିଥିଲେ । ଜୟସୱାଲ ୨୭ଟି ବଲର ସମ୍ମୁଖୀନ ହୋଇ ୩ଟି ଚୌକା ସହ ୧୨ରନ କରି ମାର୍କୋ ୟାନସେନଙ୍କ ବଲରେ ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ୱାଶିଂଟନ ସୁନ୍ଦର ଓ ଲୋକେଶ ରାହୁଲ ଅବିଭାଜିତ ୧୯ରନ ସଂଗ୍ରହ କରିଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ରାହୁଲ ୧୩ ଓ ୱାଶିଂଟନ ୬ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନେସନ ଏକମାତ୍ର ୱିକେଟ ନେଇଥିଲେ।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଐଡେନ ମାର୍କରାମ ଓ ରିୟାନ ରିକେଲଟନ ପ୍ରଥମ ଅଧଘଣ୍ଟା ଭଲ ବ୍ୟାଟିଂ କରିଥିଲେ। ଭାରତକୁ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ଯଶପ୍ରୀତ ବୁମ୍ରା। ସ୍କୋର ୫୭ରନ ଥିବାବେଳେ ରିକେଲଟନ ୨୩ରନ କରି ବୁମରାଙ୍କ ବଲରେ କ୍ଳିନ ବୋଲ୍ଡ ହୋଇଥିଲେ। ଦ୍ବିତୀୟ ୱିକେଟର ପତନ ୬୨ରନରେ ଘଟିଥିଲା। ମାର୍କରାମ ୩୧ରନ କରିଥିବାବେଳେ ବୁମ୍ରାଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ତୃତୀୟ ୱିକେଟରେ ୱିୟାନ ମୁଲଡର ଓ ଅଧିନାୟକ ତେମ୍ବା ବଭୁମା ୯ରନ ଭାଗିଦାରୀ କରିଥିଲେ। ୭୧ରନ ସ୍କୋର ଥିବାବେଳେ ଭବୁମା ୩ରନ କରି ଆଉଟ୍ ହୋଇଥିଲେ। ମୁଲଡର ଓ ଟୋନି ଡି ଜର୍ଜି ଚତୁର୍ଥ ୱିକେଟରେ ୪୩ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୧୪ରନରେ ପହଞ୍ଚାଇଥିଲେ।
ମୁଲଡର ୨୪ରନ କରି ଆଉଟ୍ ହୋଇଥିଲେ। ୧୨୦ରନରେ ପଞ୍ଚମ ୱିକେଟର ପତନ ଘଟିଥିଲା। ଟୋନି ଡି ଜର୍ଜି ୨୪ରନ କରି ଆଉଟ୍ ହୋଇଥିଲେ। ଦଳ ଶେଷ ୫ ୱିକେଟ ୩୯ରନ ମଧ୍ୟରେ ହରାଇବା ସହ ୫୫ ଓଭରରେ ୧୫୯ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। କାଏଲ ଭେରେଇନି ୧୬ , କୋରବିନ ବୁଚ ୩, ସିମର ହାର୍ମର ୫ରନ କରିଥିବାବେଳେ ତ୍ରିଷ୍ଟାନ ଷ୍ଟବ୍ସ ୧୫ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୫ଟି, ମହମ୍ମଦ ସିରାଜ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ। ମ୍ୟାଚରେ ଭାରତ ଦୁଇଜଣ ୱିକେଟରକ୍ଷକ ଧ୍ରୁବ ଜୁରେଲ ଓ ଋଷଭ ପନ୍ତଙ୍କୁ ଖେଳାଇଛି।



